ଖୁସି ଖବର! ଆସୁଛି ପେଟ୍ରୋଲ-ଡିଜେଲ୍‌ର ବିକଳ୍ପ ‘ଫ୍ଲେକ୍ସ ଫୁଏଲ୍‌’, ଘୋଷଣା କଲେ ଗଡ଼କରୀ

ଗାଡ଼ି ଚଲାଉଥିବା ଲୋକଙ୍କ ପାଇଁ ଖୁସି ଖବର। ଆସୁଛି ପେଟ୍ରୋଲ ଡିଜେଲର ବିକଳ୍ପ। ଏଣିକି ଆଉ ଗାଡ଼ିରେ ତେଲ ପକାଇବା ପୂର୍ବରୁ ଦୁଇ ଥର ଚିନ୍ତା କରିବାକୁ ପଡ଼ିବନି। ଶସ୍ତାରେ ଗାଡ଼ି ଧରି ମନ ଇଚ୍ଛା ବୁଲିପାରିବେ ଲୋକ। ହୁ ହୁ ହୋଇ ବଢ଼ୁଥିବା ପେଟ୍ରୋଲ ଓ ଡିଜେଲ୍‌ ଦରକୁ ଦୃଷ୍ଟିରେ ରଖି ଏବେ ନୂଆ ବିକଳ୍ପ ଆଣୁଛନ୍ତି ସରକାର। ଏବେ ନୂଆ ଇନ୍ଧନ ଫ୍ଲେକ୍ସ ଫୁଏଲ୍‌ରେ ଗଡ଼ିବ ଗାଡ଼ି। ଏଭଳି ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ।

ନିକଟରେ ଗଡ଼କରୀ କହିଛନ୍ତି, ଆସନ୍ତା ୬ ମାସ ଭିତରେ ଅଟୋ ମୋବାଇଲ କମ୍ପାନୀ ଫ୍ଲେକ୍ସ ଫୁଏଲ୍‌ ବାହନ ତିଆରି କରିବା ଆରମ୍ଭ କରିଦେବେ। ଏଥିପାଇଁ କମ୍ପାନୀ ମୁଖ୍ୟଙ୍କ ସହ ସେ ଆଲୋଚନା କରିଛନ୍ତି। ଆଲୋଚନା ବେଳେ କମ୍ପାନୀର ପ୍ରମୁଖମାନେ ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯେ ଦେଶରେ ମାତ୍ର ହାତ ଗଣତି ଦିନ କେଇଟା ଭିତରେ ଫ୍ଲେକ୍ସ ଫୁଏଲ୍‌ ଗାଡ଼ି ଗଡ଼ିବ।

ଇଟି ଗ୍ଲୋବାଲ ବିଜନେସ୍‌ ସମିଟ୍‌କୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସମ୍ବୋଧିତ କରିବା ଅବସରରେ ଗଡ଼କରୀ କହିଛନ୍ତି, ସରକାର ସାର୍ବଜନୀନ ପରିବହନକୁ ୧୦୦ ପ୍ରତିଶତ ସ୍ୱଚ୍ଛ ଉର୍ଜା ସ୍ରୋତରେ ଚଲାଇବାକୁ ଯୋଜନା କରୁଛନ୍ତି। ଏଥିପାଇଁ କାମ ବି ଆରମ୍ଭ ହୋଇସାରିଲାଣି। କେନ୍ଦ୍ର ମନ୍ତ୍ରୀଙ୍କ କହିବାନୁସାରେ, ଫ୍ଲେକ୍ସ ଫୁଏଲ ଇଞ୍ଜିନ୍‌ ଏକାଧିକ ଇନ୍ଧନରେ ଚାଲିପାରିବ। ଏହା ଗ୍ୟାସୋଲିନ୍‌ ଓ ମିଥାନଲ୍‌ କିମ୍ବା ଇଥାନଲ୍‌ର ମିଶ୍ରଣରେ ପ୍ରସ୍ତୁତ ଏକ ବିକଳ୍ପ ଇନ୍ଧନ।

ତେବେ ଖୁସିର କଥା ହେଉଛି ଟିଭିଏସ୍‌ ମୋଟର ଓ ବଜାଜ୍‌ ଅଟୋ ପ୍ରମୁଖ କମ୍ପାନୀ ଦୁଇ ଚକିଆ ଓ ତିନି ଚକିଆ ଗାଡ଼ି ପାଇଁ ଫ୍ଲେକ୍ସ ଫୁଏଲ ଇଞ୍ଜିନ୍‌ ତିଆରି କରିବା ଆରମ୍ଭ କରି ଦେଇଛନ୍ତି। ଆଗକୁ କମ୍ପାନୀ ଚାରି ଚକିଆ ଗାଡ଼ି ପାଇଁ ଏହି ଅତ୍ୟାଧୁନିକ ଇଞ୍ଜିନ୍‌ ତିଆରି କରିବା ନେଇ ଯୋଜନା କରୁଛି। ଏହି ଇଞ୍ଜିନ୍‌ ଆସିବା ପରେ ଗ୍ରାହକଙ୍କୁ ଆଉ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବନି କି ତେଲ ଖର୍ଚ୍ଚ ଆଉ ପକେଟ୍‌ ଉପରେ ବୋଝ ହେବ ନାହିଁ।

Also Read: ବଦଳିଲା ଅଲ୍‌ଲୁ ଅର୍ଜୁନ୍‌ଙ୍କ ‘ପୁଷ୍ପା ୨’ର କାହାଣୀ, ଏବେ ଏମିତି ପ୍ଲାନିଂ କରୁଛନ୍ତି ନିର୍ଦ୍ଦେଶକ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.