ହିମାଚଳ: ଆଇଟିବିପି ଯବାନଙ୍କ କ୍ୟାମ୍ପ ନିକଟରେ ହିମସ୍ଖଳନ, କ୍ୟାମ୍ପ ଠାରୁ ମାତ୍ର ୨୦୦ ମିଟର ଦୂରରେ ଅଟକିଲା ହିମଖଣ୍ଡ

ହିମାଚଳ ପ୍ରଦେଶ ଲାହୋଲ ସ୍ପିତି ଘାଟିରେ ବଡ଼ ହିମସ୍ଖଳନ । ଏହି ହିମସ୍ଖଳନ ଆଇଟିବିପି କ୍ୟାମ୍ପ ଠାରୁ ମାତ୍ର ୨୦୦ ମିଟର ଦୂରରେ ରହିଯାଇଛି । ଫଳରେ କ୍ୟାମ୍ପ ନଷ୍ଟ ହେବା ସହିତ ଯବାନଙ୍କ ଜୀବନ ବଞ୍ଚିଯାଇଛି ।

ସ୍ପିତି ଘାଟିରେ ଥିବା ଗ୍ୟୁ ଗାଁ ନିକଟରେ ହିମସ୍ଖଳନ ହୋଇଛି । ଏଠାରେ ଆଇଟିବିପି ଯବାନଙ୍କ ସ୍ଥାୟୀ କ୍ୟାମ୍ପ ରହିଛି । ଏଠାରେ ଅଚାନକ ପାହାଡ ଉପରୁ ହିମସ୍ଖଳନ ହୋଇଥିଲା । ହିମସ୍ଖଳନ ଦେଖି ସମସ୍ତେ ଭୟଭୀତ ହୋଇଯାଇଥିଲେ । ଲୋକମାନେ ଏଣେତେଣେ ଦୌଡିଥିଲେ । କିନ୍ତୁ ହିମଖଣ୍ଡ ଆଇଟିବିପି କ୍ୟାମ୍ପ ଠାରୁ ମାତ୍ର ୨୦୦ ମିଟର ଦୂରରେ ରହିଯାଇଥିଲା । ଫଳରେ କ୍ୟାମ୍ପ ସହିତ ଯବାନ ବଡ଼ ଅଘଟଣରୁ ଅଳ୍ପକେ ରକ୍ଷା ପାଇଥିଲେ ।

ସେହିପରି ଶନିବାର ଦିନ ଏକ ଲାହୋଲ ଘାଟିରେ ଏମ ହିମସ୍ଖଳନ ହୋଇଥିଲା । ହିମଖଣ୍ଡ ଚନ୍ଦ୍ରଭାଗା ନଦୀରେ ପଡିଥିଲା । ରବିବାର ଦିନ ମଧ୍ୟ ଏକ ହିମସ୍ଖଳନ ରୋହତାଙ୍ଗ ସୁଡଙ୍ଗ ନିକଟରେ ହୋଇଥିଲା । କିନ୍ତୁ ଘଟଣାରେ କିଛି କ୍ଷୟକ୍ଷତି ହୋଇନାହିଁ । କିଛିଦିନ ପୂର୍ବରୁ ସ୍ପିତି ଘାଟିରେ ଡଜନରୁ ଅଧିକ ହିମସ୍ଖଳନ ହୋଇଥିଲା । ୪ ରୁ ୫ ଫୁଟ ବରଫ ପଡିବା ଯୋଗୁଁ ରାସ୍ତା ବନ୍ଦ ହୋଇଥିଲା । କିନ୍ତୁ ଘଟଣାରେ କାହାର କିଛି କ୍ଷତି ହୋଇନଥିଲା ।

ସୂଚନାଯୋଗ୍ୟ, ଶୁକ୍ରବାର ବଦ୍ରିନାଥ ନିକଟସ୍ଥ ମାଣା ଗାଁରେ ହିମସ୍ଖଳନ ଯୋଗୁ ୫୪ ଜଣ ଶ୍ରମିକ ବରଫ ଅତଡା ତଳେ ପୋତି ହୋଇଯାଇଥିଲେ । ଶନିବାର ଉଦ୍ଧାର କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ଦୁର୍ଘଟଣାରେ ପୋତିହୋଇ ପଡିଥିବା ୫୦ ଜଣ ଶ୍ରମିକ ଉଦ୍ଧାର ହୋଇଥିଲେ । ଉଦ୍ଧାର ଶ୍ରମିକଙ୍କ ମଧ୍ୟରୁ ୪ ଜଣଙ୍କର ଚିକିତ୍ସା କାଳରେ ମୃତ୍ୟୁ ହୋଇଥିଲା । ରବିବାର ଆଉ ୪ ଜଣଙ୍କ ଶବ ଉଦ୍ଧାର ହେବା ପରେ ମୋଟ ମୃତ୍ୟୁ ସଂଖ୍ୟା ୮କୁ ପହଞ୍ଚିଛି । ଏହି ଉଦ୍ଧାର ଅଭିଯାନରେ ଆଇଟିବିପି, ଏନଡିଆରଏଫ ଓ ସେନା ଅଂଶଗ୍ରହଣ କରିଥିଲେ । ଏହା ଛଡା ବାୟୁସେନା ହେଲିକପ୍ଟର ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲା ।

Also Read : ତେଲଙ୍ଗାନା ଟନେଲ ଭୁଶୁଡିବା ଘଟଣା : ଟିବିଏମ ମେସିନ ତଳେ ଫସିଛନ୍ତି ୪ ଶ୍ରମିକ, ଖୁବଶୀଘ୍ର ହେବେ ଉଦ୍ଧାର