ମଧ୍ୟସ୍ଥରେ ସମାଧାନ ହେବ କି ଅଯୋଧ୍ୟା-ବାବ୍ରି ମସଜିଦ ଜମି ବିବାଦ : ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ

ସୁପ୍ରିମକୋର୍ଟରେ ଅଯୋଧ୍ୟା ରାମ ଜନ୍ମଭୂମି-ବାବ୍ରି ମସଜିଦ ଜମି ବିବାଦର ଶୁଣାଣି ହୋଇଛି। ମାମଲାର ସ୍ଥାୟୀ ସମାଧାନ ପାଇଁ ମଧ୍ୟସ୍ଥ ନିଯୁକ୍ତି ନେଇ ରାୟ ସଂରକ୍ଷିତ କରିଛନ୍ତି କୋର୍ଟ। ଖୁବଶୀଘ୍ର ମଧ୍ୟସ୍ଥଙ୍କ ନାଁ ଦେବାକୁ କହିଛନ୍ତି। ପ୍ରସ୍ତାବକୁ ହିନ୍ଦୁ ମହାସଭା ବିରୋଧ କରୁଥିବା ବେଳେ ମଧ୍ୟସ୍ଥ ନେଇ ରାଜି ଅଛନ୍ତି ନିର୍ମୋହୀ ଆଖଡ଼ା ଓ ସୁନି ଓ୍ଵାକଫ୍ ବୋର୍ଡ।

ବିବାଦୀୟ ରାମ ଜନ୍ମଭୂମି ଓ ବାବ୍ରି ମସଜିଦ ଜମି ମାମଲାର ସ୍ଥାୟୀ ସମାଧାନ ନେଇ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ମଧ୍ୟସ୍ଥତା ଜରୁରୀ କି ? ଏହାର ବିଚାର କରି ରାୟ ସଂରକ୍ଷିତ କରିଛନ୍ତି ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ। ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ କହିଛନ୍ତି, ମାମଲାର ଗମ୍ଭୀରତା ସମ୍ପର୍କରେ କୋର୍ଟ ଅବଗତ ଅଛନ୍ତି। ତୁରନ୍ତ ସମାଧାନ ଓ ରାୟ ସପକ୍ଷରେ ଆମେ ରହିଛି। ମାମଲାରେ ସଂପୃକ୍ତ ସମସ୍ତ ପକ୍ଷ ଯଥାଶୀଘ୍ର ମଧ୍ୟସ୍ଥ କିମ୍ବା ମଧ୍ୟସ୍ଥମାନଙ୍କ ନାମ ପ୍ରସ୍ତାବ ଦିଅନ୍ତୁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ସେପଟେ ହିନ୍ଦୁ ମହାସଭା ମଧ୍ୟସ୍ଥି ନିଯୁକ୍ତିକୁ ବିରୋଧ କରୁଛି। ହିନ୍ଦୁ ମହାସଭା କହିଛି, ମାମଲା ଲୋକଙ୍କ ଧାର୍ମୀୟ ଭାବନା ସହ ଜଡ଼ିତ। ଜମି ଭଗବାନ ଶ୍ରୀରାମଙ୍କର। ଏଠାରେ କେବଳ ରାମମନ୍ଦିର ନିର୍ମାଣ କରାଯାଉ। ମଧ୍ୟସ୍ଥତା ନିରର୍ଥକ ପ୍ରୟାସ ହେବ। ଜଷ୍ଟିସ୍ ଚନ୍ଦ୍ରଚୂଡ କହିଥିଲେ, ଦୁଇଟି ପକ୍ଷ ନୁହେଁ, ଦୁଇଟି ସମ୍ପ୍ରଦାୟ ମଧ୍ୟରେ। ସେହିପରି ଜଷ୍ଟିସ ଏ. ଏସ୍. ବୋବଡେ କହିଥିଲେ, ଅଯୋଧ୍ୟା ମାମଲା ଧର୍ମୀୟ ଭାବନା, ଆସ୍ଥା ଓ ବିଶ୍ୱାସ ସହ ଜଡ଼ିତ। ବିବାଦ କେତେ ବଡ଼ ଠିକ ଭାବରେ ଉପଲବ୍ଧି କରୁଛନ୍ତି କୋର୍ଟ। ସେପଟେ ମଧ୍ୟସ୍ଥତା ସପକ୍ଷରେ ରହିଛନ୍ତି ନିର୍ମୋହୀ ଆଖଡ଼ା ଓ ସୁନୀ ଓ୍ଵାକଫ୍ ବୋର୍ଡ।

ଗତ ଫେବ୍ରୁଆରୀ ୨୬ ତାରିଖରେ ଶୁଣାଣି ବେଳେ ମଧ୍ୟସ୍ଥି ସପକ୍ଷରେ ପ୍ରସ୍ତାବ ଦେଇଥିଲେ ସୁପ୍ରିମକୋର୍ଟ। ଅଯୋଧ୍ୟା ଜମି ବିବାଦ ମାମଲାରେ ୨୦୧୦ରେ ଆହ୍ଲାବାଦ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟରେ ୧୪ଟି ଆବେଦନ ହୋଇଥିଲା। ୨.୭୭ ଏକର ବିବାଦୀୟ ଜମିକୁ ସୁନୀ ଓ୍ଵାଖଫ ବୋର୍ଡ, ନିର୍ମୋହୀ ଆଖଡା ଓ ରାମ ଲାଲଙ୍କ ମଧ୍ୟରେ ସମାନ ଭାବେ ବାଣ୍ଟିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ।