ଅଯୋଧ୍ୟା ରାମ ମନ୍ଦିରରେ ଏହି ଦିନ ସ୍ଥାପନ ହେବ ମୂର୍ତ୍ତି ଓ ଆରମ୍ଭ ହେବ ସର୍ବସାଧାରଣ ଦର୍ଶନ; ୭୦ ପ୍ରତିଶତ କାମ ସମ୍ପୂର୍ଣ୍ଣ

ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ମନ୍ଦିରର ୭୦ ପ୍ରତିଶତ କାର୍ଯ୍ୟ ଶେଷ ହୋଇ ସାରିଛି। ଆସନ୍ତା ୨୦୨୪ରୁ ଶ୍ରଦ୍ଧାଳୁମାନେ ଭଗବାନ ରାମଙ୍କୁ ଦର୍ଶନ କରିପାରିବେ।

ଅଯୋଧ୍ୟାରେ ନିର୍ମାଣାଧୀନ ରାମ ମନ୍ଦିରକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଭବ୍ୟ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ବହୁତ ଦ୍ରୁତ ଗତିରେ ଆଗେଇ ଚାଲିଛି। ମନ୍ଦିରର ୭୦ ପ୍ରତିଶତ କାର୍ଯ୍ୟ ଶେଷ ହୋଇ ସାରିଛି। ଏହାରି ଭିତରେ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର କୋଷାଧ୍ୟକ୍ଷ ସ୍ୱାମୀ ଗୋବିନ୍ଦ ଦେବ ଗିରି ମହାରାଜ ଏକ ବଡ଼ ଅପ୍‌ଡେଟ ଦେଇଛନ୍ତି।

ସେ କହିଛନ୍ତି ଯେ ମନ୍ଦିରର ୭୦ ପ୍ରତିଶତ ନିର୍ମାଣ କାର୍ଯ୍ୟ ପୂରା ହୋଇଛି। ୨୦୨୪ ଜାନୁଆରୀ ତୃତୀୟ ସପ୍ତାହ ସୁଦ୍ଧା ଭଗବାନ ରାମଙ୍କ ମୂର୍ତ୍ତି ସ୍ଥାପନ କରାଯିବ ଏବଂ ସେହି ଦିନଠାରୁ ହିଁ ଭକ୍ତମାନଙ୍କ ଦର୍ଶନ ଓ ପୂଜା ପାଇଁ ବ୍ୟବସ୍ଥା କରାଯିବ।

ମହାରାଷ୍ଟ୍ରର ଥାଣେ ଜିଲ୍ଲାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱାମୀ ଗୋବିନ୍ଦ ଦେବ ଗଣମାଧ୍ୟମକୁ କହିଛନ୍ତି, ୨୦୨୪ ଜାନୁଆରୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଭଗବାନ ରାମଙ୍କ ମୂର୍ତ୍ତି ସ୍ଥାପନ କରାଯିବ। ସେ ଆହୁରି ମଧ୍ୟ କହିଥିଲେ କି, ମୂର୍ତ୍ତି ସ୍ଥାପନ ପରେ ବି ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଜାରି ରହିବ।

ସେପଟେ ମନ୍ଦିର ନିର୍ମାଣ ପାଇଁ ଲୋକମାନେ ହୃଦୟ ଖୋଲି ଦାନ ଦେଉଛନ୍ତି। ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଦିଆଯାଉଥିବା ନଗଦ ଦାନରେ ମଧ୍ୟ ବୃଦ୍ଧି ଘଟିଛି। ଗତ କିଛି ଦିନ ମଧ୍ୟରେ ଏଥିରେ ତିନି ଗୁଣ ବୃଦ୍ଧି ହୋଇଛି। ପ୍ରତିଦିନ ୧ କୋଟିରୁ ଅଧିକ ଟଙ୍କା ନଗଦ ଦାନ ଆସୁଛି। ଟ୍ରଷ୍ଟର ଅଧିକାରୀ ପ୍ରକାଶ ଗୁପ୍ତା କହିଛନ୍ତି ଯେ ରାମ ମନ୍ଦିରର ଦାନବାକ୍ସ ପ୍ରତି ୧୦ ଦିନରେ ଖୋଲାଯାଉଛି।

କିଭଳି ହେବ ମନ୍ଦିର

ସମ୍ପୂର୍ଣ୍ଣ ରାମ ମନ୍ଦିରଟି ୧୨୮ ଫୁଟ ଉଚ୍ଚ ଏବଂ ଦୁଇ ମହଲା ବିଶିଷ୍ଟ ହେବ। ପ୍ରଥମ ମହଲାର ଉଚ୍ଚତା ୧୮ ଫୁଟ ଏବଂ ଦ୍ୱିତୀୟ ମହଲା ୧୫ ଫୁଟ ୯ ଇଞ୍ଚ ରହିବ। ମନ୍ଦିରରେ ଲାଗିବାକୁ ଥିବା ପଥର ସବୁ ବହୁ ପୂର୍ବରୁୁ ଆସି ସାରିଥିଲା। ଗତ ୨୮ ବର୍ଷ ହେଲା ସେ ସବୁର ଫିନିସିଂ କାମ କାରିଗରମାନେ କରି ଚାଲିଛନ୍ତି। ରାଜସ୍ଥାନ, ଗୁଜରାଟ, ମିର୍ଜାପୁର ଭଳି ଦେଶର ବିଭିନ୍ନ ଭାଗରୁ ଏହି ପଥର ସବୁକୁ ଅଣାଯାଇଛି। ମନ୍ଦିରର ଲମ୍ବ ୨୬୮ ଫୁଟ, ଚଉଡ଼ା ୧୪୦ ଫୁଟ ରହିବ। ମନ୍ଦିରର ମୁଖ୍ୟ ଦ୍ୱାରଠାରୁ ପ୍ରଥମେ ଅଗ୍ରଭାଗ, ତା’ ପରେ ସିଂହଦ୍ୱାର, ନୃତ୍ୟ ମଣ୍ଡପ, ରଙ୍ଗ ମଣ୍ଡପ ଏବଂ ଗର୍ଭଗୃହ ରହିବ। ପ୍ରଥମ ମହଲାରେ ୧୦୬ ଓ ଦ୍ୱିତୀୟ ମହଲାରେ ୧୦୬ଟି ଏହିପରି ମୋଟ୍‌ ୨୧୨ଟି ସ୍ତମ୍ଭରେ ଠିଆ ହେବ ପୂରା ମନ୍ଦିର।

Leave A Reply

Your email address will not be published.