ଯୋଗ ପରେ ଏବେ ପୂରା ବିଶ୍ୱ କରିବ ସୂର୍ଯ୍ୟ ନମସ୍କାର, ମକର ସଂକ୍ରାନ୍ତିରେ ଏକାଠି ୭୫ ଲକ୍ଷ ଲୋକ କରିବେ ସୂର୍ଯ୍ୟଙ୍କୁ ପ୍ରଣାମ

ଯୋଗ ଶରୀରକୁ ରଖେ ନିରୋଗ। ଏହି କଥା ପ୍ରାୟତଃ ସମସ୍ତେ ଶୁଣିଥିବେ। ଖାସ୍‌ ଏହି କାରଣରୁ ସାରା ଦୁନିଆ ଆଜି ଯୋଗକୁ ଆପଣାଇଛି। ଏଥିପାଇଁ ସାରା ବିଶ୍ୱରେ ଜୁନ୍‌ ୨୧ରେ ପାଳିତ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ତେବେ ଯୋଗ ଦିବସ ପରେ ଏବେ ସାରା ବିଶ୍ୱ ପୁଣିଥରେ ଯୋଗ କରିବାକୁ ଯାଉଛି।

ଜାନୁଆରୀ ୧୪ ଅର୍ଥାତ୍‌ ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଉତ୍ତର ଗୋଲାର୍ଦ୍ଧରେ ପ୍ରବେଶ କରିବେ। ଏ ଅବସରରେ ଆୟୁଷ ମନ୍ତ୍ରାଳୟ ପକ୍ଷରୁ ବିଶ୍ୱସ୍ତରରେ ୭୫ ଲକ୍ଷ ଲୋକଙ୍କ ପାଇଁ ଏକ ଗ୍ଲୋବାଲ ସୂର୍ଯ୍ୟ ନମସ୍କାର ପ୍ରଦର୍ଶନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ସ୍ୱାସ୍ଥ୍ୟ, ଧନ ଓ ଖୁସି ପ୍ରଦାନ କରିଥିବାରୁ ‘ପ୍ରକୃତି ମା’ଙ୍କୁ ଧନ୍ୟବାଦ ଦେବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ଏହି ଦିନ ସୂର୍ଯ୍ୟଙ୍କର ପ୍ରତ୍ୟେକ କିରଣ ପ୍ରତି କୃତଜ୍ଞତା ଜ୍ଞାପନ କରିବା ପାଇଁ ସୂର୍ଯ୍ୟ ପ୍ରଣାମ ରୂପରେ ସୂର୍ଯ୍ୟ ନମସ୍କାର କରାଯିବ।

ଏ ଅବସରରେ ଜଳବାୟୁ ପରିବର୍ତ୍ତନ ଓ ଗ୍ଲୋବାଲ ଓ୍ଵାର୍ମିଂର ମେସେଜ୍‌ ମଧ୍ୟ ଦିଆଯିବ। ମକର ସଂକ୍ରାନ୍ତି ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଆମ ଭାରତୀୟ ସଂସ୍କୃତି ଓ ଆଧ୍ୟାତ୍ମିକର ମହତ୍ତ୍ୱକୁ ମଧ୍ୟ ଦର୍ଶାଇବ ବୋଲି ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ସମୟରେ ଜଳବାୟୁ ଜାଗୃକତା ଜରୁରୀ। ଆମେ ସଚେତନ ହେଲେ ହିଁ ପୃଥିବୀ ସୁସ୍ଥ ରହିବ ବୋଲି ଏହି ଦିନ ଲୋକଙ୍କୁ ବୁଝାଯିବ। ଏଥିସହ ନିୟମିତ ସୂର୍ଯ୍ୟ ନମସ୍କାର କରିବାକୁ ପରାମର୍ଶ ଦିଆଯିବ।