ଲାଗୁ ହେଲା ଆୟୁଷ୍ମାନ୍‌ ଭାରତ ଡିଜିଟାଲ ମିଶନ: ଏବେ ଆଉ ଫାଇଲ ନେଇ ଯିବାକୁ ପଡ଼ିବନି ହସ୍ପିଟାଲ, ସମସ୍ତ ଡାଟାବେସ୍‌ ରହିବ ଗୋଟିଏ ସିଷ୍ଟମ୍‌ରେ

ଆୟୁଷ୍ମାନ୍‌ ଭାରତ ଡିଜିଟାଲ ମିଶନର ସ୍ୱାସ୍ଥ୍ୟ ଆଧାରିତ ଆପ୍‌ ଦେଶର ସବୁଠୁ ବଡ଼ ସ୍ୱାସ୍ଥ୍ୟ ଡାଟାବେସ୍‌ର ଡିଜିଟାଲ ନେଟଓ୍ଵାର୍କରେ ସମସ୍ତ ସୂଚନା ଫିଡ୍‌ କରିବ। ଏନେଇ ସୂଚନା ଦେଇଛନ୍ତି ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ଓ କୋ-ଓ୍ଵିନ୍‌ର ମୁଖ୍ୟ ଡା. ଆରଏସ୍‌ ଶର୍ମା। ଡା.ଶର୍ମା କହିଛନ୍ତି, ଏହି ସିଷ୍ଟମ୍‌ ଆସିବା ପରେ ଲୋକମାନଙ୍କୁ ଆଉ ଡାକ୍ତରଙ୍କ ପାଖକୁ ଯିବା ବେଳେ ସମସ୍ତ ଫାଇଲ ନେଇ ଯିବାକୁ ପଡ଼ିବ ନାହିଁ। କାରଣ ସେମାନଙ୍କ ମେଡିକାଲ ହିଷ୍ଟ୍ରି ଗୋଟିଏ ଜାଗାରେ ସହଜରେ ଉପଲବ୍ଧ ହେବ।

ଏଥିସହ ସେ କହିଛନ୍ତି ଯେ ଏହି ମିଶନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଦେଶର ସମସ୍ତ ବ୍ୟକ୍ତିଙ୍କ ପାଖରେ ଶସ୍ତା ତଥା ସୁଲଭ ସ୍ୱାସ୍ଥ୍ୟ ସେବା ଯୋଗାଇବା। ବର୍ତ୍ତମାନ ଭାରତରେ ଡିଜିଟାଲ ମିଡିଆର ବ୍ୟବହାର ବହୁଳ ଭାବେ କରାଯାଉଛି। ଏଣୁ ଏହା ସାହାଯ୍ୟରେ ଏବେ ଲୋକଙ୍କ ନିକଟରେ ସ୍ୱାସ୍ଥ୍ୟ ସେବା ମଧ୍ୟ ଯୋଗାଇଦେବା ପାଇଁ ସରକାର ନୂଆ ଯୋଜନା କରୁଛନ୍ତି।

ଡା. ଶର୍ମା କହିଛନ୍ତି, ଏବେ ଲୋକମାନେ ଟଙ୍କା ନେଣ ଦେଣ ପାଇଁ ଯେଭଳି ୟୁପିଆଇ ବ୍ୟବହାର କରୁଛନ୍ତି। ସେଭଳି ଏବେ ସ୍ୱାସ୍ଥ୍ୟ ସମ୍ପର୍କିତ କୌଣସି ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ନେବା ପାଇଁ ଏହି ସିଷ୍ଟମ୍‌ ବ୍ୟବହାର କରିପାରିବେ। ଭର୍ଚୁଆଲରେ ଡାକ୍ତର ଓ ରୋଗୀଙ୍କ ମଧ୍ୟରେ ଯୋଗାଯୋଗ କରିବାରେ ବେଶ୍‌ ସାହାଯ୍ୟ କରିବ ବୋଲି ଶ୍ରୀ ଶର୍ମା କହିଛନ୍ତି।

Leave A Reply

Your email address will not be published.