ଆଜାନ୍‌ ସମୟରେ ଲାଉଡ୍‌ସ୍ପିକରରେ ବଜାଯାଉଛି ହନୁମାନ ଚାଳିଶା, ଛାତରେ ମାଇକ୍‌ ଲଗାଇଲେ କାଶୀ ବାସିନ୍ଦା

କାଶୀ: ମହାରାଷ୍ଟ୍ରର ଲାଉଡ୍‌ସ୍ପିକର ବିବାଦ ଏବେ ଉତ୍ତର ପ୍ରଦେଶର ବାରଣାସୀରେ ପହଞ୍ଚିଲାଣି। ଉତ୍ତର ପ୍ରଦେଶର ବାରଣାସୀରେ ଶ୍ରୀକାଶୀ ବିଶ୍ୱନାଥ ଜ୍ଞାନବ୍ୟାପୀ ମୁକ୍ତି ଆନ୍ଦୋଳନ ପକ୍ଷରୁ ଲାଉଡ୍‌ସ୍ପିକର ଲଗାଯାଉଛି। ଏଠାରେ ଆଜାନ୍‌ ସମୟରେ ଅଧିକ ସାଉଣ୍ଡ୍‌ରେ ହନୁମାନ ଚାଳିଶା ପାଠ କରାଯାଉଛି। ଘରର ଛାତମାନଙ୍କରେ ଏସବୁ ଲାଉଡ୍‌ସ୍ପିକର ଲଗାଯାଇଛି। ବାରଣାସୀର ସାକେତ ନଗର ଅଞ୍ଚଳରେ ସୁଧୀର ସିଂହ ଏହା ଆରମ୍ଭ କରିଛନ୍ତି।

ସୁଧୀର ସିଂହ ଶ୍ରୀ କାଶୀ ବିଶ୍ୱନାଥ ମୁକ୍ତି ଆନ୍ଦୋଳନର ଅଧ୍ୟକ୍ଷ ଭାବେ କାମ କରୁଛନ୍ତି। ସୁଧୀର ସିଂହଙ୍କ କହିବାନୁସାରେ, ଆଜାନ ସମୟରେ ସବୁ ଥର ଲାଇଡ୍‌ସ୍ପିକରରେ ହନୁମାନ ଚାଳିଶା ବଜାଯିବ। ହିନ୍ଦୁ ମୁସଲିମ୍‌ଙ୍କ ବନ୍ଧୁତ୍ୱ ସୌହାର୍ଦ୍ଦ୍ୟ ଖରାପ କରିବା ତାଙ୍କ ଉଦ୍ଦେଶ୍ୟ ନୁହେଁ। ସେ ନିଜ ଘରର ଛାତରେ ଲାଉଡ୍‌ସ୍ପିକର ଲଗାଇଛନ୍ତି। ସେ କହିଛନ୍ତି, କାଶୀରେ ବଡି ଭୋର୍‌ରୁ ହିଁ ମନ୍ଦିରରେ ବୈଦିକ ପୂଜା ପାଠ କରାଯାଏ। ଏ ଅବସରରେ ହନୁମାନ ଚାଳିଶା ପାଠ ମଧ୍ୟ କରାଯାଏ। କିନ୍ତୁ ପ୍ରଶାସନର ଚାପ ଯୋଗୁ ଏସବୁ ଜିନିଷକୁ ବନ୍ଦ କରିଦିଆଯାଇଛି। କିନ୍ତୁ ଏବେ ସେ ପୁଣିଥରେ ଏହାକୁ ଆରମ୍ଭ କରିଛନ୍ତି।

ମହାରାଷ୍ଟ୍ରରୁ ଆରମ୍ଭ ହୋଇଛି ବିବାଦ:

ମହାରାଷ୍ଟ୍ର ନବନିର୍ମାଣ ସେନାର ପ୍ରମୁଖ ରାଜ୍‌ ଠାକ୍‌ରେ ଗତ କିଛି ଦିନ ତଳେ ଆଜାନ୍‌କୁ ନେଇ ହନୁମାନ ଚାଳିଶା ପାଠ କରିବାକୁ ଧମକ ଦେଇଥିଲେ। ସେ କହିଥିଲେ, ଯଦି ମୁସ୍‌ଲିମ୍‌ମାନେ ମାଇକ୍‌ ଲଗାଇ ଆଜାନ୍‌ ପଢ଼ିବେ ତେବେ ଆମେ ଲାଉଡ୍‌ ସ୍ପିକର ଲଗାଇ ହନୁମାନ ଚାଳିଶା ବଜାଇବୁ। ଏହା ପରଠାରୁ ମହାରାଷ୍ଟ୍ରର କେତେକ ସ୍ଥାନରେ ଆଜାନ୍‌ ସମୟରେ ଲାଉଡ୍‌ସ୍ପିକରରେ ହନୁମାନ ଚାଳିଶା ପାଠ କରାଯାଉଛି। ଏବେ ଏହି ବିବାଦ ଉତ୍ତର ପ୍ରଦେଶରେ ପହଞ୍ଚିଛି।

Also Read: ରଣବୀର-ଆଲିଆଙ୍କ ମେହେନ୍ଦି ସେରିମନି ଫଟୋ ସେୟାର କଲେ କରିସ୍ମା କପୁର, ଦେଖନ୍ତୁ କିଛି ଝଲକ୍‌