ବାବା ସିଦ୍ଦିକିଙ୍କୁ ଗୁଳି କରିବା ପରେ ଡାକ୍ତରଖାନାରେ ପହଞ୍ଚିଥିଲା ମୁଖ୍ୟ ଅଭିଯୁକ୍ତ, ମୃତ୍ୟୁ ହେଲା ନା ନାହିଁ ନେଇଥିଲା ଅପଡେଟ
ପୂର୍ବତନ ମନ୍ତ୍ରୀ ତଥା ଏନସିପି ନେତା ବାବା ସିଦ୍ଦିକିଙ୍କୁ ଗୁଳି କରିବା ପରେ ହସପିଟାଲ ଆଗରେ ୩୦ ମିନିଟ୍ ଅପେକ୍ଷା କରିଥିଲା ମୁଖ୍ୟ ଅଭିଯୁକ୍ତ । ପୋଲିସ ଆଗରେ ନିଜେ ସ୍ବୀକାର କରିଛି ମୁଖ୍ୟ ଅଭିଯୁକ୍ତ ସୁଟର ଶିବ କୁମାର ଗୌତମ । ସିଦ୍ଦିକିଙ୍କ ଗୁଳି ମାରିବା ପରେ ଅପଡେଟ ନେବା ପାଇଁ ହସପିଟାଲ ଯାଇଥିଲା ମୁଖ୍ୟ ଅଭିଯୁକ୍ତ ସୁଟର ଶିବ ।
ବାବା ସିଦ୍ଦିକି ହତା ମାମଲାରେ ସୁଟର ଶିବ କୁମାର ଗୌତମ ଏବେ ମୁମ୍ବାଇ ପୋଲିସ ହେପାଜତରେ ରହିଛି । ଜେରା ସମୟରେ ପୋଲିସ ଆଗରେ ଏନେଇ ସ୍ୱୀକାର କରିଛି ଶିବ କୁମାର । ପୋଲିସ କହିବା ଅନୁସାରେ, ହତ୍ୟା କରିବା ପରେ ତତକ୍ଷଣାତ୍ ଶାର୍ଟ ବଦଳାଇ ପୁଣି ଘଟଣା ସ୍ଥଳରେ ପହଞ୍ଚିଥିଲା ଶିବ କୁମାର । ସେଠାରେ କିଛି ସୂଚନା ନ ମିଳିବା ପରେ ହସପିଟାଲରେ ପହଞ୍ଚିଥିଲା । ସିଦ୍ଦିକିଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଶୁଣିବା ପରେ ସେଠାରୁ ଫେରାର୍ ହୋଇ ଯାଇଥିଲା ।
ଘଟଣା ସ୍ଥଳରୁ କିଛି ଦୂରରେ ଖାଲି କାର ଭିତରେ ଅସ୍ତ୍ରଶସ୍ତ୍ର ବ୍ୟାଗ ରଖିଥିଲା । ହସପିଟାଲରେ ସିଦ୍ଦିକର ମରିବା ଖବର ଶୁଣିବା ପରେ ଅଭିଯୁକ୍ତ କୁର୍ଲା ଏବଂ ସେଠାରୁ ଠାଣେ ଯାଇଥିଲା । ସେଠାରୁ ପୁଣେ ଯାଇ ଟ୍ରେନରେ ଗାଁକୁ ଚାଲିଯାଇଥିଲା । ବିଚ ରାସ୍ତାରେ ନିଜ ଫୋନ ଭାଙ୍ଗିଥିଲା ଆଉ ନୂଆ ଫୋନ କିଣିଥିଲା । ସେ ମଧ୍ୟପ୍ରଦେଶର ଓଁକାରେଶ୍ୱର ଚାଲି ଯାଇଥିଲେ । ସେଠାରେ ସେ ଗ୍ୟାଙ୍ଗର ଅନ୍ୟ ସଦସ୍ୟମାନଙ୍କୁ ଭେଟିଥିଲେ । ମୁମ୍ବାଇ ପୋଲିସ ତାଙ୍କୁ ଓଁକାରେଶ୍ୱରରେ ଟ୍ରାକ୍ କରିଥିଲା, ହେଲେ ଗିରଫ କରିବାରେ ସଫଳ ହୋଇ ନ ଥିଲା । ପରେ ପୋଲିସ ପାଖାପାଖି ୪୫ ଜଣଙ୍କୁ ଟ୍ରେସ୍ କରିଥିଲା । ଏହି ସମୟରେ ଅଭିଯୁକ୍ତଙ୍କ ପରିବାର ଲୋକଙ୍କ ସହ ଘନିଷ୍ଠଙ୍କ ଉପରେ ମଧ୍ୟ ନଜର ରଖିଥିଲା ପୋଲିସ ।
ସୂଚନାଯୋଗ୍ୟ, ଅକ୍ଟୋବର ୧୨ରେ ରାତି ୯ଟା ୧୦ ବେଳେ ମୁମ୍ବାଇର ବାନ୍ଦ୍ରାରେ ସିଦ୍ଦିକିଙ୍କୁ ଗୁଳି କରା ଯାଇଥିଲା । ୱାଇ ପ୍ଲସ୍ ସୁରକ୍ଷା ସହ ଜନ ଗହଳି ସତ୍ତ୍ୱେ ସିଦ୍ଦିକିଙ୍କ ଉପରକୁ ୬ ରାଉଣ୍ଡ ଗୁଳି କରିଥିଲେ ଦୁର୍ବୃତ୍ତ । ଏଥିରୁ ଦୁଇ ରାଉଣ୍ଡ ଗୁଳି ତାଙ୍କ ଛାତିରେ ବାଜିଥିଲା । ଏହାପରେ ତୁରନ୍ତ ତାଙ୍କୁ ଲିଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ତାଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁ ପାଇଁ ନିଜକୁ ଦାୟୀ କରିଥିଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ।