ବାବା ସିଦ୍ଦିକୀଙ୍କ ହତ୍ୟାକାଣ୍ଡ: ଲରେନ୍ସ ବିଷ୍ଣୋଇଙ୍କ ଭାଇ ଅନମୋଲଙ୍କ ସହ ଯୋଗାଯୋଗରେ ଥିଲେ ଶୁଟର !

ଏନସିପି ନେତା ବାବା ସିଦ୍ଦିକୀଙ୍କ ହତ୍ୟା ମାମଲାର ତଦନ୍ତ କରୁଥିବା ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ ଏକ ବଡ଼ ଖୁଲାସା କରିଛି । ସିଦ୍ଦିକୀଙ୍କୁ ମାରିଥିବା ଶୁଟରମାନେ ଲରେନ୍ସ ବିଷ୍ଣୋଇଙ୍କ ଭାଇ ଅନମୋଲଙ୍କ ସହ ସିଧାସଳଖ ଯୋଗାଯୋଗରେ ଥିଲେ । କ୍ରାଇମ୍ ବ୍ରାଞ୍ଚ ମୁତାବକ, ଅଭିଯୁକ୍ତମାନଙ୍କୁ ପଚରାଉଚରାରୁ ଏହି କଥା ଜଣାପଡ଼ିଛି । ଯଦିଓ ହତ୍ୟାର କାରଣ ଜଣାପଡ଼ି ନାହିଁ ।

କ୍ରାଇମ୍ ବ୍ରାଞ୍ଚ ସୂତ୍ରରୁ ପ୍ରକାଶ ଯେ ବାବା ସିଦ୍ଦିକୀଙ୍କୁ ମାରିଥିବା ଶୁଟରମାନେ ହତ୍ୟା ପୂର୍ବରୁ ଜେଲରେ ଥିବା ଗ୍ୟାଙ୍ଗଷ୍ଟର୍ ଲରେନ୍ସ ବିଷ୍ଣୋଇଙ୍କ ଭାଇ ଅନମୋଲଙ୍କ ସହ ମେସେଜିଂ ଆପ୍ ଜରିଆରେ କଥା ହୋଇଥିଲେ । ଅନମୋଲ ବିଷ୍ଣୋଇ ମଧ୍ୟ ଜଣେ ଶୁଟର ତଥା ଷଡ଼ଯନ୍ତ୍ରକାରୀ ପ୍ରବୀଣ ଲୋନକରଙ୍କ ସହ ଯୋଗାଯୋଗରେ ଥିଲେ ।

କାନାଡା ଏବଂ ଆମେରିକାର ଅଭିଯୁକ୍ତଙ୍କ ସହ ଅନମୋଲ ଯୋଗାଯୋଗ କରୁଥିଲେ । ଅଭିଯୁକ୍ତମାନଙ୍କ ପାଖରୁ ୪ ମୋବାଇଲ୍ ଫୋନ ଜବତ କରାଯାଇଛି । କ୍ରାଇମ୍ ବ୍ରାଞ୍ଚ ଟିମ୍ ବାବା ସିଦ୍ଦିକୀଙ୍କ ହତ୍ୟା ମାମଲାରେ ଏ ପର୍ଯ୍ୟନ୍ତ ୧୦ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରେ ୨ ଜଣ ଶୁଟରଙ୍କ ସହ ଅସ୍ତ୍ର ଯୋଗାଣକାରୀ ମଧ୍ୟ ଅଛନ୍ତି ।

ଏହି ମାମଲାରେ ଅନେକ ଅଭିଯୁକ୍ତ ଫେରାର ଅଛନ୍ତି । ଅଭିଯୁକ୍ତମାନେ ମେସେଜିଂ ଆପ୍ ଜରିଆରେ ପରସ୍ପର ସହ ଯୋଗାଯୋଗାରେ ଥିଲେ । ମେସେଜ ମାଧ୍ୟମରେ କିଛି ନିର୍ଦ୍ଦେଶ ମିଳିବା ପରେ ଏହାକୁ ସେମାନେ ତୁରନ୍ତ ଡିଲିଟ୍ କରିଦେଉଥିଲେ । ଏବେ କ୍ରାଇମ୍ ବ୍ରାଞ୍ଚ ଖୁବ୍ ଜଲଦି MCOCA ସମ୍ବନ୍ଧିତ ଧାରା ଏଥିରେ ଯୋଡ଼ିବାକୁ ପ୍ରସ୍ତୁତ ହେଉଛି । ଯାଞ୍ଚ ସମୟରେ ତଦନ୍ତକାରୀ ଟିମକୁ ଅନେକ ଆକାଉଣ୍ଟ ବିଷୟରେ ସୂଚନା ମିଳିଛି ।