ମା’ ବଦଳାଇଲେ ନାହିଁ ଡାଇପର ତ ଚାଲିଗଲା ୪ମାସ ଶିଶୁର ଜୀବନ, ଜାଣନ୍ତୁ ପୂରା ଘଟଣା

ଆମେରିକାରେ ରହୁଥିବା ଏକ ଦମ୍ପତିଙ୍କ ଉପରେ ନିଜ ୪ମାସର ଶିଶୁକୁ ହତ୍ଯାର ଆରୋପ ଲାଗିଛି। ତେବେ ଶିଶୁର ମୃତ୍ୟୁ ପଛରେ ରହିଛି ଏକ ଅଦ୍ଭୁତ କାରଣ, ଯାହା ସାଧାରଣତଃ କେହି ବିଶ୍ବାସ କରିପାରିବେ ନାହିଁ। ଗତ ବର୍ଷ ଅଗଷ୍ଟ ମାସରେ ଶିଶୁଟିର ମାତା-ପିତା ଏକ ସପ୍ତାହ ପର୍ଯ୍ଯନ୍ତ ଶିଶୁକୁ ଗୋଟିଏ ଡାଇପର ପିନ୍ଧାଇଥିଲେ। ସେଥିରେ ବହୁତ ମଳ ଏକାଠି ହୋଇଯାଇଥିଲା। ଯାହା ଫଳରେ ଶିଶୁଟି ସଂକ୍ରମଣର ଶିକାର ହୋଇଥିଲା ଏବଂ ସମସ୍ତ ପ୍ରଚେଷ୍ଠା ସତ୍ତ୍ବେ ମୃତ୍ୟୁ ବରଣ କରିଥିଲା। ଏହି ମାମଲାରେ ଦମ୍ପତିଙ୍କ ବିରୋଧରେ ଶିଶୁଟିର ଚିକିତ୍ସା ପାଇଁ ଆସିଥିବା ଡାକ୍ତରଖାନା ନର୍ସ ସାକ୍ଷୀ ଦେଇଛନ୍ତି। ଆସନ୍ତୁ ଜାଣିବା କଣ ରହିଥିଲା ସଂପୂର୍ଣ୍ଣ ଘଟଣା।
ଆମେରିକାର ଲୋବାରେ ରହୁଥିବା ୨୮ ବର୍ଷ ବୟସ୍କ ଜଚରୀ କୋହେନ୍ ଏବଂ ତାଙ୍କ ୨୦ ବର୍ଷୀୟ ପତ୍ନୀ ଚେଇନା ହେରୀସଙ୍କ ଚାରି ମାସର ଶିଶୁର ମୃତ୍ୟୁ ଶରୀର ୨୦୧୭ ମସିହା ଅଗଷ୍ଟରେ ତାଙ୍କ ଆପାର୍ଟମେଣ୍ଟରୁ ମିଳିଥିଲା। ତେବେ ସାକ୍ଷୀ ନର୍ସଙ୍କ ବୟାନ ମୁତାବକ, ୩୦ ଅଗଷ୍ଟରେ ଯେତେବେଳେ ସେ ଦମ୍ପତିଙ୍କ ଘରେ ପହଞ୍ଚିଥିଲେ ଶିଶୁଟି ଗୁରୁତର ଅବସ୍ଥାରେ ପଡ଼ି ରହିଥିଲା। ତାହାର ଆଖି ଖୋଲା ରହିଥିବା ବେଳେ ସେ କେବଳ ଗୋଟିଏ ଜାଗାକୁ ଅନବରତ ଚାହୁଁଥିଲା। ଯେତେବେଳେ ନର୍ସ କମ୍ବଳ ଉଠାଇ ଶିଶୁକୁ ଦେଖିଥିଲେ ସେଠାରୁ ବାହାରିଥିଲେ ବହୁତ ମଶା। ତେବେ ଏହି ଅବସ୍ଥାରେ ଶିଶୁଟିକୁ ଦେଖି ମଧ୍ୟ ତାଙ୍କ ପିତାମାତାଙ୍କର କୌଣସି ପ୍ରକାରର ପଶ୍ଚାତାପ ନଥିଲା।
କୋର୍ଟର ଶୁଣାଣି ସମୟରେ ଜଣାପଡ଼ିଥିଲା, ଶିଶୁଟି ସେହି କୋଠରୀରେ ଦୁଇ ସପ୍ତାହ ପଡ଼ି ରହିଥିଲା। ଏପରିକି ତାଙ୍କ ମାତା-ପିତା ତାଙ୍କ ଡାଇପର ମଧ୍ୟ ବଦଳାଇ ନଥିଲେ। ତେବେ ମମଲାର ଶୁଣାଣି ସମୟରେ ଜଣାପଡ଼ିଥିଲା ଶିଶୁଙ୍କ ମା ଦୈନିକ ନିୟମିତ ଡ୍ରଗ୍ସ ନେଉଥିଲେ। ତେବେ ଏପର୍ଯ୍ଯନ୍ତ ଏହି ମାମଲାର ଶୁଣାଣି ଚାଲୁ ରହିଛି।