ଜମ୍ମୁ: ରହସ୍ୟମୟ ରୋଗରେ ୧୭ ଜଣଙ୍କ ମୃତ୍ୟୁ ପରେ ଏହି ଗାଁ ‘କଣ୍ଟେନମେଣ୍ଟ’ ଜୋନ୍ ଘୋଷିତ

ଜମ୍ମୁ-କାଶ୍ମୀରର ରାଜୌରୀରେ ଆତଙ୍କ ଖେଳାଇଛି ଏକ ରହସ୍ୟମୟ ରୋଗ । ଏଥିରେ ଏ ପର୍ଯ୍ୟନ୍ତ ୧୭ ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ରାଜୌରୀ ଡିଭିଜନର ଉପାନ୍ତ ବଧାଲ ଗାଁରେ ଏହି ମୃତକମାନେ ହେଉଛନ୍ତି ତିନୋଟି ପରିବାରର ଲୋକ । ଏଭଳି ପରିସ୍ଥିତିରେ ସରକାର ସତର୍କତା ଅବଲମ୍ବନ କରି ପୂରା ଗାଁକୁ ‘କଣ୍ଟେନମେଣ୍ଟ’ ଜୋନ୍ ଘୋଷଣା କରିଦେଇଛନ୍ତି ।

‘କଣ୍ଟେନମେଣ୍ଟ’ ଜୋନ୍ ଘୋଷିତ ହେବା ପରେ ଏବେ ଗ୍ରାମବାସୀ କୌଣସି ବି ସାର୍ବଜନିକ କି ବ୍ୟକ୍ତିଗତ ସମାରୋହ ଆୟୋଜନ କରିପାରିବେ ନାହିଁ । ଏପରିକି, କୌଣସି କାର୍ଯ୍ୟକ୍ରମରେ ମଧ୍ୟ ଭାଗ ନେଇପାରିବେ ନାହିଁ । ଗାଁରେ ୧୭ ଜଣଙ୍କ ମୃତ୍ୟୁ ପରେ ଏବେ ଆଉ ଜଣେ ବ୍ୟକ୍ତି ଏହି ରୋଗରେ ପୀଡ଼ିତ ଅଛନ୍ତି ଏବଂ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ରାଜୌରୀର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ରାଜୀବ କୁମାର ଖଜୁରିଆ ଆଦେଶ ଜାରି କରି ଗାଁକୁ ତିନୋଟି ‘କଣ୍ଟେନମେଣ୍ଟ’ ଅଞ୍ଚଳରେ ବିଭକ୍ତ କରିଛନ୍ତି । ଯେଉଁମାନଙ୍କ ଘରେ ମୃତ୍ୟୁ ହୋଇଛି, ସେହି ପରିବାରକୁ ପ୍ରଥମ ଅଞ୍ଚଳରେ ରଖାଯାଇଛି । ଏହିପରି ରୋଗରେ ପ୍ରଭାବିତ ଲୋକଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି, ସେମାନେ ଦ୍ଵିତୀୟ କଣ୍ଟେନମେଣ୍ଟ ଜୋନରେ ଅଛନ୍ତି । ଏହି ଲୋକମାନଙ୍କ ଉପରେ କଡ଼ା ନଜର ରଖାଯାଇଛି । ଖୁବ୍ ଜଲଦି ସେମାନଙ୍କୁ ରାଜୌରୀର ସରକାରୀ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯିବ ।

ଏହା ବ୍ୟତୀତ ‘କଣ୍ଟେନମେଣ୍ଟ’ ଜୋନ୍-୩ ମଧ୍ୟ ଗଠନ କରାଯାଇଛି । ଏଥିରେ ବାକି ଘରଗୁଡ଼ିକୁ କଭର କରାଯିବ । ଏ ସମସ୍ତ ଜୋନରେ ରହୁଥିବା ଲୋକଙ୍କର ଖାଦ୍ୟ, ପାନୀୟ ଉପରେ ନଜର ରଖିବା ପାଇଁ କର୍ମଚାରୀ ମୁତୟନ ରହିବେ । ଆଦେଶକୁ ସମ୍ପୂର୍ଣ୍ଣ ରୂପେ ପାଳନ ପାଇଁ ପୋଲିସ କର୍ମଚାରୀ ମଧ୍ୟ ନିୟୋଜିତ ହେବେ ।

ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNS)ର ଧାରା ୧୬୩ ଅଧୀନରେ ଏହି ଗାଁକୁ ‘କଣ୍ଟେନମେଣ୍ଟ’ ଜୋନ୍ ଘୋଷଣା କରାଯାଇଛି । ଜରୁରୀକାଳୀନ ପରିସ୍ଥିତିରେ ଏହି ଧାରା ମାଜିଷ୍ଟ୍ରେଟଙ୍କୁ ଲିଖିତ ନିର୍ଦ୍ଦେଶ ପ୍ରଦାନ କରିବାର ଅଧିକାର ଦେଇଥାଏ ।

You might also like