ବହରାଇଚ: ମୂର୍ତ୍ତି ବିର୍ସଜନ ଶୋଭାଯାତ୍ରା ବେଳେ ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଉତ୍ତରପ୍ରଦେଶ ବହରାଇଚରେ ମୂର୍ତ୍ତି ବିର୍ସଜନ ଶୋଭାଯାତ୍ରା ବେଳେ ଯୁବକଙ୍କ ମୃତ୍ୟୁ ଏବେ ଉଗ୍ରରୂପ ନେଇଛି । ୨୨ ବର୍ଷୀୟ ଯୁବକଙ୍କ ମୃତ୍ୟୁ ପରେ ୫ ହଜାରରୁ ଅଧିକ ଲୋକ ମୃତଦେହ ଧରି ଛକରେ ଧାରଣା ଦେଇଛନ୍ତି । ଧାରଣା ଦେଇଥିବା ଲୋକ ହାତରେ ଲାଠି ଧରି ବସିଛନ୍ତି । ଯୁବକଙ୍କ ମୃତ୍ୟୁ ପରେ ଉତ୍ତେଜନା ବୃଦ୍ଧି ପାଇବା ପରେ ପୋଲିସ ପହଞ୍ଚି ୩୦ ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

ଖବର ମୁତାବକ, ଦଶହରା ସରିବା ପରେ ମୂର୍ତ୍ତି ବିର୍ସଜନ ପାଇଁ ବାହରାଇଚରେ ଭସାଣି ଚାଲିଥିଲା । ଏହି ସମୟରେ ମହରାଜଗଞ୍ଜ ବଜାର ନିକଟରେ କିଛି ଯୁବକ ଆସି ଗୀତ ବଜାଇବାକୁ ନେଇ ପାଟିତୁଣ୍ଡ କରିଥିଲେ । ଏହା ପରେ ଉଭୟ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । କିଛି ଲୋକ ଶୋଭାଯାତ୍ରାରେ ଯାଉଥିବା ଲୋକଙ୍କ ଉପରକୁ ପଥର ମାଡ଼ କରିବାରୁ ଅପରପକ୍ଷ ଲୋକେ ଆକ୍ରମଣ କରି ଗୁଳିମାଡ଼ ମଧ୍ୟ କରାଯାଇଥିଲେ । ଏଥିରେ ଜଣେ ୨୨ ବର୍ଷର ଯୁବକଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ୩୦ ଜଣଙ୍କୁ ଅଟକ ରଖିଥିଲା । ସିସିଟିଭି ଏବଂ ଭିଡିଓ ଫୁଟେଜକୁ ଆଧାର କରି ସଲମାନ ନାମକ ଜଣେ ଯୁବକଙ୍କୁ ଗିରଫ କରିଛି । ସେ ରାମ ଗୋପାଳଙ୍କୁ ଗୁଳି କରିଥିବା ଭିଡିଓ ସାମ୍ନାକୁ ଆସିବା ପରେ ପୋଲିସ ଗିରଫ କରିଛି ।

ଏବେ ବହରାଇଚରେ ପରିସ୍ଥିତି ଅଶାନ୍ତ ରହିଛି । ଘର, ଦୋକାନ ଏବଂ ଗାଡିରେ ନିଆଁ ଲଗାଇଛନ୍ତି ଉତ୍ତ୍ୟକ୍ତ ଲୋକେ । ତେବେ ସ୍ଥିତି ଉପରେ ନିୟନ୍ତ୍ରଣ ରହିଛି ବୋଲି ବହରାଇଚ ଏସପି ବୃନ୍ଦା ଶୁକ୍ଲା କହିଛନ୍ତି । ବହରାଇଚରେ ଇଣ୍ଟରନେଟକୁ ବନ୍ଦ କରାଯାଇଛି ।

ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିବା ସହ ଦୋଷୀଙ୍କୁ କୌଣସି ମତେ ଛଡ଼ାଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ଯେଉଁମାନେ ଜିଲ୍ଲାରେ ଶାନ୍ତି ଶୃଙ୍ଖଳାଙ୍କୁ ଭଙ୍ଗ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ । ସନ୍ଧ୍ୟା ସୁଦ୍ଧା ଘଟଣାର ରିପୋର୍ଟ ମାଗିଛନ୍ତି ମୁଖ୍ୟମନ୍ତ୍ରୀ ।

You might also like