ବିହାରର ସାରଣ ଜିଲ୍ଲାରେ ମଙ୍ଗଳବାର ରାତିରେ ଘଟିଛି ଏକ ବଡ଼ ଦୁର୍ଘଟଣା । ଏଠାରେ ଏକ ଟିଣ ଶେଡ୍ ବାଲକୋନୀ ଭୁଶୁଡ଼ି ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଅବସ୍ଥା ଗୁରୁତର ରହିଛି । ସୂଚନା ଅନୁଯାୟୀ, ଏଠାରେ ଇସୁଆପୁର ମେଳାରେ ଅର୍କେଷ୍ଟ୍ରା ଦେଖିବା ପାଇଁ ହଜାର ହଜାର ଲୋକଙ୍କ ଭିଡ଼ ଜମିଥିଲା । ଶହ ଶହ ଲୋକ ଟିଣ ଶେଡ୍ ବାଲକୋନୀରେ ବସି ଅର୍କେଷ୍ଟ୍ରା ଡ୍ୟାନ୍ସ ଦେଖୁଥିଲେ । ଏତିକି ବେଳେ ହଠାତ୍ ବାଲକୋନୀଟି ଭୁଶୁଡ଼ି ପଡ଼ିଥିଲା ।
ଶହ ଶହ ଲୋକ ବସିଥିବା ଏହି ବାଲକୋନୀ ତଳେ ଠିଆ ହୋଇଥିବା ଲୋକଙ୍କ ଉପରେ ଭୁଶୁଡ଼ି ପଡ଼ିଥିଲା । ଫଳରେ ଏଥିରେ ୧୦୦ରୁ ଊର୍ଦ୍ଧ୍ୱ ଲୋକ ଗୁରୁତର ଆହତ ହୋଇଥିଲେ । ଘଟଣାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଇସୁଆପୁର ମେଳାରେ ମହାବୀର ଆଖଡ଼ାରେ ଅର୍କେଷ୍ଟ୍ରା କାର୍ଯ୍ୟକ୍ରମ ଚାଲିଥିଲା । ମଞ୍ଚରେ ଝିଅମାନେ ଭୋଜପୁରୀ ଗୀତରେ ନାଚୁଥିଲେ । ଏହି ସମୟରେ ସେଠାରେ ହଜାର ହଜାର ଲୋକ ଏକତ୍ରିତ ହୋଇଥିଲେ । କିଛି ଲୋକଙ୍କୁ ତଳେ ଜାଗା ନ ମିଳିବାରୁ ସେମାନେ ଉପରେ ଆସି ଟିଣ ଶେଡ୍ ଉପରେ ବସିଥିଲେ । ହେଲେ ଲୋକଙ୍କ ସଂଖ୍ୟା ବଢ଼ିଯିବାରୁ ଶେଡ୍ଟି ଓଜନ ସମ୍ଭାଳି ନ ପାରି ଭୁୁଶୁଡ଼ି ପଡ଼ିଥିଲା । ଘଟଣା ଘଟିବା ବେଳେ ଲୋକମାନେ ଚିତ୍କାର କରିଥିଲେ । ତଳେ ଥିବା ଲୋକମାନେ ଗୁରୁତର ଆହତ ହୋଇଥିବା ସୂଚନା ରହିଛି । ସେମାନଙ୍କୁ ଇସୁଆପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।