ତାଲିବାନର ନୂଆ ଆଦେଶ! ଟିଭିରେ ପ୍ରସାରଣ ହେବ ନାହିଁ ଗୋଟିଏ ବି ମହିଳାକେନ୍ଦ୍ରିତ ଧାରାବାହିକ; କମେଡି କାର୍ଯ୍ୟକ୍ରମ ଉପରେ ବି ପ୍ରତିବନ୍ଧକ

ଆଫଗାନିସ୍ତାନରେ ଗତ ଅଗଷ୍ଟରେ ଯେବେଠାରୁ ତାଲିବାନ ଦେଶର ଶାସନ ଭାର ନିଜ ହାତକୁ ନେଇଛି, ସେବେଠାରୁ କେତେକ ନିୟମ ଜାରି କରି ଦେଇଛି। ଏବେ ତାଲିବାନ ଆଉ ଏକ ନିୟମ ଆଣିଛି, ଯେଉଁଥିରେ ଆଫଗାନିସ୍ତାନରେ ମହିଳାକେନ୍ଦ୍ରିତ ଧାରାବାହିକଗୁଡ଼ିକ ଟିଭିରେ ପ୍ରସାରଣ ହେବ ନାହିଁ। ଏହା ଉପରେ ତାଲିବାନ ରୋକ୍‌ ଲଗାଇ ଦେଇଛି। ସେହିପରି ମହିଳା ସାମ୍ବାଦିକଙ୍କ ପାଇଁ ମଧ୍ୟ ହିଜାବ ଅନିବାର୍ଯ୍ୟ କରି ଦିଆଯାଇଛି। ତାଲିବାନ ଟେଲିଭିଜନ ଚ୍ୟାନେଲଗୁଡ଼ିକୁ ମହିଳାଙ୍କ ଉପରେ ଆଧାରିତ କୌଣସି ବି ଧାରାବାହିକ ପ୍ରସାରଣ ନ କରିବାକୁ ଆଦେଶ ଦେଇଛି।

ତାଲିବାନ ମନ୍ତ୍ରାଳୟ ଦ୍ୱାରା ଜାରି ୮ ନୂଆ ପ୍ରତିବନ୍ଧକ ମଧ୍ୟରୁ ତାବିକ୍‌ ପ୍ରତିବନ୍ଧକ ଗୋଟିଏ। ଏହାର ଉଦ୍ଦେଶ୍ୟ ହେଉଛି ଧର୍ମର ପ୍ରସାର, ଅଧର୍ମ ଓ ମନ୍ଦତା ଉପରେ ରୋକ୍‌ ଲଗାଇବା ଏବଂ ସମାଜର ମୌଳିକ ନିୟମଗୁଡ଼ିକୁ ଉଲ୍ଲଂଘନ କରୁଥିବା ଲୋକଙ୍କ ଉପରେ କଡ଼ା ନଜର ରଖିବା। ନିଜର ଏହି ନୂଆ ନିୟମ ଉପରେ ଯୁକ୍ତି ବାଢ଼ିବାକୁ ଯାଇ ତାଲିବାନ କହିଛି, ଅନୈତିକ ଜିନିଷଗୁଡ଼ିକର ପ୍ରଚାର, ପ୍ରସାର ଉପରେ ରୋକ୍‌ ଲଗାଇବା ପାଇଁ ଏହି ନିର୍ଦ୍ଦେଶ ଜାରି କରାଯାଇଛି, ଯାହା ସରିଆ ଆଇନ ଏବଂ ତାଲିବାନର ନୀତି ବିରୁଦ୍ଧ ହୋଇଥାଏ।

ତାଲିବାନ କହିଛି ଯେ ବିଦେଶୀ ହେଉ କି ଆଞ୍ଚଳିକ ଫିଲ୍ମ, ଯାହା ଆଫଗାନିସ୍ତାନରେ ଅନୈତିକତା, ବିଦେଶୀ ସଂସ୍କୃତି ଏବଂ ପରମ୍ପରାକୁ ପ୍ରୋତ୍ସାହନ ଦେଉଛି, ତାହାକୁ ପ୍ରସାରଣ କରାଯିବା ଉଚିତ ନୁହେଁ। ଏହି ନିର୍ଦ୍ଦେଶ ଅନୁସାରେ, ଦେଶରେ ଏମିତି କମେଡି କାର୍ଯ୍ୟକ୍ରମ ଉପରେ ବି ରୋକ୍‌ ଲଗାଇ ଦିଆଯାଇଛି, ଯେଉଁଥିରେ କୌଣସି ମଣିଷକୁ ଅପମାନ କରାଯାଉଥିବ କିମ୍ବା ତାଙ୍କ ଗରିମାକୁ ଠୋସ୍‌ ପହଞ୍ଚା ଯାଉଥିବ। ଭଏସ୍‌ ଅଫ୍‌ ଆମେରିକା ମୁତାବକ, ମୋରାଲ ପୋଲିସିଙ୍ଗ୍‌ ଆଫଗାନିସ୍ତାନରେ ୧୯୯୬ରୁ ୨୦୦୧ ପର୍ଯ୍ୟନ୍ତ ଗତ ତାଲିବାନୀ ଶାସନ ସମୟରେ ଅସ୍ତିତ୍ୱକୁ ଆସିଥିଲା। ସେହି ସମୟରେ ତାଲିବାନ ମୌଳିକ ମାନବାଧିକାରଗୁଡ଼ିକୁ ଉଲ୍ଲଂଘନ କରିବା ଉପରେ ଏହି ପ୍ରକାର ପ୍ରତିବନ୍ଧକକୁ କଡ଼ାକଡ଼ି ଲାଗୁ କରିଥିଲା।

ସୂଚନାଥାଉ କି, ଆଫଗାନିସ୍ତାନରେ ୨୦ ବର୍ଷ ପରେ ପୁଣିଥରେ ତାଲିବାନ ଶାସନ ଆରମ୍ଭ ହୋଇଛି। ଗତ ଅଗଷ୍ଟ ୧୫ରେ ଆଫଗାନିସ୍ତାନକୁ ସମ୍ପୂର୍ଣ୍ଣ ରୂପେ କବ୍ଜା କରିଥିଲା ତାଲିବାନ। ତାଲିବାନର ହାତକୁ ଆସିବା ପରେ ଆଫଗାନିସ୍ତାନରେ ହାହାକାର ସ୍ଥିତି ସୃଷ୍ଟି ହୋଇଥିଲା। ଲୋକମାନଙ୍କର କାମ ଧନ୍ଦା ଠପ୍ ହୋଇ ଯିବାରୁ ଦେଶର ଆର୍ଥିକ ସ୍ଥିତି ମଧ୍ୟ ବିଗିଡ଼ି ଯାଇଥିଲା। ଏଭଳି ସ୍ଥିତିରେ ଲୋକଙ୍କ ପାଖରେ ଖାଇବାକୁ ବି ପଇସା ନ ଥିଲା। ଦେଶର ଲୋକମାନେ ଦେଶ ଛାଡ଼ି ଚାଲି ଯାଉଥିବା ଦେଖା ଯାଇଥିଲା। ଆମେରିକା ସେନା ଦେଶରେ ମୁତୟନ ଥିବା ଯାଏ ବିମାନ ଚଳାଚଳ ସ୍ୱାଭାବିକ ରହିଥିଲା। କିନ୍ତୁ ଅଗଷ୍ଟ ୩୧ରେ ଆମେରିକା ଆଫଗାନିସ୍ତାନ ଛାଡ଼ିବା ପରେ ସେଠାରେ ଲୋକମାନେ ଦେଶ ବାହାରକୁ ମଧ୍ୟ ବାହାରି ପାରି ନ ଥିଲେ। ଖାସ୍ କରି ଆଫଗାନିସ୍ତାନରେ ମହିଳାଙ୍କ ସ୍ଥିତି ଅଧିକ ଶୋଚନୀୟ ହୋଇ ପଡ଼ିଛି।

Leave A Reply

Your email address will not be published.