ଷ୍ଟେସନରେ ପ୍ଲାଟଫର୍ମ ଟିକେଟ୍ ବିକ୍ରି ବନ୍ଦ, କଟକଣାରୁ ବାଦ୍ ପଡିଲେ ଏମାନେ

ଦୀପାବଳି ଏବଂ ଛଟ ପୂଜାକୁ ଦୃଷ୍ଟିରେ ରଖି ନଭେମ୍ବର ୬ ଯାଏ ଦିଲ୍ଲୀର କେତେକ ପ୍ରମୁଖ ରେଳ ଷ୍ଟେସନରେ ପ୍ଲାଟଫର୍ମ ଟିକେଟ୍ ବିକ୍ରି ହେବ ନାହିଁ । ପାର୍ବଣ ପାଇଁ ଲୋକମାନେ ନିଜ ନିଜ ରାଜ୍ୟକୁ ଯାଉଥିବାରୁ ଷ୍ଟେସନରେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଏହି ନିୟମ ଲାଗୁ କରାଯାଇଛି । ନୂଆଦିଲ୍ଲୀ ରେଲୱେ ଷ୍ଟେସନ, ପୁରୁଣା ଦିଲ୍ଲୀ ରେଲୱେ ଷ୍ଟେସନ, ହଜରତ ନିଜାମୁଦ୍ଦିନ ଷ୍ଟେସନ, ଆନନ୍ଦ ବିହାର ରେଲୱେ ଷ୍ଟେସନ ଏବଂ ଗାଜିଆବାଦ ଷ୍ଟେସନ ପ୍ଲାଟଫର୍ମରେ ଟିକେଟ ବିକ୍ରି ଉପରେ ରୋକ ଲଗାଯାଇଛି ।

ଗତକାଲି ମୁମ୍ବାଇର ବାନ୍ଦ୍ରା ଟର୍ମିନସ୍ ରେଳ ଷ୍ଟେସନରେ ଦଳାଚକଟାରେ ୧୦ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିଲେ । ଏହାକୁ ଦୃଷ୍ଟିରେ ରଖି ଉତ୍ତର ରେଲୱେ ଏହି ନିଷ୍ପତ୍ତି ନେଇଛି । ଆସନ୍ତା ୬ ପର୍ଯ୍ୟନ୍ତ ପ୍ଲାଟଫର୍ମ ଟିକେଟ୍ ବିକ୍ରି ଉପରେ ରୋକ୍ ଲଗାଯାଇଛି ।

ଦୀପାବଳି ଅବସରରେ ଦେଶର ବିଭିନ୍ନ ରେଳ ଷ୍ଟେସନମାନଙ୍କରେ ଯାତ୍ରୀଙ୍କର ପ୍ରବଳ ଭିଡ଼ ହେବାର ସମ୍ଭାବନା ରହିଛି ।  ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିୟମ ଲାଗୁ କରାଯାଇଛି । ତଥାପି ବୃଦ୍ଧ, ପାଠ ପଢିନଥିବା ବ୍ୟକ୍ତି ଏବଂ ମହିଳା ଯାତ୍ରୀଙ୍କୁ ସାହାଯ୍ୟ କରିବା ପାଇଁ ଯଦି କେହି ପ୍ଲାଟଫର୍ମ ଟିକେଟ୍ ମାଗନ୍ତି, ତେବେ ତାଙ୍କୁ ମିଳିବ । ସେମାନଙ୍କୁ କଟକଣାରୁ ବାଦ୍ ଦିଆଯାଇଛି ବୋଲି କହିଛି ରେଲୱେ । ତେବେ ବରିଷ୍ଠ ନାଗରିକ ଓ ଜରୁରୀ ଚିକିତ୍ସା ସେବାର ଆବଶ୍ୟକତା ଥିବା ଲୋକଙ୍କ ପାଇଁ ଏହି କଟକଣା ଛାଡ଼ କରାଯାଇଛି । ପଶ୍ଚିମ ରେଳବାଇର ମୁମ୍ବାଇ ସେଣ୍ଟ୍ରାଲ, ଦାଦର, ବାନ୍ଦ୍ରା ଟର୍ମିନସ, ବୋରିଭାଲି, ଭାସାଇ, ଭାପି, ଭାଲସାଦ, ସୂରତ ଓ ଉଦ୍ଧନା ଷ୍ଟେସନରେ ଏହି କଟକଣା ଲାଗୁ କରାଯାଇଛି ।

ପ୍ରକାଶ ଥାଉକି, ଗତକାଲି ମୁମ୍ବାଇର ବାନ୍ଦ୍ରା ଟର୍ମିନସ୍ ରେଳ ଷ୍ଟେସନରେ ପ୍ରବଳ ଭିଡ଼ ହୋଇଥିଲା । ପାର୍ବଣ ଋତୁରେ ଲୋକମାନେ ନିଜ ନିଜ ସହରକୁ ଯାଉଥିବାରୁ ଷ୍ଟେସନରେ ଭିଡ଼ ହୋଇଥିଲା । ଫଳରେ ଦଳାଚକଟା ହୋଇ ୧୦ ଜଣ ଯାତ୍ରୀ ଆହତ ହୋଇଥିଲେ ।