ଏଥର ପଶ୍ଚିମବଙ୍ଗର ଦୁର୍ଗାପୂଜା ମାନ୍ଦା ! ଇଲିଶି ଖାଇପାରିବେନି ଲୋକେ, ହିଲ୍‌ସା ରପ୍ତାନି ବ୍ୟାନ୍‌ କଲା ବାଂଲାଦେଶ

ପଶ୍ଚିମବଙ୍ଗର ଦୁର୍ଗାପୂଜା ବିଶ୍ୱପ୍ରସିଦ୍ଧ । ଏଠାରେ ଧୁମ୍‌ଧାମରେ ମା’ ଦୁର୍ଗାଙ୍କ ପୂଜା କରାଯାଇଥାଏ । ଏହି ଦୁର୍ଗାପୂଜା ସମୟରେ ରାଜ୍ୟର ପ୍ରତ୍ୟେକ ବଙ୍ଗାଳି ଘରୁ ସୋରିଷ ତେଲରେ ଭଜା ହିଲ୍‌ସା ମାଛର ବାସ୍ନା ଆସିଥାଏ । କିନ୍ତୁ ଏଥର ଏହି ବାସ୍ନା ମାନ୍ଦା ପଡ଼ିପାରେ । କାରଣ, ବାଂଲାଦେଶରେ ଶେଖ୍‌ ହସିନା ସରକାରର ପତ୍ତନ ପରେ ସେଠାକାର ଅନ୍ତରୀଣ ସରକାର ହିଲ୍‌ସା ମାଛ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।

ପଶ୍ଚିମବଙ୍ଗର ଲୋକେ ହିଲ୍‌ସାକୁ ଇଲିଶି ନାମରେ ଜାଣନ୍ତି । ତେଣୁ ଏହି ପ୍ରତିବନ୍ଧକ ଯୋଗୁ ବର୍ତ୍ତମାନ ଦୁର୍ଗାପୂଜା ପୂର୍ବରୁ ବାଂଲାଦେଶୀ ଇଲିଶିର ଅଭାବ ଦେଖାଦେଇଛି ଏବଂ ଏହାର ମୂଲ୍ୟ ଆକାଶଛୁଆଁ ହୋଇଛି । ଯଦିଓ ପୂଜାର ଠିକ୍‌ ପୂର୍ବରୁ ବାଂଲାଦେଶର ପଦ୍ମା ନଦୀରେ ମିଳୁଥିବା ହିଲ୍‌ସାର ଉପଲବ୍ଧତା ବଢ଼ିଯିବାର ସମ୍ଭାବନା ରହିଛି, କିନ୍ତୁ ଏହାର ଦାମ୍‌ ବଜାରରେ ଅଧିକ ରହିବ ।

ପଶ୍ଚିମବଙ୍ଗରେ ଦୁର୍ଗାପୂଜା ସମୟରେ ବଙ୍ଗାଳି ଲୋକମାନେ ଖେଚୁଡ଼ି ସହିତ ଇଲିଶି ମାଛ ଖାଇବାକୁ ପସନ୍ଦ କରନ୍ତି । ପ୍ରତ୍ୟେକ ବର୍ଷ ବହୁ ମାତ୍ରାରେ ବାଂଲାଦେଶରୁ ଇଲିଶି ଆମଦାନୀ କରାଯାଇଥାଏ । ହେଲେ ଏଥର ବାଂଲାଦେଶରେ ବଡ଼ ରାଜନୈତିକ ପରିବର୍ତ୍ତନ ଘଟିଛି । ଦେଶର ଅନ୍ତରୀଣ ସରକାରଙ୍କର ଏହି ନିଷ୍ପତ୍ତି ଯୋଗୁ ଇଲିଶିପ୍ରେମୀଙ୍କ ଚିନ୍ତା ବଢ଼ିଯାଇଛି ।

ନିକଟ ଅତୀତରେ ବାଂଲାଦେଶରେ ହିଲ୍‌ସାର ଦାମ୍‌ ଆକାଶଛୁଆଁ ହୋଇପଡ଼ିଛି, ଯାହାକୁ ଦେଖି ସରକାର ୨୦୧୨ରୁ ୨୦୨୦ ପର୍ଯ୍ୟନ୍ତ ଏହାର ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଥିଲେ । କିନ୍ତୁ ଏହି ସମୟ ମଧ୍ୟରେ ଭାରତକୁ ହିଲ୍‌ସା ରପ୍ତାନିରେ କିଛିଟା ଆଶ୍ୱସ୍ତି ମିଳିଥିଲା ।

ବାଂଲାଦେଶର ମତ୍ସ୍ୟ ଏବଂ ପଶୁଧନ ମନ୍ତ୍ରଣାଳୟର ପରାମର୍ଶଦାତା ଫରିଦା ଅଖତର କହିଛନ୍ତି ଯେ ସ୍ଥାନୀୟ ଯୋଗାଣ ସୁନିଶ୍ଚିତ କରିବା ପାଇଁ ଭାରତକୁ ହିଲ୍‌ସା ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଯାଇଛି । କହି ରଖୁଛୁ, ବାଂଲାଦେଶ ବିଶ୍ୱର ପାଖାପାଖି ୭୦% ହିଲ୍‌ସା ଉତ୍ପାଦନ କରିଥାଏ । ଏହି ମାଛ ଦେଶର ଜାତୀୟ ମାଛ ରୂପେ ମଧ୍ୟ ମାନ୍ୟତା ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like