ବାଂଲାଦେଶରେ ଗଠନ ହେବ ଅନ୍ତରୀଣ ସରକାର, ଭାରତ-ବାଂଲାଦେଶ ସୀମାରେ ହାଇ ଆଲର୍ଟ ଜାରି କଲା ବିଏସଏଫ

ବାଂଲାଦେଶରେ ଗତ ମାସେ ହେଲାଣି ବିରୋଧ ଏବଂ ହିଂସା ଚାଲିଛି । ପରିସ୍ଥିତି ଅଣାୟତ୍ତ ଦେଖି ପ୍ରଧାନମନ୍ତ୍ରୀ ଶେଖ ହସିନା ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଶେଖ ହସିନା ଇସ୍ତଫା ଦେବା ପରେ ସେନା ମୁଖ୍ୟ ବଡ ଘୋଷଣା କରିଛନ୍ତି । ଦେଶରେ ଅନ୍ତରୀଣ ସରକାର ଚଲାଇବେ ବୋଲି ସେନା ମୁଖ୍ୟ ଜେନେରାଲ ୱାକର କହିଛନ୍ତି । ଏହାସହିତ ସେନା ମୁଖ୍ୟ ସର୍ବଦଳୀୟ ବୈଠକ ଡାକିଛନ୍ତି ।
ସେପଟେ ବିଏସଏଫ ପକ୍ଷରୁ ଭାରତ-ବାଂଲାଦେଶ ସୀମାରେ ହାଇ ଆଲର୍ଟ ଜାରି କରାଯାଇଛି । ବିଏସଏଫ ଡିଜି କୋଲକତାରେ ପହଞ୍ଚିଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଭାରତ ଏବଂ ବାଂଲାଦେଶ ସୀମା ୪,୦୯୬ କିମି ଲମ୍ବ ରହିଛି । ବିଏସଏଫ ପକ୍ଷରୁ ବର୍ଡରରେ ଆଲର୍ଟ ମୋଡରେ ରହିଛନ୍ତି । ଅତିରିକ୍ତ ସେନା ଏବଂ ବିଏସଏଫ ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖିଛନ୍ତି ।
ଗତ ମାସେ ହେଲାଣି ବାଂଲାଦେଶରେ ହିଂସା ଲାଗି ରହିଛି । ବାଂଲାଦେଶରେ ସ୍ଥିତି ଅଣାୟତ୍ତ ହେବା ଯୋଗୁଁ ପ୍ରଦର୍ଶନକାରୀ ପ୍ରଧାନମନ୍ତ୍ରୀଙ୍କ ଆବାସରେ ପଶିଥିଲେ । ପ୍ରଦର୍ଶନକାରୀ ଅନେକ ମୁଖ୍ୟ ରାସ୍ତା ମଧ୍ୟ ଅବରୋଧ କରିଛନ୍ତି । ହିଂସା ବିରୋଧ ପ୍ରଦର୍ଶନ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଇସ୍ତଫା ଦେଇ ନିଜ ଭଉଣୀ ସହିତ ଢାକାରୁ ଅଗରତାଲାରେ ପହଞ୍ଚିଥିବା ଖବର ମିଳିଛି ।
ବାଂଲାଦେଶ ରାଜଧାନୀ ଢାକା ସମେତ ଦେଶର ବିଭିନ୍ନ ସ୍ଥାନରେ ଅଶାନ୍ତି ଓ ହିଂସାକାଣ୍ଡ ଘଟିଛି । ୧୪ ପୋଲିସ କର୍ମଚାରୀଙ୍କ ସମେତ ୧୦୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ଶତାଧିକ ଆହତ ହୋଇଛନ୍ତି । ଭାରତ ସରକାର ଆଡଭାଇଜରି ଜାରି କରିଛି । ଭାରତୀୟଙ୍କୁ ଯାତ୍ରା କରିବାକୁ ବାରଣ କରାଯାଇଛି । ଅଳ୍ପ କିଛି ଦିନ ତଳେ ନିଯୁକ୍ତିରେ ସଂରକ୍ଷଣ ବିରୋଧରେ ଛାତ୍ର ଆନ୍ଦୋଳନରେ ୨ଶହରୁ ଅଧିକ ଜୀବନ ଯାଇଥିଲା ।
ବାଂଲାଦେଶରେ ହିଂସାର ମୂଳ କାରଣ ହେଉଛି ଲାଗୁ ହୋଇଥିବା ସଂରକ୍ଷଣ ବ୍ୟବସ୍ଥା । ଦେଶରେ ସରକାରୀ ଚାକିରିରେ ୩୦ ପ୍ରତିଶତ ସଂରକ୍ଷଣ ରହିଛି । ୧୯୭୧ ସ୍ୱାଧୀନତା ଆନ୍ଦୋଳନରେ ଯେଉଁମାନେ ସଂଗ୍ରାମୀ ଥିଲେ ସେମାନଙ୍କ ସମ୍ପର୍କୀୟଙ୍କ ପାଇଁ ଏହି ବ୍ୟବସ୍ଥା ରଖାଯାଇଛି, ଯାହାକୁ ପ୍ରତ୍ୟାହାର କରିବା ପାଇଁ ଦାବି କରୁଛନ୍ତି ବିଭିନ୍ନ ଛାତ୍ର ସଂଗଠନ । ଏହି ଦାବି ନେଇ ବିଭିନ୍ନ ଛାତ୍ର ସଂଗଠନ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।