ବାଂଲାଦେଶରେ ସ୍ଥିତି ଏବେ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି । ସଂରକ୍ଷଣକୁ ନେଇ ଦେଶରେ ବ୍ୟାପକ ହିଂସାକାଣ୍ଡ ଭିତରେ ଆହୁରି ଅଧିକ ଉଗ୍ର ହୋଇଉଠିଛନ୍ତି ଦଙ୍ଗାକାରୀ । ହଜାର ହଜାର ଦଙ୍ଗାକାରୀ ଏକାଠି ହୋଇ ପିଏମ୍ ହାଉସ୍ରେ ଉତ୍ପାତ କରିଛନ୍ତି । ଶେଖ୍ ହସିନାଙ୍କ ବାସଭବନରେ ପ୍ରବେଶ କରି ସେମାନେ ଲୁଟ୍ପାଟ କରିଛନ୍ତି । ଏହି ଲୁଟ୍ପାଟ ବେଳର କେତେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
କୌଣସି ଦେଶର ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏଭଳି ଉପଦ୍ରବ ଆଦୌ ସାଧାରଣ କଥା ହୋଇ ନ ଥିବା ବେଳେ ଭିଡିଓ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଏକ ଭିଡିଓରେ ଦେଖାଯାଉଛି, ଅନେକ ବିକ୍ଷୋଭକାରୀ ପିଏମ୍ ହାଉସ୍ ଭିତରେ ପ୍ରବେଶ କରି ସେଠାରୁ ଚୌକି, ଟେବୁଲ୍, ସୋଫା, ଲ୍ୟାମ୍ପ୍, ଦାମୀ ପଙ୍ଖା ଏବଂ ଅନ୍ୟାନ୍ୟ ଆସବାବପତ୍ର ଲୁଟି ନେଉଛନ୍ତି । ଆଉ କିଛି ଲୋକ ଗଛ, ଆର୍ଓ ପ୍ୟୁରିଫାୟାର, ଟିଭି, ଟ୍ରଲି ବ୍ୟାଗ୍, ଏସି, ଗଦି, ବାସନ ଆଦି ଲୁଟି ନେଉଛନ୍ତି ।
ଏହିପରି ଅନ୍ୟ ଏକ ଭିଡିଓରେ ଲୋକମାନେ ହସିନାଙ୍କ ଶାଢି, ଅନ୍ତଃବସ୍ତ୍ର ଏବଂ ବ୍ୟକ୍ତିଗତ ଜିନିଷ ନେଇ ଯାଉଥିବାର ଦେଖାଯାଉଛନ୍ତି । କିଏ ଉଦ୍ୟାନରୁ ବତକ ଲୁଟି ନେଇଛି ତ ଆଉ କିଏ ଛେଳି । ଆଶ୍ଚର୍ଯ୍ୟଜନକ କଥା, ଏ ସବୁ ଜିନିଷ ଲୁଟ୍ପାଟ କରି ଦଙ୍ଗାକାରୀମାନେ ବଡ଼ ଗର୍ବର ସହ ଫଟୋ ମଧ୍ୟ ଉଠାଇଥିଲେ । ଜଣେ ମହିଳାଙ୍କୁ ବି ଲୁଟ୍ ହୋଇଥିବା ଜିମ୍ ମେଶିନ୍ ବ୍ୟବହାର କରୁଥିବାର ଦେଖାଯାଇଥିଲା । ଜଣେ ବ୍ୟକ୍ତି ଶାଢି ପିନ୍ଧି ହାତରେ ଲୁଟ୍ ସାମଗ୍ରୀ ଧରିଥିବା ବେଳେ କିଏ ହସିନାଙ୍କ ବେଡ୍ରୁମ୍ରେ ପଶି ଲୁଟ୍ପାଟ କରିଥିଲା ।
କହି ରଖୁୁଛୁ ଯେ ହସିନାଙ୍କ ଘରେ ଲୁଟ୍ପାଟ ପରେ ଆଓ୍ଵାମୀ ଲିଗ୍ର ଅନେକ ସାଂସଦଙ୍କ ଘର, ଅଫିସ୍ ଉପରେ ମଧ୍ୟ ଆକ୍ରମଣ କରାଯାଇଛି । ଏପରି କି, ସେମାନଙ୍କ ଘରେ ନିଆଁ ମଧ୍ୟ ଲଗାଇ ଦିଆଯାଇଛି ।