ବାଂଲାଦେଶରେ ଉଗ୍ର ହେଉଛି ସଂରକ୍ଷଣ ବିରୋଧୀ ହିଂସା, ମୃତ୍ୟୁ ସଂଖ୍ୟା ୧୧୫ରେ ପହଞ୍ଚିଲାଣି

ବାଂଲାଦେଶ: ଜଳୁଛି ବାଂଲାଦେଶ । ଅଣାୟତ୍ତ ହେଉଛି ହିଂସା । ଦିନକୁ ଦିନ ଭୟଙ୍କର ରୂପ ନେଉଛି ଛାତ୍ର ଆନ୍ଦୋଳନ। ମୃତ୍ୟୁ ସଂଖ୍ୟା ୧୧୫ରେ ପହଞ୍ଚିଲାଣି । ସାରା ଦେଶରେ କର୍ଫ୍ୟୁ। ସରକାରୀ ଚାକିରିରେ ସଂରକ୍ଷଣକୁ ବିରୋଧ କରି ଚାଲିଥିବା ବିକ୍ଷୋଭ ଭୟଙ୍କର ହୋଇଛି । ବିକ୍ଷୋଭକାରୀଙ୍କୁ ଦେଖିବା ମାତ୍ରେ ଗୁଳି ମାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସଡ଼କରେ ପଇଁତାର ମାରୁଛି ସେନା । ମୁହାଁମୁହିଁ ହୋଇଛନ୍ତି ବିକ୍ଷୋଭକାରୀ ଛାତ୍ରଛାତ୍ରୀ ଓ ପୋଲିସ । ହିଂସା ଯୋଗୁ ଉଭୟ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ୧୧୫ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ୨୫ ଶହରୁ ଅଧିକ ଆହତ ହୋଇଛନ୍ତି । ହିଂସା ଯୋଗୁଁ ଦେଶବ୍ୟାପୀ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି ।
ମୋବାଇଲ୍ ଓ ଇଣ୍ଟରନେଟ ସେବା ବନ୍ଦ ରହିଛି । ଅନେକ ଅଫିସିଆଲ୍ ୱେବସାଇଟ୍ ଏପରିକି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ପୋଲିସ ୱେବସାଇଟକୁ ଏକ ଗ୍ରୁପ ହ୍ୟାକ୍ କରିଛନ୍ତି । ଏହି ସାଇଟ୍ ଗୁଡ଼ିକରେ ହ୍ୟାକର୍ସ ଲେଖିଛନ୍ତି ‘ଅପରେସନ୍ ହଣ୍ଟଡାଉନ୍, ଷ୍ଟପ୍ କିଲିଂ ଷ୍ଟୁଡେଣ୍ଟସ୍’ । ହିଂସା ବଢ଼ିବା ପରେ ପ୍ରାୟ ୧ ହଜାର ଭାରତୀୟ ଛାତ୍ର ବାଂଲାଦେଶ ଛାଡ଼ି ସ୍ବଦେଶ ଫେରି ଆସିଛନ୍ତି । ପ୍ରୟ ୨୦୦ ଛାତ୍ରଛାତ୍ରୀ ବିମାନ ଯୋଗେ ଫେରିଥିବା ବେଳେ ୭୭୦ରୁ ଅଧିକ ଲୋକ ସ୍ଥଳପଥ ଦେଇ ଭାରତ ଫେରିଛନ୍ତି । ୧୩ ଜଣ ନେପାଳୀ ଛାତ୍ରଙ୍କ ଫେରିବାକୁ ପାଇଁ ମଧ୍ୟ ଭାରତୀୟ ହାଇ କମିଶନ ସୁବିଧା କରିଥିଲେ ।
ଏବେ ବି ୪ହଜାର ଛାତ୍ର ବିଭିନ୍ନ ୟୁନିଭର୍ସିଟିରେ ଫସି ରହିଛନ୍ତି । ତେବେ ଛାତ୍ରଙ୍କୁ ମିଶାଇ ବାଂଲାଦେଶରେ ପ୍ରାୟ ୧୫ ହଜାର ଭାରତୀୟ ଅଛନ୍ତି । ସେମାନଙ୍କ ସୁରକ୍ଷା ଉପରେ ନଜର ରଖାଯାଇଥିବା କହିଛି ବୈଦେଶିକ ବିଭାଗ । ସୀମା ଉପରେ କଡ଼ା ନଜର ରଖିଛି ଭାରତୀୟ ସୁରକ୍ଷା ବାହିନୀ । ସେପଟେ କୋଲକାତା- ଢାକା ରେଳ ସେବାକୁ ସାମୟିକ ଭାବେ ବନ୍ଦ ରଖାଯାଇଛି ।