ବାଂଲାଦେଶରେ ଅରାଜକତା ସ୍ଥିତି, କର୍ଫ୍ୟୁ ଜାରି ରହିବା ସହ ଇଣ୍ଟରନେଟ ସେବା ବନ୍ଦ

ନୂଆଦିଲ୍ଲୀ : ଶେଖ ହସିନାଙ୍କ ୧୫ ବର୍ଷର ରାଜୁତି ଶେଷ । ବାଂଲାଦେଶରେ ଅରାଜକତା ସ୍ଥିତି । ପ୍ରବଳ ଚାପ ପରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଶେଖ ହସିନା। ଦେଶରେ ହିଂସାର ନିଆଁ ଜଳିବା ବେଳେ ଢାକା ଛାଡ଼ି ଭାରତ ପଳାଇ ଆସିଛନ୍ତି । ଭାରତରୁ ଲଣ୍ଡନ ଯାଇପାରନ୍ତି ଶେଖ ହସିନା । ୪୮ ଘଣ୍ଟା ମଧ୍ୟରେ ବାଂଲାଦେଶରେ ନୂଆ ସରକାର ଗଠନ ହେବ । ହସିନାଙ୍କ ଇସ୍ତଫା ନେଇ ବାଂଲାଦେଶ ଆର୍ମୀ ଚିଫ୍ ଜେନେରାଲ ୱାକର-ଉଜ୍-ଜମାନ ସ୍ପଷ୍ଟ କରିଛନ୍ତି । ଦେଶରେ ଶାନ୍ତି ଫେରାଇ ଆଣିବାକୁ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି । ସମସ୍ତ ରାଜନୈତିକ ଦଳଙ୍କ ସହ ଆଲୋଚନା କରିଛନ୍ତି । ରାଷ୍ଟ୍ରପତିଙ୍କ ସହ ଆଲୋଚନା ପରେ ଅନ୍ତରୀଣ ସରକାର ଗଠନ ହେବ ବୋଲି ସୂଚନା ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ପଦରୁ ଶେଖ ହସିନାଙ୍କ ଇସ୍ତଫା ଦାବିରେ ବାଂଲାଦେଶରେ ସାନି ହିଂସା ସୃଷ୍ଟି ହୋଇଥିଲା । ଗୋଟିଏ ଦିନରେ ୧୪ ପୋଲିସ କର୍ମଚାରୀଙ୍କ ସମେତ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା । ପୂରା ଦେଶରେ ଅରାଜକତା ବ୍ୟାପି ଯାଇଥିଲା । ପରିସ୍ଥିତି ଅସମ୍ଭାଳ ହୋଇଥିଲା । ତୁରନ୍ତ ଦେଶ ଛାଡ଼ି ପଳାଇବାକୁ ତାଙ୍କ ସୁରକ୍ଷାକର୍ମୀ ପରାମର୍ଶ ଦେଇଥିଲେ । ପ୍ରସ୍ତୁତ ହେବାକୁ ମଧ୍ୟ ସମୟ ପାଇନଥିଲେ ହସିନା । ଇସ୍ତଫା ଦେଇ ହେଲିକପ୍ଟରରେ ଢାକା ଛାଡ଼ିଥିଲେ । ପଦ ଛାଡ଼ିବାକୁ ହସିନାଙ୍କୁ ୪୫ ମିନିଟର ଅଲଟିମେଟମ ଦେଇଥିଲା ବାଂଲାଦେଶ ଆର୍ମୀ । ଏପଟେ ବାଂଲାଦେଶ ସ୍ଥିତି ଉପରେ ନଜର ରଖିଛି ଭାରତ । ବାଂଲାଦେଶରେ ହିଂସା ଓ ରାଜନୈତିକ ଅସ୍ଥିରତାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସ୍ଥିତ ବାଂଲାଦେଶ ହାଇକମିଶନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। କର୍ଫ୍ୟୁ ଜାରି ରହିବା ସହ ଇଣ୍ଟରନେଟ ସେବା ବନ୍ଦ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.