ଦୁର୍ଗାପୂଜା ପୂର୍ବରୁ ହିଲ୍‌ସା ଉପରୁ ପ୍ରତିବନ୍ଧକ ହଟାଇଲା ବାଂଲାଦେଶ, ଭାରତକୁ ପଠାଇବ ୩୦୦୦ ଟନ୍‌ ଇଲିଶି ମାଛ

ଭାରତକୁ ୩୦୦୦ ଟନ୍ ଇଲିଶି ପଠାଇବ ବାଂଲାଦେଶ । ପଶ୍ଚିମବଙ୍ଗରେ ହିନ୍ଦୁମାନଙ୍କର ସବୁଠାରୁ ବଡ଼ ପର୍ବ ଦୁର୍ଗାପୂଜା ପୂର୍ବରୁ ବାଂଲାଦେଶ ସରକାର ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଦେଶର ଅନ୍ତରୀଣ ୟୁନୁସ ସରକାର ଭାରତର ଚାହିଦା ପୂରଣ ପାଇଁ ୩୦୦୦ ଟନ୍ ହିଲସା ମାଛ (ଇଲିଶି) ରପ୍ତାନି କରିବାକୁ ଅନୁମୋଦନ କରିଛନ୍ତି ।

ଶେଖ ହସିନା ସରକାର ଯିବା ପରେ ବାଂଲାଦେଶର ଅନ୍ତରୀଣ ସରକାର ଭାରତରେ ଦୁର୍ଗାପୂଜା ପୂର୍ବରୁ ହିଲସା ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇ ଦେଇଥିଲେ । ବର୍ତ୍ତମାନ ସରକାର ଏହି ପ୍ରତିବନ୍ଧକ ହଟାଇ ଭାରତକୁ ହିଲସା ରପ୍ତାନିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ।

ଆସନ୍ତା ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ବାଂଲାଦେଶର ବାଣିଜ୍ୟ ମନ୍ତ୍ରଣାଳୟ ଭାରତକୁ ୩୦୦୦ ଟନ୍ ହିଲସା ମାଛ ରପ୍ତାନି କରିବାକୁ ଅନୁମୋଦନ କରିଛି । ଏହା ପୂର୍ବରୁ ୨୦୨୩ରେ ବାଂଲାଦେଶ ଭାରତକୁ ୫୦୦୦ ଟନ୍ ହିଲସା ମାଛ ରପ୍ତାନି କରିଥିଲା ।

କହି ରଖୁଛୁ କି, ପଶ୍ଚିମବଙ୍ଗର ଦୁର୍ଗାପୂଜା ବିଶ୍ୱପ୍ରସିଦ୍ଧ । ଏଠାରେ ଧୁମ୍‌ଧାମରେ ମା’ ଦୁର୍ଗାଙ୍କ ପୂଜା କରାଯାଇଥାଏ । ଏହି ଦୁର୍ଗାପୂଜା ସମୟରେ ରାଜ୍ୟର ପ୍ରତ୍ୟେକ ବଙ୍ଗାଳି ଘରୁ ସୋରିଷ ତେଲରେ ଭଜା ହିଲ୍‌ସା ମାଛର ବାସ୍ନା ଆସିଥାଏ ।

ପଶ୍ଚିମବଙ୍ଗର ଲୋକେ ହିଲ୍‌ସାକୁ ଇଲିଶି ନାମରେ ଜାଣନ୍ତି । ଦୁର୍ଗାପୂଜା ସମୟରେ ବଙ୍ଗାଳି ଲୋକମାନେ ଖେଚୁଡ଼ି ସହିତ ଇଲିଶି ମାଛ ଖାଇବାକୁ ପସନ୍ଦ କରନ୍ତି । ପ୍ରତ୍ୟେକ ବର୍ଷ ବହୁ ମାତ୍ରାରେ ବାଂଲାଦେଶରୁ ଇଲିଶି ଆମଦାନୀ କରାଯାଇଥାଏ ।

କିନ୍ତୁ ବାଂଲାଦେଶରେ ଶେଖ୍‌ ହସିନା ସରକାରର ପତ୍ତନ ପରେ ସେଠାକାର ଅନ୍ତରୀଣ ସରକାର ହିଲ୍‌ସା ମାଛ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଦେଶର ଅନ୍ତରୀଣ ସରକାରଙ୍କର ଏହି ନିଷ୍ପତ୍ତି ଯୋଗୁ ଇଲିଶିପ୍ରେମୀଙ୍କ ଚିନ୍ତା ବଢ଼ିଯାଇଥିଲା ।

ସୂଚନାଯୋଗ୍ୟ ଯେ ବାଂଲାଦେଶ ବିଶ୍ୱର ପାଖାପାଖି ୭୦% ହିଲ୍‌ସା ଉତ୍ପାଦନ କରିଥାଏ । ଏହି ମାଛ ଦେଶର ଜାତୀୟ ମାଛ ରୂପେ ମଧ୍ୟ ମାନ୍ୟତା ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like