ବାଂଲାଦେଶ ରାଜଧାନୀ ଢାକା ସମେତ ଦେଶର ବିଭିନ୍ନ ସ୍ଥାନରେ ଅଶାନ୍ତି ଓ ହିଂସାକାଣ୍ଡ ଘଟିଛି । ୧୪ ପୋଲିସ କର୍ମଚାରୀଙ୍କ ସମେତ ୧୦୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ଶତାଧିକ ଆହତ ହୋଇଛନ୍ତି । ଏହାକୁ ନେଇ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ଦାବି ହେଉଛି ।
ଖବର ମୁତାବକ, ଇସ୍କନ ଏବଂ କାଳୀ ମନ୍ଦିର ସହିତ ହିନ୍ଦୁଙ୍କ ଘରେ ଆକ୍ରମଣ ହେଉଛି । ଏଥିପାଇଁ ଭାରତ ସରକାର ଆଡଭାଇଜରି ଜାରି କରିଛି । ଭାରତୀୟଙ୍କୁ ଯାତ୍ରା କରିବାକୁ ବାରଣ କରାଯାଇଛି । ଅଳ୍ପ କିଛି ଦିନ ତଳେ ନିଯୁକ୍ତିରେ ସଂରକ୍ଷଣ ବିରୋଧରେ ଛାତ୍ର ଆନ୍ଦୋଳନରେ ୨ଶହରୁ ଅଧିକ ଜୀବନ ଯାଇଥିଲା । ତେବେ ଗତକାଲି ପୁଣି ଅଧିକାଂଶ ଛାତ୍ର ସଂଗଠନ ଏବଂ ପ୍ରମୁଖ ବିରୋଧ ଦଳ BNP ସମର୍ଥିତ ସଂଗଠନ ଗୁଡ଼ିକ ପକ୍ଷରୁ ଅସହଯୋଗ ଆନ୍ଦୋଳନ କରାଯାଇଥିଲା । ଏହି ହିଂସାକାଣ୍ଡରେ ବର୍ତ୍ତମାନ ସୁଦ୍ଧା ୧୦୦ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୧୪ ଜଣ ପୋଲିସ କର୍ମୀ ରହିଛନ୍ତି ।
ଶେଖ୍ ହାସିନାଙ୍କ ତତ୍କାଳ ଇସ୍ତଫା ଦାବିରେ ଲୋକଙ୍କୁ କାର୍ଯ୍ୟବନ୍ଦ ଆନ୍ଦୋଳନ ସହିତ ଅଫିସ୍, ହସ୍ପିଟାଲ, ଦୋକାନ ବଜାର ଆଦି ବନ୍ଦ ରଖିବାକୁ ଡାକରା ଦିଆଯାଇଥିଲା । ଏଥିସହ ବିଭିନ୍ନ ଅଫିସ୍ ଭଙ୍ଗାରୁଜା ସହିତ ଗାଡ଼ି ଜାଳିଦିଆଯାଇଥିବା ମଧ୍ୟ ଦେଖିବାକୁ ମିଳିଛି । ବାଂଲାଦେଶରେ ଇଣ୍ଟରନେଟ ଏବଂ ମୋବାଇଲ ନେଟଓ୍ଵାର୍କ ବନ୍ଦ ରହିଛି । ସମଗ୍ର ଦେଶରେ କର୍ଫ୍ୟୁ ଲାଗୁ ହୋଇଛି ।
ବାଂଲାଦେଶରେ ରହୁଥିବା ଭାରତୀୟ ବିଶେଷ କରି ଭାରତୀୟ ଛାତ୍ରଛାତ୍ରୀଙ୍କୁ ସିଲହଟ୍ ସ୍ଥିତ କାର୍ଯ୍ୟାଳୟ ସହିତ ସମ୍ପର୍କରେ ରହିବାକୁ ପରାମର୍ଶ ଦିଆଯାଇଛି । ଭାରତୀୟ ଛାତ୍ରଛାତ୍ରୀଙ୍କୁ ଯୋଗାଯୋଗ କରିବା ପାଇଁ ଜରୁରୀକାଳିନ ଫୋନ ନମ୍ବର ଜାରି କରାଯାଇଛି । ସରକାରୀ ଚାକିରିରେ ସଂରକ୍ଷଣକୁ ନେଇ ସରକାରଙ୍କ ବିରୋଧରେ ଜାରି ରହିଥିବା ବିରୋଧ ବାଂଲାଦେଶ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଥମିଥିଲା ।