ଶେଖ ହସିନାଙ୍କୁ ଫେରାଅ… ଭାରତ ସରକାରଙ୍କୁ ଦାବି କଲା ବାଂଲାଦେଶ
ବାଂଲାଦେଶ ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପ୍ରତ୍ୟାର୍ପଣ କରିବାକୁ ଭାରତ ସରକାରଙ୍କୁ ଦାବି କରିଛନ୍ତି । ବାଂଲାଦେଶର ବୈଦେଶିକ ମନ୍ତ୍ରଣାଳୟର ପରାମର୍ଶଦାତା ଡ. ତୌହିଦ ହୁସୈନ ଆଜି ମିଡିଆ ସହିତ କଥା ହେବା ବେଳେ କହିଛନ୍ତି, ବାଂଲାଦେଶ ଭାରତ ସରକାରଙ୍କୁ ଏକ ‘ନୋଟ୍ ବର୍ବଲ’ (ରାଜନ୍ୟାୟିକ ସନ୍ଦେଶ)ପଠାଇଛନ୍ତି । ଯେଉଁଥିରେ ଦେଶରେ ନ୍ୟାୟିକ ପ୍ରକ୍ରିୟାକୁ ସାମ୍ନା କରିବାକୁ ହସିନାଙ୍କୁ ପ୍ରତ୍ୟାର୍ପଣ କରିବାକୁ ଦାବି କରାଯାଇଛି ।
ବାଂଲାଦେଶରେ ହୋଇଥିବା ହିଂସା ଯୋଗୁଁ ୭୭ ବର୍ଷୀୟ ହସିନା ୫ ଅଗଷ୍ଟରେ ଭାରତକୁ ଆସିଥିଲେ । ସେ ସେବେଠାରୁ ଭାରତରେ ରହୁଛନ୍ତି । ଢାକା ସ୍ଥିତ ଅନ୍ତର୍ରାଷ୍ଟ୍ରୀୟ ଅପରାଧ ନ୍ୟାୟାଧିକରଣ(ICT) ହସିନା, ଅନେକ ପୂର୍ବ କ୍ୟାବିନେଟ ମନ୍ତ୍ରୀ, ପରାମର୍ଶଦାତା ଏବଂ ସେନା ଅଧିକାରୀଙ୍କ ବିପକ୍ଷରେ ‘ମାନବତା ବିପକ୍ଷରେ ଅପରାଧ ଏବଂ ନରସଂହାର’ ପାଇଁ ଗିରଫ ୱାରେଣ୍ଟ ଜାରି କରାଯାଇଛି ।
ଏହି ମାମଲାରେ ଡ. ତୌହିଦ ହୁସୈନ କହିଛନ୍ତି, ଆମେ ଭାରତ ସରକାରଙ୍କ ଏକ ‘ନୋଟ୍ ବର୍ବଲ’ ଚିଠି ପଠାଇଛୁ । ଯେଉଁଥିରେ ବାଂଲାଦେଶର ନ୍ୟାୟିକ ପ୍ରକ୍ରିୟା ପାଇଁ ହସିନାଙ୍କୁ ଚାହୁଁଛୁ ।
ସୂଚନାଯୋଗ୍ୟ, ବାଂଲାଦେଶ ରାଜଧାନୀ ଢାକା ସମେତ ଦେଶର ବିଭିନ୍ନ ସ୍ଥାନରେ ଅଶାନ୍ତି ଓ ହିଂସାକାଣ୍ଡ ଘଟିଥିଲା । ୧୪ ପୋଲିସ କର୍ମଚାରୀଙ୍କ ସମେତ ୧୦୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ଶତାଧିକ ଆହତ ହୋଇଥିଲେ । ନିଯୁକ୍ତିରେ ସଂରକ୍ଷଣ ବିରୋଧରେ ଛାତ୍ର ଆନ୍ଦୋଳନରେ ୨ଶହରୁ ଅଧିକ ଜୀବନ ଯାଇଥିଲା । ବାଂଲାଦେଶ ଇତିହାସରେ ହସିନା ହେଉଛନ୍ତି ବିଶ୍ୱର ପ୍ରଥମ ନାରୀ ନେତ୍ରୀ, ଯିଏକି ଅଧିକ ସମୟ ଏକ ସରକାରର ମୁଖ୍ୟ ଭାବେ ଦାୟିତ୍ୱ ନିଭାଇଛନ୍ତି ।