ସ୍ତ୍ରୀ ଦିଅ ଲୋନ୍ ନିଅ ! ଚାଷୀଙ୍କୁ ବ୍ଯାଙ୍କ୍ ମ୍ୟାନେଜରଙ୍କ ସର୍ତ୍ତ
ମୁମ୍ବାଇ : ମହିଳାଙ୍କ ପ୍ରତି ଦେଶରେ ଆଇନ ପ୍ରସ୍ତୁତ ହେଉଥିବା ବେଳେ ତାଙ୍କ ସମ୍ବନ୍ଧୀୟ ଅପରାଧ ମଧ୍ୟ ବଢ଼ିବାରେ ଲାଗିଛି। ନିକଟରେ ମହାରାଷ୍ଟ୍ରର ବୁଲଢ଼ାଡ଼ା ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଜଣେ ଚାଷୀ ଲୋନ ପାଇଁ ଆବେଦନ କରିବାରୁ ସେ ପ୍ରଥମେ ତାଙ୍କ ସ୍ତ୍ରୀଙ୍କ ସହ ରାତି ବିତାଇବା ସର୍ତ୍ତ ରଖିଥିଲେ ବ୍ୟାଙ୍କ ମ୍ୟାନେଜର । ଯାହାଫଳରେ ଚାଷୀଙ୍କ ପତ୍ନୀଙ୍କ ଅଭିଯୋଗ କ୍ରମେ ବର୍ତ୍ତମାନ ସ୍ଥାନୀୟ ପୁଲିସ ମ୍ୟାନେଜରକୁ ଗିରଫ କରିବା ସହ ମାମଲାଟିର ତଦନ୍ତ ଚଳାଇଛି।
ପୁଲିସ ସୂଚନା ଅନୁଯାୟୀ , ବୁଲଢ଼ାଡା ସ୍ଥିତ ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ ଇଣ୍ଡିଆର ମ୍ୟାନେଜର ରାଜେଶ ହିବାସୀଙ୍କ ନିକଟକୁ ଚାଷ ନିମନ୍ତେ ଲୋନ ଆବେଦନ କରିବା ପାଇଁ ପହଞ୍ଚିଥିଲେ ଚାଷୀ ଦମ୍ପତି। କିନ୍ତୁ ଅଭିଯୁକ୍ତ ମ୍ୟାନେଜର ଜଣଙ୍କ କାଗଜପତ୍ର ଦେଖିବା ପରେ ଚାଷୀ ଜଣଙ୍କୁ ଫୋନ କରି ରାତିରେ ତାଙ୍କ ସ୍ତ୍ରୀଙ୍କୁ ପଠାଇବା ପାଇଁ କହିଥିଲେ । ମ୍ୟାନେଜର ଜଣଙ୍କ ଲୋନ ବଦଳରେ ମହିଳାଙ୍କ ସହ ଶାରୀରିକ ସଂପର୍କ ରଖିବା ପାଇଁ ଦାବି କରିଥିଲେ ।
ଯାହାପରେ ପୀଡ଼ିତା ମହିଳା ଜଣଙ୍କ ଏହାର ଅଭିଯୋଗ ପୁଲିସ ନିକଟରେ କରିବା ସହ ଫୋନ କଥାବାର୍ତ୍ତାର ରେକଡିଂ ପୁଲିସକୁ ପ୍ରମାଣ ସ୍ବରୁପ ଦେଇଥିଲେ । ଘଟଣା ବିଷୟରେ ଜଣା ପଡ଼ିବା ପରେ ଚାଷୀସଂଘ ପକ୍ଷରୁ ଆନ୍ଦୋଳନ ତଥା ବିକ୍ଷୋଭ କରାଯାଇଥିଲା । ଏଣୁ ବର୍ତ୍ତମାନ ମ୍ୟାନେଜରକୁ ଜେରା ଘଟଣାଟିର ତଦନ୍ତ ଚଳାଇଛି ସ୍ଥାନୀୟ ପୁଲିସ ।