ନିର୍ଭୟା ଦୋଷୀଙ୍କ ଓକିଲଙ୍କୁ ୨୫ ହଜାର ଟଙ୍କା ଜରିମାନା, ପୁଣି କାରଣ ଦର୍ଶାଅ ନୋଟିସ୍‌ ଜାରି

ନୂଆଦିଲ୍ଲୀ : ନିର୍ଭୟା ମାମଲାରେ ଦୋଷୀ ସାବ୍ୟସ୍ତଙ୍କ ପକ୍ଷରୁ ଲଢୁଥିବା ଓକିଲଙ୍କୁ ଜରିମାନା । ତାଙ୍କ ଉପରେ ୨୫ ହଜାର ଟଙ୍କାର ଅର୍ଥଦଣ୍ଡ ଲଗା ଯାଇଛି । ସୂଚନା ଅନୁଯାୟୀ, ନିର୍ଭୟା ମାମଲାର ଶୁଣାଣି ବେଳେ ଓକିଲ ଏ.ପି. ସିଂହ ଅଦାଲତରେ ହାଜର ନହେବା କାରଣରୁ ତାଙ୍କ ଉପରେ ଦିଲ୍ଲୀ ହାଇକୋର୍ଟ ଏହି ଦଣ୍ଡ ଲଗାଇଛନ୍ତି । ଦିଲ୍ଲୀ ବାର କାଉନସିଲର ଅଧ୍ୟକ୍ଷ କେ.ସି. ମିତ୍ତଲ କହିଛନ୍ତି ଯେ ଶୁକ୍ରବାର ଦିନ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେବା ପରେ ଶନିବାର ଦିନ ବାର୍‌ କାଉନସିଲ୍‌ ପକ୍ଷରୁ ଏ.ପି. ସିଂହଙ୍କୁ ନୋଟିସ୍‌ ଜାରି କରାଯାଇଛି । ତାଙ୍କୁ ଜବାବ ରଖିବା ପାଇଁ ଦୁଇ ସପ୍ତାହ ସମୟ ଦିଆଯାଇଛି ।
ପୂର୍ବରୁ ନିର୍ଭୟା ମାମଲାର ଶୁଣାଣି ବେଳେ ଅନେକଥର ଦୋଷୀଙ୍କ ଓକିଲ ଏ.ପି. ସିଂହ ହାଇକୋର୍ଟରେ ଅନୁପସ୍ଥିତ ରହିଛନ୍ତି । ଏଥିରେ ବିଚାରପତି ଖୁବ୍‌ ବିରକ୍ତି ପ୍ରକାଶ କରିବା ସହ ସେ ଜାଣିଶୁଣି ଦୋଷୀଙ୍କ ଦଣ୍ଡ ତାରିଖକୁ ଘୁଞ୍ଚାଉଥିବା ମଧ୍ୟ ଅଭିଯୋଗ କରିଥିଲେ । ଏମିତିକି ଓକିଲ ଅଦାଲତ ସହିତ ଲୁଚକାଳି ଖେଳୁଛନ୍ତି ବୋଲି କୋର୍ଟ କହିଛନ୍ତି । ଖାଲି ସେତିକି ନୁହେଁ ଅଦାଲତଙ୍କୁ ଭୁଆଁ ବୁଲାଇବା ଅଭିଯୋଗ ମଧ୍ୟ ତାଙ୍କ ବିରୋଧରେ ଆସିପାରେ । ଯେମିତିକି ପବନ ସିଂହ ନିର୍ଭୟା କାଣ୍ଡ ବେଳେ ନାବାଳକ ଥିଲା ବୋଲି ତାଙ୍କ ପକ୍ଷରୁ କୋର୍ଟରେ ଆବେଦନ କରାଯାଇଥିଲା ।

Leave A Reply

Your email address will not be published.