ଟେକ୍ସାସ୍‌ରେ ବଡ଼ ମାଲ୍‌ବାହୀ ନୌକା ଦୁର୍ଘଟଣା, ବ୍ରିଜ୍‌ ସହ ଧକ୍କା ପରେ ନଦୀରେ ବୋହିଗଲା ୨୦୦୦ ଗ୍ୟାଲନ୍‌ ତେଲ

ଆମେରିକାର ଟେକ୍ସାସ୍‌ର ଗାଲଭେଷ୍ଟନ୍ ନିକଟରେ ଏକ ବଡ଼ ବାର୍ଜ (ମାଲ୍‌ବାହୀ ନୌକା) ଦୁର୍ଘଟଣା ଘଟିଛି । ଏଠାରେ ଇନ୍ଧନ ନେଇ ଯାଉଥିବା ଏକ ବାର୍ଜ ବ୍ରିଜ୍‌ ସହିତ ଧକ୍କା ହେବା ଫଳରେ ୨,୦୦୦ ଗ୍ୟାଲନ୍ ତେଲ ପାଣିରେ ବୋହିଯାଇଛି ।

ଆମେରିକାର ଟେକ୍ସାସ୍‌ର ଗାଲଭେଷ୍ଟନ୍ ନିକଟରେ ଏକ ବଡ଼ ବାର୍ଜ (ମାଲ୍‌ବାହୀ ନୌକା) ଦୁର୍ଘଟଣା ଘଟିଛି । ଏଠାରେ ଇନ୍ଧନ ନେଇ ଯାଉଥିବା ଏକ ବାର୍ଜ ବ୍ରିଜ୍‌ ସହିତ ଧକ୍କା ହେବା ଫଳରେ ୨,୦୦୦ ଗ୍ୟାଲନ୍ ତେଲ ପାଣିରେ ବୋହିଯାଇଛି । ଏଥିରେ ବ୍ରିଜ୍‌ଟି କ୍ଷତିଗ୍ରସ୍ତ ହୋଇଛି, ଯଦ୍ଦ୍ଵାରା ପେଲିକାନ୍‌ ଦ୍ୱୀପ ପର୍ଯ୍ୟନ୍ତ ଯିବାର ଏକମାତ୍ର ରାସ୍ତା ବନ୍ଦ ହୋଇଯାଇଛି ।

ଗାଲଭେଷ୍ଟନ୍‌ର ଜରୁରୀକାଳୀନ ପରିଚାଳନା କାର୍ଯ୍ୟାଳୟର ରନି ଭରେଲା କହିଛନ୍ତି ଯେ ସକାଳ ପ୍ରାୟ ୯ଟା ୩୦ରେ ଏହି ଦୁର୍ଘଟଣା ଘଟିଛି । ଏଠାରେ ଗାଲଭେଷ୍ଟନ୍‌ର ଠିକ୍‌ ଉତ୍ତରରେ ଅବସ୍ଥିତ ପେଲିକାନ୍‌ ଦ୍ୱୀପ ପର୍ଯ୍ୟନ୍ତ ସଂଯୋଗ ବ୍ରିଜ୍‌କୁ ଏକ ବାର୍ଜ ଜୋର୍‌ଦାର ଧକ୍କା ଦେଇଥିଲା । ଏହି ଘଟଣାରେ କେହି ମୃତାହତ ହେବାର ଖବର ନାହିଁ । ଭରେଲା କହିଛନ୍ତି, ଧକ୍କା ଯୋଗୁ ତେଲ ନିର୍ଗତ ହୋଇଛି । ଚାଳକ ଦଳର ସଦସ୍ୟମାନେ ଏହାକୁ ସଫା କରୁଛନ୍ତି ।

ସୂଚନା ମୁତାବକ, ବୁଧବାର ପେଲିକାନ୍ ଆଇଲାଣ୍ଡ କଜ୍‌ୱେ ବ୍ରିଜ୍‌ର ଏକ ସ୍ତମ୍ଭ ସହିତ ବାର୍ଜ ଜୋର୍‌ରେ ଧକ୍କା ହୋଇଥିଲା । ଫଳରେ ବ୍ରିଜ୍‌ଟି ଆଶିଂକ ଭୁଶୁଡି ପଡିଛି । ଏଥିସହ ଗାଲଭେଷ୍ଟନ୍‌କୁ ପେଲିକାନ୍‌ ଦ୍ୱୀପ ସହିତ ସଂଯୋଗ କରୁଥିବା ଏକମାତ୍ର ସଡ଼କ ପଥ ଭାଙ୍ଗି ଯାଇଛି ।

ରାସ୍ତା ଭାଙ୍ଗିଯିବା ଫଳରେ ଯାନବାହନ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି । ସେପଟେ ନଦୀରେ ୨,୦୦୦ ଗ୍ୟାଲନ୍ ତେଲ ଢାଳିଯିବା ହେତୁ ଜଳଜୀବମାନଙ୍କ ଜୀବନ ପ୍ରତି ମଧ୍ୟ ବିପଦ ଦେଖାଦେଇଛି । ରିଲିଫ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ‘ମାର୍ଟିନ ମେରାଇନ୍‌’ର ଉପାଧ୍ୟକ୍ଷ ରିକ୍ ଫ୍ରିଡ୍ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଏହି ମାଲ୍‌ବାହୀ ନୌକାରେ ୩୦,୦୦୦ ବ୍ୟାରେଲ୍ ତୈଳ ରଖିବାର କ୍ଷମତା ରହିଛି, ଯେତେବେଳେ ଏହା ବ୍ରିଜ୍‌ ସହିତ ଧକ୍କା ହୋଇଥିଲା, ସେଥିରେ ୨୩,୦୦୦ ବ୍ୟାରେଲ୍ ତେଲ ଥିଲା ।

କୋଷ୍ଟଗାର୍ଡର କ୍ୟାପଟେନ କିଥ୍‌ ଡୋନୋହୁ କହିଛନ୍ତି, ଆମେ ୬୦୫ ଗ୍ୟାଲନ୍‌ରୁ ଅଧିକ ତୈଳାକ୍ତ ପାଣିକୁ ବାହାର କରି ଦେଇଛୁ । ଏହା ସହିତ ନୌକା ଉପରୁ ଅତିରିକ୍ତ ୫,୬୪୦ ଗ୍ୟାଲନ୍ ତୈଳାକ୍ତ ଉତ୍ପାଦ ଉଦ୍ଧାର କରାଯାଇଛି, ଯାହା ପାଣି ଭିତରକୁ ଯାଇ ନ ଥିଲା ।

Leave A Reply

Your email address will not be published.