ବିବାହରେ ମଦ ଓ DJକୁ କରନ୍ତୁ ବାଏ ବାଏ, ମିଳିବ ୨୧ ହଜାର ଟଙ୍କା ପୁରସ୍କାର ରାଶି । ଏମିତି ଏକ ନିଆରା ଘୋଷଣା କରିଛି ପଞ୍ଜାବର ବଠିଣ୍ଡା ପଞ୍ଚାୟତ । ଏଠାରେ ବିନା ମଦ ଓ ଡିଜେରେ ବିବାହ ଆୟୋଜନ କଲେ ପରିବାରକୁ ୨୧ ହଜାର ଟଙ୍କା ପୁରସ୍କାର ରାଶି ଦିଆଯିବ । ଏ ସମ୍ପର୍କରେ ସୂଚନା ଦେଇ ବଲ୍ଲୋ ଗାଁର ସରପଞ୍ଚ ଅମରଜିତ୍ କୌର କହିଛନ୍ତି, ଲୋକେ ବିବାହ ସମାରୋହରେ ଅଯଥା ଟଙ୍କା ଅପଚୟ କରୁଛନ୍ତି । ଏଭଳି ଖର୍ଚ୍ଚ ଏବଂ ମଦ୍ୟପାନକୁ ରୋକିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ।
ସେ କହିଛନ୍ତି ଯେ ସାଧାରଣତଃ ବିବାହ ସମାରୋହରେ ଯେଉଁଠି ମଦ ପରସାଯାଏ, ସେଠାକାର ମାହୋଲ ଖରାପ ହୋଇଯାଏ । ବେଳେବେଳେ ଝଗଡ଼ା ମଧ୍ୟ ସୃଷ୍ଟି ହୁଏ । ଏତିକି ନୁହେଁ, ବିବାହରେ ଡିଜେ ବଜାଇବା ଦ୍ୱାରା ବିଦ୍ୟାର୍ଥୀମାନଙ୍କ ପାଠପଢ଼ାରେ ମଧ୍ୟ ବାଧା ଉପୁଜିଥାଏ ।
ବିବାହ ସମାରୋହରେ ଲୋକମାନେ ଅଯଥା ଖର୍ଚ୍ଚ ନ କରିବା ପାଇଁ ଆମେ ଚେଷ୍ଟା କରୁଛୁ । ଏହାଦ୍ୱାରା ଲୋକମାନଙ୍କର ଆର୍ଥିକ କ୍ଷତି ହେଉଛି । ପଞ୍ଚାୟତ ଏକ ସଂକଳ୍ପ ପାରିତ କରିଛି । ଏହା ଅଧୀନରେ ଯଦି କୌଣସି ପରିବାର ବିବାହ ସମାରୋହରେ ମଦ ନ ପରସନ୍ତି ଏବଂ ଡିଜେ ନ ବଜାନ୍ତି, ସେହି ପରିବାରକୁ ୨୧ ହଜାର ଟଙ୍କା ପୁରସ୍କାର ଦିଆଯିବ ।
ପଞ୍ଚାୟତ ଗାଁରେ ଏକ ଷ୍ଟାଡିୟମ୍ ନିର୍ମାଣ କରିବା ପାଇଁ ସରକାରଙ୍କ ନିକଟରେ ଦାବି କରିଛି, ଯାହା ଦ୍ୱାରା ଯୁବପିଢ଼ିଙ୍କର ଖେଳ ପ୍ରତି ଆଗ୍ରହ ବଢ଼ିବ ବୋଲି ସରପଞ୍ଚ କହିଛନ୍ତି । ସେ କହିଛନ୍ତି, ଷ୍ଟାଡିୟମ୍ ନିର୍ମାଣ ହେଲେ ଗାଁରେ ବିଭିନ୍ନ ପ୍ରକାରର କ୍ରୀଡା ଆୟୋଜନ ହୋଇପାରିବ । ଏହା ସହିତ ଗାଁରେ ବାୟୋଗ୍ୟାସ୍ ପ୍ଲାଣ୍ଟ ସ୍ଥାପନ କରିବାକୁ ମଧ୍ୟ ପଞ୍ଚାୟତ ପ୍ରସ୍ତାବ ଦେଇଛି । ଜୈବିକ ଚାଷ କରିଥିବା କୃଷକମାନଙ୍କୁ ମାଗଣା ବୀଜ ପ୍ରଦାନ କରାଯିବ ବୋଲି ସରପଞ୍ଚ ଅମରଜିତ୍ କୌର କହିଛନ୍ତି ।