ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଅଜିତ୍‌ ପାଓ୍ଵାରଙ୍କୁ ଝଟ୍‌କା, ଦଳ ଛାଡ଼ିଲେ ୪ ବରିଷ୍ଠ ନେତା

ମହାରାଷ୍ଟ୍ରର ପିମ୍ପରି-ଚିଞ୍ଚଓ୍ଵାଡ଼ରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (NCP)ରୁ ଇସ୍ତଫା ଦେଇଛନ୍ତି ୪ ବରିଷ୍ଠ ନେତା । ନିକଟରେ ହୋଇଥିବା ଲୋକସଭା ନିର୍ବାଚନରେ ଖରାପ ପ୍ରଦର୍ଶନ ପରେ ଅଜିତ୍‌ ପାଓ୍ଵାରଙ୍କ ନେତୃତ୍ୱାଧୀନ ଦଳ ପାଇଁ ଏହା ବହୁତ ବଡ଼ ଝଟ୍‌କା ପ୍ରମାଣିତ ହୋଇଛି । କୁହାଯାଉଛି ଯେ ଏହି ୪ ଜଣ ନେତା ଚଳିତ ସପ୍ତାହ ଶେଷରେ ଶରଦ ପାଓ୍ଵାରଙ୍କ ନେତୃତ୍ୱାଧୀନ ଦଳରେ ମିଶିପାରନ୍ତି ।

ସୋମବାର ଇସ୍ତଫା ଦେବା ପରେ ୪ ନେତା ଶରଦ ପାଓ୍ଵାରଙ୍କ ଆଶୀର୍ବାଦ ନେବାକୁ ଯିବେ । ସେମାନେ ହେଲେ, ଏନ୍‌ସିପି ପିମ୍ପରି-ଚିଞ୍ଚଓ୍ଵାଡ଼ ୟୁନିଟ୍‌ର ମୁଖ୍ୟ ଅଜିତ୍‌ ଗହ୍ଵାଣେ, ରାହୁଲ ଭୋସଲେ, ୟଶ ସାନେ ଓ ପଙ୍କଜ ଭାଲେକର । ଅଜିତ୍‌ ଗହ୍ଵାଣେ କହିଛନ୍ତି ଯେ ଆମେ ଏକାଠି କିଛି ନିଷ୍ପତ୍ତି ନେବୁ । ମୋ ସହ ରାହୁଲ ଭୋସଲେ, ୟଶ ସାନେ ଓ ପଙ୍କଜ ଭାଲେକର ମଧ୍ୟ ଇସ୍ତଫା ଦେଇଛନ୍ତି ।

ସେ କହିଛନ୍ତି, ଯଦି ଆପଣ ପିମ୍ପରି-ଚିଞ୍ଚଓ୍ଵାଡ଼ ସହରକୁ ଦେଖନ୍ତି, ଏହାର ବିକାଶ ବହୁତ ଭଲ ଭାବରେ ହୋଇଥିଲା ଏବଂ ଏଥିରେ ଅଜିତ ପାୱାରଙ୍କର ଏକ ବଡ଼ ଅବଦାନ ଥିଲା । କିନ୍ତୁ ୨୦୧୭ରୁ ବିଜେପି PCMC (ପିମ୍ପରି-ଚିଞ୍ଚଓ୍ଵାଡ଼ ନଗର ନିଗମ) କବ୍‌ଜା କରିବା ଆରମ୍ଭ କଲା ଏବଂ ସେହି ଦିନଠାରୁ ବିକାଶ ଭୁଲ ଢଙ୍ଗରେ ହେଉଛି । ଯଦି ଆପଣ ଅନ୍ୟ ନିର୍ବାଚନମଣ୍ଡଳୀକୁ ଦେଖିବେ, ସେଠି ଯେଉଁ ପ୍ରକାରର ବିକାଶ ହୋଇଛି, ସେଥିରୁ ଜଣାପଡ଼ୁଛି ଯେ ଏହିଠାରେ ଦୁର୍ନୀତି ହୋଇଛି ।

You might also like