ବେଙ୍ଗାଳୁରୁ ହତ୍ୟା : ମହାଲକ୍ଷ୍ମୀଙ୍କୁ ମାରି ୫୯ ଖଣ୍ଡ କରିଥିଲା ହତ୍ୟାକାରୀ, ଓଡିଶାରେ ଜୀବନ ହାରିଲା ଅଭିଯୁକ୍ତ

ବେଙ୍ଗାଳୁରୁ : ବେଙ୍ଗାଳୁରୁ ମହାଲକ୍ଷ୍ମୀ ବୀଭତ୍ସ ହତ୍ୟାରେ ଚାଞ୍ଚଲ୍ୟ । ଓଡିଶାରେ ଜୀବନ ହାରିଲା ହତ୍ୟାକାରୀ ମୁକ୍ତିରଞ୍ଜନ ରାୟ । ଭଦ୍ରକ ଜିଲ୍ଲା ଆରଡ଼ି ଫାଣ୍ଡି ଅଞ୍ଚଳର ଭୂଇଁପୁର ଗାଁରେ ଜୀବନ ହାରିଛି । ରଶି ଲଗାଇ ନିଜ ଜୀବନ ହାରିଛି ମୁକ୍ତିରଞ୍ଜନ । ଆଉ ପାଖରୁ ସୁଇସାଇଡ ନୋଟ ମିଳିଛି । ଏଥିରେ ମହାଲକ୍ଷ୍ମୀଙ୍କୁ ହାଣି ହତ୍ୟା କରିଥିବା ସ୍ବୀକାର କରିଛି ଅଭିଯୁକ୍ତ । ମହାଲକ୍ଷ୍ମୀ ହତ୍ୟା ମାମଲାର ତଦନ୍ତ ପାଇଁ ବେଙ୍ଗାଳୁରୁ ପୋଲିସ ଗାଁରେ ପହଞ୍ଚିବା ପୂର୍ବରୁ ମୁକ୍ତିରଞ୍ଜନର ମୃତ୍ୟୁ ହୋଇସାରିଥିଲା । ବେଙ୍ଗାଳୁରୁ ପୋଲିସ ଏହି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।

ସେପଟେ ଧୁଶୁରୀ ପୋଲିସ ଭୁଇଁପୁର୍ ଗାଁରେ ପହଞ୍ଚି ମୃତ ମୁକ୍ତିରଞ୍ଜନର ବାପା ମାଆକୁ ପଚରା ଉଚରା କରି ଫେରିଛି । ତଦନ୍ତ ପରେ ପୋଲିସ କହିଛି ମୁକ୍ତିରଞ୍ଜନର ହାତ ଲେଖା ନୋଟ ଜବତ ହୋଇଛି, ବେଙ୍ଗାଳୁରୁ ପୋଲିସ ଆସୁଛି ତଦନ୍ତ ପରେ ସବୁ ସତ ଜଣାପଡ଼ିବ। ଗାଁରେ ପହଞ୍ଚି ଅଧିକ ତଦନ୍ତ କରିବ ପୋଲିସ। ବାଲେଶ୍ୱର ଓ ଭଦ୍ରକରେ ମୁକ୍ତିରଞ୍ଜନଙ୍କୁ ଟ୍ରାକ କରିଥିଲା ବେଙ୍ଗାଳୁରୁ ପୋଲିସ ।

ଗତ ଶନିବାର ରାତିରେ ମହାଲକ୍ଷ୍ମୀ ହତ୍ୟାର ପର୍ଦ୍ଦାଫାସ ହୋଇଥିଲା । ଭାୟାଲିକାଲ ପୋଲିସ ଷ୍ଟେସନ ଅଞ୍ଚଳର ଭିରନ୍ନା ରୋଡ୍ ରେ ଘଟିଥିଲା ଏହି ଜଘନ୍ୟ ହତ୍ୟାକାଣ୍ଡ । ଏକ ତିନି ମହଲା କୋଠାର ପ୍ରଥମ ମହଲାରେ ଏକୁଟିଆ ରହୁଥିବା ମହାଲକ୍ଷ୍ମୀଙ୍କୁ ହତ୍ୟା କରାଯିବା ପରେ ଅଭିଯୁକ୍ତ ତାଙ୍କ ମୃତଦେହକୁ ୫୯ ଖଣ୍ଡ କରି ଘରେ ଥିବା ଫ୍ରିଜରେ ରଖିଦେଇଥିଲା । ଘରୁ ଦୁର୍ଗନ୍ଧ ଆସିବା ପରେ ଏହି ହତ୍ୟାକାଣ୍ଡର ଖୁଲାସା ହୋଇଥିଲା । ଏହି ହତ୍ୟାକାଣ୍ଡ ୬-୭ ଦିନ ତଳର ବୋଲି ଅନୁମାନ କରାଯାଇଥିଲା । ୨୬ ବର୍ଷିୟ ମହାଲକ୍ଷ୍ମୀ ଏକ ମଲ୍ ରେ କାମ କରୁଥିବା ବେଳେ ଘରେ ଏକୁଟିଆ ରହୁଥିଲେ । ଘଟଣାର ୯ ମାସ ପୂର୍ବରୁ ମହାଲକ୍ଷ୍ମୀ ତାଙ୍କ ସ୍ବାମୀଙ୍କୁ ଛାଡି ବେଙ୍ଗାଳୁରୁ ଚାଲି ଆସିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like