ଭଗତ ସିଂହଙ୍କ ନାଁରେ ହେବ ଛକ, ପାକିସ୍ତାନରେ

ନୂଆଦିଲ୍ଲୀ : ପ୍ରତି ବର୍ଷ ସେପଟେମ୍ବର ୨୮ ତାରିଖ ଆସିଲେ ତାର କିଛି ଦିନ ପୂର୍ବରୁ ଆରମ୍ଭ ହୋଇଯାଏ ଚର୍ଚ୍ଚା । ଚର୍ଚ୍ଚା ହୁଏ ସହିଦ ଭଗତ ସିଂହଙ୍କୁ ନେଇ । ତାହା ପୁଣି ପାକିସ୍ତାନରେ । ଭାରତୀୟ ସ୍ବାଧୀନତା ସଂଗ୍ରାମର ସବୁଠୁ ସାହସୀ ଯୋଦ୍ଧା ଭଗତ ସିଂହଙ୍କର ଜନ୍ମ ଦିନ ହେଉଛି ସେପଟେମ୍ବର ୨୮ରେ । ୮୭ ବର୍ଷ ପୂର୍ବରୁ ୧୯୩୧ ମାର୍ଚ୍ଚ ୨୩ ତାରିଖରେ ଲାହୋର ଜେଲରେ ଭଗତ ସିଂହ ଓ ତାକ ସାଥୀ ରାଜଗୁରୁ ଓ ସୁଖଦେବଙ୍କୁ ବ୍ରିଟିଶ ସରକାର ଫାଶିରେ ଝୁଲାଇ ଦେଇଥିଲେ । ଏହି ସ୍ଥାନଟି ଏବେ ପାକିସ୍ତାନରେ । ଯାହା ରାସ୍ତାରେ ପରିଣତ ହୋଇଛି । ସେହି ଛକର ନାଁ ହେଉଛି ଶାଦମାନ ଚୌରାହ । ଏହାକୁ ଭଗତ ସିଂହ ନାମରେ ନାମିତ କରିବା ଲାଗି ଦୀର୍ଘ ବର୍ଷ ହେଲା ଉଦ୍ୟମ ଚାଲିଛି । ହେଲେ ବିରୋଧ ଯୋଗୁଁ ହୋଇ ପାରୁନାହିଁ । ଏଥର କିନ୍ତୁ ଲାହୋର କୋର୍ଟ ଏଥିପାଇଁ ଅନୁମତି ଦେଇଛନ୍ତି ।

Shadman-Square-Bhagat-Singh-Chowk

ଭଗତ ସିଂହ ମେମୋରିଆଲ ଫାଉଣ୍ଡେସନ୍ ପକ୍ଷରୁ ଏହାର ଅଧ୍ୟକ୍ଷ ଇମତିଆଜ ରସିଦ କୁରେସିଙ୍କ ଆଦେନ ଉପରେ ଶୁଣାଣି କରି ଏହି ରାୟ ଦେବା ସହ କୋର୍ଟ ସ୍ଥାନୀୟ ଡେପୁଟି କମିଶନଙ୍କୁ ଏ ନେଇ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଲାହୋର କୋର୍ଟଙ୍କ କହିଛନ୍ତି, ଭଗତ ସିଂହ ଏବଂ ତାଙ୍କର ସାଥୀମାନେ ଦେଶକୁ ସ୍ବାଧୀନ କରିବା ଲାଗି ସହିଦ ହୋଇଥିଲେ । ସେମାନଙ୍କ ଅବଦାନକୁ କେହି ଭୁଲି ପାରିବେ ନାହିଁ । ଏମିତିକି ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲୀ ଜିନ୍ନା ମଧ୍ୟ ଭଗତ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ତାଙ୍କର ପ୍ରଶଂସା କରିଥିଲେ ବୋଲି ଇମତିଆଜ କହିଛନ୍ତି । ତେଣୁ ଶାଦମାନ ଚୌରାହର ନାଁ ବଦଳାଇ ଭଗତ ସିଂହ ରଖିବା ସହ ସେଠାରେ ତାଙ୍କର ଏକ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ସେ ପ୍ରସ୍ତାବ ଦେଇଥିଲେ । ଏମିତିକି ନିଜ ଆବେଦନରେ ସେ ଭାରତରେ କିଭଳି ମୁସଲିମ ରାଜାମାନଙ୍କ ନାଁରେ ରାସ୍ତା ଓ ଛକ ଆଦି କରାଯାଇଛି ଏବଂ ସ୍ବତନ୍ତ୍ର ମୁସଲିମ୍ ବିଶ୍ବବିଦ୍ୟାଳୟ ସ୍ଥାପନ କରାଯାଇଛି ବୋଲି ଉଲ୍ଲେଖ କରିଥିଲେ । ତେବେ ଦୀର୍ଘ ଦିନରୁ ନାମ ପରିବର୍ତ୍ତନ ପାଇଁ ଚାଲିଥିବା ଲଢ଼େଇକୁ ବିରୋଧ କରୁଥିଲେ ହାଫିଜ ସଇଦର ସଂଗଠନ ଜମାତ-ଉଦ-ଦବା ଏବଂ କିଛି ସ୍ବେଚ୍ଛାସେବୀ ସଂଗଠନ । ସେମାନେ ଜାତିକୁ ନେଇ ଆପତ୍ତି ଉଠାଇଥିଲେ । ଏବେ କିନ୍ତୁ କୋର୍ଟଙ୍କ ନିର୍ଦ୍ଦେଶ ପରେ ନାମ ବଦଳିବାର ରାସ୍ତା ସଫା ହୋଇଯାଇଛି । ଆସନ୍ତା ୨୮ ତାରିଖରେ ପଡୁଛି ଭଗତ ସିଂହଙ୍କ ୧୦୫ତମ ଜନ୍ମତିଥି । ଏହା ପୂର୍ବରୁ ନାମ ପରିବର୍ତ୍ତନ ନିଷ୍ପତ୍ତିକୁ ପାକିସ୍ତାନବାସୀ ମଧ୍ୟ ସ୍ବାଗତ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.