ଭଗୱନ୍ତ ମାନ୍‌ଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିବା ଘଟଣା ସତ କି ମିଛ? ତଦନ୍ତ କରିବ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ

ନୂଆଦିଲ୍ଲୀ : ଜର୍ମାନୀରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିବା ଘଟଣା ସତ କି ମିଛ? ଏହାର ଯାଞ୍ଚ କରିବ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ । ମୁଖ୍ୟମନ୍ତ୍ରୀ ମାନ୍‌ ଦିଲ୍ଲୀ ଅଭିମୁଖେ ଯାଉଥିବା ବିମାନରେ ମଦ୍ୟପାନ କରି ଚଢ଼ି ଥିବାରୁ ଜର୍ମାନର ଫ୍ରାଙ୍କ୍‌ଫର୍ଟ ବିମାନବନ୍ଦରରୁ ତଡ଼ା ଖାଇଛନ୍ତି ବୋଲି ଗତକାଲି ଏକ ଖବର ପ୍ରକାଶ ପାଇଥିଲା।

ଏହାର ସତ୍ୟତା ଜାଣିବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଯାଞ୍ଚ୍‌ କରିବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜୋତିରାଦିତ୍ୟା ସିନ୍ଦିୟା କହିଛନ୍ତି। ସେ କହିଛନ୍ତି ଯେ ‘ଘଟଣାଟି ଅନ୍ତର୍ଜାତୀୟ ମାଟିରେ ଘଟିଛି। ଯାଞ୍ଚ୍‌ କରି ଆମେ ପ୍ରଥମେ ନିଶ୍ଚିତ ହେବୁ। ସଠିକ୍‌ ତଥ୍ୟ ପ୍ରଦାନ କରିବା ଲୁଫ୍ଥାଞ୍ଜା ଏୟାରଲାଇନ୍ସ ଉପରେ ନିର୍ଭର କରେ। ମୋ‌ ପାଖକୁ ଆସିଥିବା ଅନୁରୋଧକୁ ଆଧାର କରି ମୁଁ ନିଶ୍ଚିତ ଭାବେ ଏହାର ତଦନ୍ତ କରିବି।’

ଫ୍ରାଙ୍କ୍‌ ଫର୍ଟ ବିମାନବନ୍ଦରରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରୁଥିବା ଲୁଥାନସା ଏୟାରଲାଇନସ୍‌ ବିମାନରୁ ଭଗୱନ୍ତ ମାନ୍‌ଙ୍କୁ ଓହ୍ଲାଇ ଦିଆଯାଇଥିଲା ବୋଲି ଚର୍ଚ୍ଚା ହେଉଛି । ମାନ୍‌ ମଦ୍ୟପାନ କରିଥିବାରୁ ଏପରି ପଦକ୍ଷେପ ନିଆଯାଇଥିବା କୁହାଯାଉଛି। ଭଗୱନ୍ତ ମାନଙ୍କ ପାଇଁ ବିମାନଟି ୪ ଘଣ୍ଟା ବିଳମ୍ବରେ ଉଡ଼ାଣ ଭରିଥିବା ଖବର ବି ପ୍ରକାଶ ପାଇଥିଲା । ଯାହାକୁ ନେଇ ରାଜନୈତିକ ଝଡ ସୃଷ୍ଟି ହୋଇଛି ।

ଭଗୱନ୍ତ ମାନ୍‌ ନିଜ ଉପରୁ ନିୟନ୍ତ୍ରଣ ହରାଇ ଥିବାରୁ ଲୁଫ୍ଥାଞ୍ଜା ଏୟାରଲାଇନ୍ସ ତାଙ୍କୁ ବିମାନରୁ ଓହ୍ଲାଇ ଦେଇଥିବା ଅଭିଯୋଗ ସିରୋମଣି ଅକାଲି ଦଳ ଓ ପଞ୍ଜାବ କଂଗେ୍ରସ କରିଥିଲେ। ଏପରିକି ଭଗୱନ୍ତ ମାନଙ୍କ ପାଇଁ ବିମାନଟି ୪ ଘଣ୍ଟା ବିଳମ୍ବରେ ଉଡ଼ାଣ ଭରିଥିବା ଖବର ବି ପ୍ରକାଶ ପାଇଥିଲା।

Leave A Reply

Your email address will not be published.