ଭୋପାଳ ଗ୍ୟାସ୍‌ ଦୁର୍ଘଟଣାର ପୀଡ଼ିତଙ୍କୁ ବଡ଼ ଝଟ୍‌କା! ୭୪୦୦ କୋଟିର ଅତିରିକ୍ତ କ୍ଷତିପୂରଣ ଦାବି ସୁପ୍ରିମ୍‌କୋର୍ଟରେ ଖାରଜ

୧୯୮୪ ଡିସେମ୍ବର ୨ ତାରିଖ ରାତିରେ ଭୋପାଳରେ ମୃତ୍ୟୁ ଏମିତି ତାଣ୍ଡବ ରଚିଥିଲା ଯେ ଆଜି ପର୍ଯ୍ୟନ୍ତ ଏହାର କ୍ଷତ ଭରିପାରି ନାହିଁ। ଭୋପାଳର ୟୁନିଅନ୍ କାର୍ବାଇଡ୍ କାରଖାନାରୁ ବିଷାକ୍ତ ଗ୍ୟାସ୍ ଲିକ୍ ହେତୁ ରାତିରେ ଶୋଇଥିବା ହଜାର ହଜାର ଲୋକ ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ। ମୃତ୍ୟୁ ସଂଖ୍ୟା ୧୬,୦୦୦ରୁ ଅଧିକ ଥିଲା।

ଭୋପାଳ ଗ୍ୟାସ ଦୁର୍ଘଟଣାର ଶିକାର ହୋଇଥିବା ପୀଡ଼ିତଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ବଡ଼ ଝଟକା ମିଳିଛି। ପୀଡିତାମାନଙ୍କୁ ୭୪୦୦ କୋଟି ଟଙ୍କା ଅତିରିକ୍ତ କ୍ଷତିପୂରଣ ଦାବି ନେଇ କେନ୍ଦ୍ରର କ୍ୟୁରେଟିଭ୍‌ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ଭୋପାଳରେ ୧୯୮୪ ଡିସେମ୍ବର ୨ ରାତିରେ ଘଟିଥିବା ଏହି ଦୁର୍ଘଟଣାରେ ୧୬ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା।

ଦୁର୍ଘଟଣା ପରେ ୟୁନିୟନ କାର୍ବାଇଡ କର୍ପୋରେସନ ୪୭୦ ମିଲିୟନ ଆମେରିକୀୟ ଡଲାରର କ୍ଷତିପୂରଣ ଦେଇଥିଲା। ପୀଡ଼ିତାମାନେ ଅତିରିକ୍ତ କ୍ଷତିପୂରଣ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପୀଡ଼ିତାମାନଙ୍କ ତରଫରୁ କେନ୍ଦ୍ର ଏହି ମାମଲାରେ କ୍ୟୁରେଟିଭ୍‌ ପିଟିସନ ଦାଖଲ କରିଥିଲା।

କେନ୍ଦ୍ର ୟୁନିଅନ୍ କାର୍ବାଇଡ୍ କର୍ପୋରେସନର ଉତ୍ତରାଧିକାରୀ ସଂସ୍ଥାଗୁଡ଼ିକରୁ ୭୮୪୪ କୋଟି ଟଙ୍କା ଦାବି କରିଥିଲା। କେନ୍ଦ୍ର କ୍ଷତିପୂରଣ ରାଶି ବଢ଼ାଇବା ପାଇଁ ୨୦୧୦ ଡିସେମ୍ବରରେ ସୁପ୍ରିମ୍‌କୋର୍ଟଙ୍କଠାରେ କ୍ୟୁରେଟିଭ୍‌ ପିଟିସନ ଦାଖଲ କରିଥିଲା।

ସରକାର ଚାହୁଁଥିଲେ ଯେ ୟୁନିଅନ କାର୍ବାଇଡ ଏହି ଟଙ୍କା ଗ୍ୟାସ ଦୁର୍ଘଟଣାର ଶିକାର ପୀଡ଼ିତମାନଙ୍କୁ ପ୍ରଦାନ କରୁ। କିନ୍ତୁ ସେପଟେ ୟୁନିଅନ କାର୍ବାଇଡ କର୍ପୋରେସନ କୋର୍ଟରେ କହିଥିଲା କି, କମ୍ପାନୀ ୧୯୮୯ରେ ହୋଇଥିବା ଚୁକ୍ତିନାମା ବ୍ୟତୀତ ଗୋଟିଏ ବି ପଇସା ଭୋପାଳ ଗ୍ୟାସ ପୀଡିତଙ୍କୁ ଦେବ ନାହିଁ।

ଏହି ଆବେଦନ ଉପରେ ଜାନୁଆରୀ ୧୨ରେ ବେଞ୍ଚ ସମସ୍ତ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ। ମଙ୍ଗଳବାର କୋର୍ଟ ଏହାକୁ ଖାରଜ କରିଛନ୍ତି।

Leave A Reply

Your email address will not be published.