ଭୋପାଳ: ସହକାରୀ ଯନ୍ତ୍ରୀଙ୍କ ଦରମା ୩୦ ହଜାର, ଘରେ ଲାଗିଛି ୩୦ ଲକ୍ଷର LED ଟିଭି! ଚଢ଼ାଉ କଲା ଲୋକାୟୁକ୍ତ ଟିମ୍‌

ମଧ୍ୟ ପ୍ରଦେଶ ପୋଲିସ ହାଉସିଂ କର୍ପୋରେସନର ସହକାରୀ ଯନ୍ତ୍ରୀ ହେମା ମୀନାଙ୍କ ଘରେ ଲୋକାୟୁକ୍ତ ଟିମ୍‌ ଚଢ଼ାଉ କରିଛି। ଚଢ଼ାଉ ସମୟରେ ଲୋକାୟୁକ୍ତ ଟିମ୍‌ ହେମା ମୀନାଙ୍କ ଘରୁ ୩୦ ଲକ୍ଷ ଟଙ୍କାର LED ଟିଭି ଜବତ କରିଛି।

ମଧ୍ୟ ପ୍ରଦେଶ ପୋଲିସ୍‌ ହାଉସିଂ କର୍ପୋରେସନର ସହକାରୀ ଯନ୍ତ୍ରୀ ହେମା ମୀନାଙ୍କ ଘରେ ଲୋକାୟୁକ୍ତ ଟିମ୍‌ ଚଢ଼ାଉ କରିଛି। ଲୋକାୟୁକ୍ତ ଟିମ୍‌ ବିଲଖିରିଆରେ ଥିବା ହେମାଙ୍କ ବାସଭବନ, ରାଇସେନର ଫାର୍ମ ହାଉସ୍‌ ସମେତ ତିନିଟି ସ୍ଥାନରେ ଚଢ଼ାଉ କରିଥିଲା। ଏବେ ମଧ୍ୟ ଚଢ଼ାଉ ଜାରି ରହିଛି।

ଚଢ଼ାଉ ସମୟରେ ଲୋକାୟୁକ୍ତ ଟିମ୍‌କୁ ହେମା ମୀନାଙ୍କ ଘରେ ଆଶ୍ଚର୍ଯ୍ୟଜନକ ଜିନିଷ ଦେଖିବାକୁ ମିଳିଥିଲା। ଯନ୍ତ୍ରୀଙ୍କ ଦରମା ମାସକୁ ୩୦ ହଜାର ଟଙ୍କା ଥିବାବେଳେ ଘରେ ଲଗାଯାଇଥିଲା ୩୦ ଲକ୍ଷ ଟଙ୍କା ମୂଲ୍ୟର LED ଟିଭି।

ମିଳିଥିବା ସୂଚନା ମୁତାବକ, ଲୋକାୟୁକ୍ତ ଟିମ୍‌ର ଏହି ଚଢ଼ାଉରେ ଏ ପର୍ଯ୍ୟନ୍ତ ୭ କୋଟି ଟଙ୍କାର ବେନାମୀ ସମ୍ପତ୍ତି ବିଷୟରେ ଖୁଲାସା ହୋଇଛି। ଏଥିରେ ରହିଛି ୧ କୋଟି ଟଙ୍କା ମୂଲ୍ୟର ବଙ୍ଗଳା, ରାଇସେନ, ଭୋପାଳ ଏବଂ ଭିଦିଶାରେ କିଣାଯାଇଥିବା ଜମିର ଦସ୍ତାବିଜ୍‌। ସହକାରୀ ଇଞ୍ଜିନିୟରଙ୍କ ଘରୁ ତାଙ୍କ ଆୟଠାରୁ ୨୩୨ ପ୍ରତିଶତ ଅଧିକ ସମ୍ପତ୍ତି ମିଳିଛି।

୨୦୨୦ରେ ସହକାରୀ ଇଞ୍ଜିନିୟରଙ୍କ ବିରୋଧରେ ଲୋକାୟୁକ୍ତକୁ ପ୍ରଥମ ଅଭିଯୋଗ ମିଳିଥିଲା। ଅଭିଯୋଗ ମିଳିବା ପରେ ହିଁ ମନିଟରିଂ କରାଯାଉଥିଲା। ଅଭିଯୋଗର ସତ୍ୟାସତ୍ୟ ଜାଣିବା ପାଇଁ ଲୋକାୟୁକ୍ତ ଟିମ୍‌ ସହକାରୀ ଯନ୍ତ୍ରୀଙ୍କ ବାସଭବନ ଉପରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ଯନ୍ତ୍ରୀଙ୍କ ଘରୁ ହାର୍ଭେଷ୍ଟର, ଧାନବୁଣା ମେସିନ, ଟ୍ରାକ୍ଟର ଏବଂ ଚାଷଜମିରେ ବ୍ୟବହୃତ ଅନ୍ୟାନ୍ୟ ଉପକରଣ ମଧ୍ୟ ଜବତ ହୋଇଛି। ତେବେ ସୂଚନା ମୁତାବକ, ୮ ଘଣ୍ଟା ପରେ ମଧ୍ୟ ଯାଞ୍ଚ ଶେଷ ହୋଇପାରି ନାହିଁ।