ଗୁଜୁରାଟର ନୂଆ ମୁଖ୍ୟମନ୍ତ୍ରୀ ହେଲେ ଭୂପେନ୍ଦ୍ର ପଟେଲ, କାଲି ନେବେ ଶପଥ

ଗାନ୍ଧିନଗର : ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଭୂପେନ୍ଦ୍ର ପଟେଲଙ୍କ ନାମ ଘୋଷଣା କରାଯାଇଛି । ଗାନ୍ଧୀନଗରରେ ଅନୁଷ୍ଠିତ ବିଜେପି ବିଧାୟକ ଦଳର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହୋଇଥିବା ଭୂପେନ୍ଦ୍ର ରାଜ୍ୟପାଳଙ୍କୁ ଭେଟିଛନ୍ତି । ଆସନ୍ତାକାଲି ସେ ଶପଥ ନେବେ ।

ମୁଖ୍ୟମନ୍ତ୍ରୀ ରେସରେ ଥିଲେ କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭୀୟ, ପୁରୁଷୋତ୍ତମ ରୁପାଲା, ଲକ୍ଷଦୀପର ପ୍ରଶାସକ ପ୍ରଫୁଲ୍ ପଟେଲ, ଗୁଜରାଟର ଉପମୁଖ୍ୟମନ୍ତ୍ରୀ ନୀତୀନ ପଟେଲ । ତେବେ ହଠାତ୍ ଡାର୍କ ହର୍ସ ଭାବେ ଉଭା ହୋଇଥିଲେ ଭୂପେନ୍ଦ୍ର । ଆସନ୍ତାବର୍ଷ ଗୁଜରାଟ ବିଧାନସଭା ନିର୍ବାଚନ ଥିବାରୁ ଭୂପନ୍ଦ୍ରେଙ୍କ ଆଗରେ ରହିବ ଅନେକ ଚ୍ୟାଲେଞ୍ଜ । ଏମଏଲଏରୁ ସିଧାସଖଳ ସିଏମ ହୋଇଥିବା ଭୂପେନ୍ଦ୍ରଭାଇ ପଟେଲ୍ ଘାଟଲୋଡିଆ ଆସନରୁ ପ୍ରତିନିଧିତ୍ୱ କରୁଛନ୍ତି ।

ପଟେଲ ପାଟିଦାର ନେତା ଭାବେ ଜଣାଶୁଣା । ଭୂପେନ୍ଦ୍ର ଅହମ୍ମଦାବାଦ ମ୍ୟୁନିସିପାଲ୍ କାଉନସିଲର୍ ଭାବେ କାମ କରିଆସିଛନ୍ତି । ଅହମ୍ମଦାବାଦ ସହରାଞ୍ଚଳ ଉନ୍ନୟନ କର୍ତ୍ତୃପକ୍ଷ ବା AUDAର ଚେୟାରମ୍ୟାନ୍ ଥିଲେ । ତାଙ୍କ ଶିକ୍ଷାଗତ ଯୋଗ୍ୟତା ହେଉଛି ଇଞ୍ଜିନିୟରିଂ । ୟୁପିର ରାଜ୍ୟପାଳ ଆନନ୍ଦୀବେନ ପଟେଲଙ୍କ ନିକଟତର ଭୂପେନ୍ଦ୍ର ପଟିଦାର ସମ୍ପ୍ରଦାୟରୁ ଆସୁଛନ୍ତି ।

ପଟିଦାର ସମ୍ପ୍ରଦାୟ ସହିତ ବିଜେପିର ଭଲ ସମ୍ପର୍କ ନଥିବାରୁ, ତାଙ୍କୁ ମୁଖ୍ୟମନ୍ତ୍ରୀ କରି ଦଳ ପଟିଦାର ସମ୍ପ୍ରଦାୟର ଭୋଟ୍ ହାତେଇବାକୁ ମଧ୍ୟ ଲକ୍ଷ୍ୟ ରଖିଛି । ପୂର୍ବରୁ ବିଜେପି ଉତ୍ତରାଖଣ୍ଡ ଓ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀଙ୍କୁ ବଦଳାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.