ମହାକୁମ୍ଭରେ ବୁଡ଼ ପକାଇଲେ ଭୁଟାନ ରାଜା, ମୁଖ୍ୟମନ୍ତ୍ରୀ ଯୋଗୀ ସେୟାର କଲେ ଫଟୋ

ପ୍ରୟାଗରାଜ ମହାକୁମ୍ଭରେ ଦେଶ, ବିଦେଶରୁ କୋଟି କୋଟି ଶ୍ରଦ୍ଧାଳୁ ଆସି ବୁଡ଼ ପକାଉଛନ୍ତି । ଆଜି ଭୁଟାନ ରାଜା ଜିଗମେ ଖେସର ନାମଗୟାଲ୍ ୱାଙ୍ଗଚୁକ ମଧ୍ୟ ତ୍ରିବେଣୀ ସଙ୍ଗମରେ ପହଞ୍ଚି ପବିତ୍ର ସ୍ନାନ କରିଛନ୍ତି । ସଙ୍ଗମ ସ୍ଥଳରେ ବୁଡ଼ ପକାଇବା ବେଳେ ତାଙ୍କ ସହିତ ଥିଲେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।
ଭୁଟାନ ରାଜା ଅରେଲ ଘାଟରେ ଆସ୍ଥାର ବୁଡ଼ ପକାଇଛନ୍ତି । ରାଜା ଜିଗମେ ଖେସର ନାମଗୟାଲ୍ ୱାଙ୍ଗଚୁକଙ୍କ ଫଟୋଗୁଡ଼ିକୁ ସିଏମ୍ ଯୋଗୀ ନିଜ ‘ଏକ୍ସ’ ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ଆଜି ସକାଳ ୧୦ଟାରେ ଭୁଟାନ ରାଜା ସ୍ୱତନ୍ତ୍ର ବିମାନ ଯୋଗେ ବମରୌଲି ଏୟାରପୋର୍ଟରେ ପହଞ୍ଚିଥିଲେ । ସେଠାରୁ ସେ ହେଲିକପ୍ଟର ଯୋଗେ ଅରେଲ ଘାଟରେ ପହଞ୍ଚି ସ୍ନାନ କରିଥିଲେ ।
ଏହା ପୂର୍ବରୁ ଭୁଟାନ ରାଜା ଓ ୟୁପି ସିଏମ୍ ବିଧି ବିଧାନର ସହ ସଙ୍ଗମ ତଟରେ ପୂଜାର୍ଚ୍ଚନା କରିଥିଲେ । ଉଭୟ ପାରାଙ୍କୁ ଦାନା ଖୁଆଉଥିବା ନଜର ଆସିଥିଲେ । ରାଜା ଅକ୍ଷୟବଟ ଏବଂ ଲାଟେ ହନୁମାନ ମନ୍ଦିର ଦର୍ଶନ କରିବା ପରେ ଦ୍ୱିପ୍ରହରରେ ପ୍ରୟାଗରାଜରୁ ପ୍ରତ୍ୟାବର୍ତ୍ତନ କରିବେ ।
ରାଜା ସୋମବାର ଲକ୍ଷ୍ନୌରେ ପହଞ୍ଚିଥିଲେ । ଚୌଧୁରୀ ଚରଣ ସିଂହ ଅନ୍ତର୍ଜାତୀୟ ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କୁ ସ୍ୱାଗତ କରିଥିଲେ । ମହାକୁମ୍ଭରେ ଅଂଶଗ୍ରହଣ କରିବା ପାଇଁ ରାଜା ମଙ୍ଗଳବାର ପ୍ରୟାଗରାଜ ଆସିଛନ୍ତି । ସିଏମ୍ ଯୋଗୀ ଭୁଟାନ ରାଜାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ । ରାଜା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଅଭିବାଦନ ଜଣାଇଥିଲେ । ବିମାନବନ୍ଦରରେ ଭୁଟାନ ରାଜାଙ୍କ ପାଇଁ କଳାକାରମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।
କହି ରଖୁଛୁ, ତିନି ଦିନ ପୂର୍ବେ ୭୭ଟି ଦେଶର ୧୧୮ ସଦସ୍ୟ ବିଶିଷ୍ଟ ପ୍ରତିନିଧି ମଣ୍ଡଳୀ ମହାକୁମ୍ଭରେ ପବିତ୍ର ବୁଡ଼ ପକାଇଥିଲେ ।
ଆସନ୍ତାକାଲି ମହାକୁମ୍ଭରେ ସ୍ନାନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପିଏମ୍ ମୋଦି ଆସନ୍ତାକାଲି ଫେବୃୟାରୀ ୫ରେ ଉତ୍ତର ପ୍ରଦେଶର ପ୍ରୟାଗରାଜ ଯିବେ । ମୋଦି ସଙ୍ଗମ ସ୍ଥଳରେ ବୁଡ଼ ପକାଇବେ । ସକାଳ ପ୍ରାୟ ୧୦ଟାରେ ମୋଦି ପ୍ରୟାଗରାଜ ଏୟାରପୋର୍ଟରେ ପହଞ୍ଚିବେ । ସେଠାରୁ ସେ ଡିପିଏସ୍ ହେଲିପ୍ୟାଡ୍ ଯିବେ । ସକାଳ ୧୦ଟା ୪୫ ମିନିଟରେ ମୋଦି ଅରେଲ ଘାଟରେ ପହଞ୍ଚିବେ । ଅରେଲ ଘାଟରେ ଡଙ୍ଗାରେ ବସି ମହାକୁମ୍ଭ ସଙ୍ଗମ ସ୍ଥଳକୁ ଯିବେ ।
ଏହା ମଧ୍ୟ ପଢ଼ନ୍ତୁ: ଫେବୃୟାରୀ ୫ରେ ମହାକୁମ୍ଭରେ ବୁଡ଼ ପକାଇବେ ପ୍ରଧାନମନ୍ତ୍ରୀ ମୋଦି