ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି ମାଲିୱାଲଙ୍କ ଉପରେ ହୋଇଥିବା ଆକ୍ରମଣ ମାମଲାରେ ଗିରଫ ବିଭବ କୁମାରଙ୍କ ନ୍ୟାୟିକ ହେପାଜତକୁ ବଢ଼ାଇ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପିଏ ବିଭବ କୁମାର ଆଜି ତିସ୍‌ ହଜାରୀ କୋର୍ଟରେ ହାଜର ହୋଇଥିଲେ । ନ୍ୟାୟିକ ହେପାଜତ ଅବଧି ଶେଷ ହେବା ପରେ ତାଙ୍କୁ କୋର୍ଟରେ ଉପସ୍ଥାପନ କରାଯାଇଥିଲା । କୋର୍ଟ ବିଭବ କୁମାରଙ୍କ ନ୍ୟାୟିକ ହେପାଜତକୁ ଜୁଲାଇ ୬ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି ।

ସେପଟେ ବିଭବ କୁମାରଙ୍କ ଜାମିନ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟରେ ଜୁଲାଇ ୧ରେ ଶୁଣାଣି ହେବ । ବର୍ତ୍ତମାନ ସେ ନ୍ୟାୟିକ ହେପାଜତରେ ଅଛନ୍ତି । କହି ରଖୁଛୁ ଯେ ବିଭବ କୁମାର ମେ’ ୧୩ରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ସରକାରୀ ବାସଭବନରେ ମାଲିୱାଲଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗ ମାମଲାରେ ତାଙ୍କୁ ମେ’ ୧୮ରେ ଗିରଫ କରାଯାଇଥିଲା ।

ବିଭବ କୁମାରଙ୍କୁ ଭିଡିଓ କନଫରେନ୍ସ ମାଧ୍ୟମରେ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ଗୌରବ ଗୋଏଲଙ୍କ ନିକଟରେ ହାଜର କରାଯାଇଥିଲା । ସେ ତାଙ୍କ ନ୍ୟାୟିକ ହେପାଜତକୁ ଜୁଲାଇ ୬କୁ ବୃଦ୍ଧି କରିଛନ୍ତି । ଏହାପୂର୍ବରୁ କୋର୍ଟ କହିଥିଲେ ଯେ ଗିରଫ ହେତୁ ତାଙ୍କ ଆଗୁଆ ଜାମିନ ଆବେଦନର କୌଣସି ଅର୍ଥ ନାହିଁ । ମେ’ ୨୪ରେ ତାଙ୍କୁ ଚାରି ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଥିଲା । ପରେ ପୁଣି ତାଙ୍କୁ ତିନି ଦିନ ପାଇଁ ପୋଲିସ ହେପାଜତକୁ ପଠାଯାଇଥିଲା ।

ବିଭବ କୁମାରଙ୍କ ବିରୋଧରେ ମେ’ ୧୬ରେ ଦାଖଲ ଏଫ୍ଆଇଆରରେ ଅପରାଧିକ ଧମକ, ମହିଳାଙ୍କୁ ଅସମ୍ମାନ ଉଦ୍ଦେଶ୍ୟରେ ଆକ୍ରମଣ, ଅପରାଧିକ ବଳ ପ୍ରୟୋଗ ଏବଂ ହତ୍ୟା ଉଦ୍ୟମ ସମ୍ବନ୍ଧିତ ଧାରା ଅନ୍ତର୍ଭୁକ୍ତ କରାଯାଇଛି ।

ଅଭିଯୋଗ ମୁତାବକ, ମେ’ ୧୩ରେ ସିଏମ୍‌ କେଜ୍ରିଓ୍ଵାଲଙ୍କ ବାସଭବନରେ ସେ ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାରିଥିଲେ । ଏହି ଘଟଣାରେ ଦିଲ୍ଲୀ ପୋଲିସ ତାଙ୍କୁ ଗିରଫ କରିଥିଲା ।

You might also like