ୟୁପି ସରକାରଙ୍କ ବଡ଼ ନିଷ୍ପତ୍ତି! ଏଣିକି ମହାପୁରୁଷ ଜୟନ୍ତୀ ଓ ଶିବରାତ୍ରିରେ ରାଜ୍ୟରେ ହେବ ନାହିଁ ମାଂସ ବିକ୍ରି; ଜାରି ହେଲା କଡ଼ା ଆଦେଶ

ଉତ୍ତର ପ୍ରଦେଶର ଯୋଗୀ ସରକାର ଭାରତୀୟ ସଂସ୍କୃତିର ରକ୍ଷା କରିବାକୁ ଯାଇ ଆଉ ଏକ ଅଦ୍ଭୁତପୂର୍ବ ନିର୍ଣ୍ଣୟ ନେଇଛନ୍ତି। ୟୁପି ସରକାର ଏହି ନିଷ୍ପତ୍ତି ନେଇଛନ୍ତି କି, ଏବେ ଠାରୁ ରାଜ୍ୟରେ ମହାପୁରୁଷଙ୍କ ଜୟନ୍ତୀ ଏବଂ ମହାଶିବରାତ୍ରିରେ ମାଂସ ବିକ୍ରି କରାଯିବ ନାହିଁ। ଏହି ଦିନ କଂସେଇଖାନା ଓ ମାଂସ ଦୋକାନଗୁଡ଼ିକୁ ବନ୍ଦ ରଖାଯିବ। ଏହି ପରିପ୍ରେକ୍ଷୀରେ ନଭେମ୍ବର ୨୫ରେ ସିନ୍ଧି ସମାଜର ସନ୍ଥ ଟିଏଲ ବାସବାନୀଙ୍କ ଜୟନ୍ତୀ ଅବସରରେ ରାଜ୍ୟରେ ଥିବା ସମସ୍ତ କଂସେଇଖାନା ଓ ମାଂସ ଦୋକାନକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ରଜନୀଶ ଦୁବେ ଏ ନେଇ ସମସ୍ତ ଜିଲାର ଡିଭିଜନାଲ କମିଶନର ଏବଂ ଜିଲା ମାଜିଷ୍ଟ୍ରେଟଙ୍କୁ ଆଦେଶ ଜାରି କରିଛନ୍ତି। ସେ କହିଛନ୍ତି କି, ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବା ଉଚିତ।

ଜାରି ଆଦେଶରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରଜନୀଶ ଦୁବେ କହିଛନ୍ତି, ନଭେମ୍ବର ୨୫ ଟିଏଲ୍‌ ବାସବାନୀଙ୍କ ଜୟନ୍ତୀ। ତେଣୁ ବିଭିନ୍ନ ସ୍ଥାନରେ ଥିବା କଂସେଇଖାନା ଏବଂ ମାଂସ ଦୋକାନଗୁଡ଼ିକୁ ବନ୍ଦ ରଖାଯାଇଛି। ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି।

ଏହା ହେଉଛି ଆଦେଶ

ଆଦେଶରେ କୁହାଯାଇଛି, ମହାବୀର ଜୟନ୍ତୀ, ବୁଦ୍ଧ ଜୟନ୍ତୀ, ଗାନ୍ଧୀ ଜୟନ୍ତୀ, ମହାଶିବରାତ୍ରି ଓ ସାଧୁ ଟିଏଲ୍‌ ବାସବାନୀଙ୍କ ଜୟନ୍ତୀ ଅବସରରେ ବିଶେଷ କରି ସହରାଞ୍ଚଳରେ ଥିବା କଂସେଇଖାନା ଏବଂ ମାଂସ ଦୋକାନଗୁଡ଼ିକୁ ବନ୍ଦ ରଖାଯିବ। ଅହିଂସାର ବାର୍ତ୍ତା ଦେଉଥିବା ମହାପୁରୁଷ ଏବଂ ପ୍ରମୁଖ ପର୍ବକୁ ନଜରରେ ରଖି ଏହି ଆଦେଶ ଜାରି କରାଯାଇଛି। ମହାପୁରୁଷଙ୍କ ଜୟନ୍ତୀକୁ ଅହିଂସା ଦିବସ ଭାବେ ପାଳନ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଥାଉ କି, ୨୦୧୭ରେ ଶାସନକୁ ଆସିବା ପରେ ଯୋଗୀ ସରକାର ବେଆଇନ କଂସେଇଖାନା ଉପରେ ନିୟମ କଡ଼ାକଡ଼ି କରି ଦେଇଥିଲେ। ଏଥି ସହିତ ଖୋଲାରେ ମାଂସ ବିକ୍ରି ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଥିଲେ।

ସୂଚନାଥାଉ କି, ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଥୁରାସ୍ଥିତ ଶ୍ରୀକୃଷ୍ଣ ଜନ୍ମସ୍ଥଳୀର ୧୦ ବର୍ଗ କିଲୋମିଟର ଅଞ୍ଚଳକୁ ତୀର୍ଥସ୍ଥଳୀ ଘୋଷଣା କରି ଦେଇଛନ୍ତି। ତୀର୍ଥସ୍ଥଳୀ ଅଞ୍ଚଳରେ ମଦ ଓ ମାଂସ ବିକ୍ରି ହେବ ନାହିଁ। ଏହା ଉପରେ ପୂର୍ଣ୍ଣ ରୂପେ ପ୍ରତିବନ୍ଧକ ଲଗା ଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.