ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ହୋଇଥିଲା ମସ୍ତବଡ଼ ଭୁଲ୍ , ପୋଲିସ୍ ବି ଖାଇଗଲା ଧୋକା, କେମିତି ?

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ମେରଠ ପୋଲିସ୍ ପକ୍ଷରୁ ଏକ ବଡ ଅବହେଳା ହୋଇଛି । ଜଣେ ନକଲି ପୋଲସ୍ ଅଫିସରଙ୍କୁ ରଖାଯାଇଥିଲା ସୁରକ୍ଷା ଦାୟିତ୍ୱରେ । ଏବେ ନୁହେଁ ଅନେକ ଦିନରୁ ଏହି ମହିଳା ଅଫିସର ଜଣକ ସେଠାକାର ପୋଲିସ୍କୁ ଭୁତାଇ ଚାଲିଥିଲା । ଏହି ନକଲି ମହିଳା ଆଇଏଫଏସ୍ ଅଫିସର ଜୋୟା ଖାନଙ୍କୁ ମେରଠ ପୋଲିସ୍ ପିଏସଓ ସହିତ ଦୁଇଟି ଥାନାର ଏସ୍କର୍ଟ ଭାବେ ଦାୟିତ୍ବ ଦେଇଥିଲା । ଯେତେବେଳେ କି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଏସପିଜି ଲାଗିଥିଲା । ଜୋୟାଙ୍କ ସମ୍ପର୍କରେ ଖୁଲାସା ହେବା ପରେ ଏବେ ପୋଲିସ୍ ଅଧିକାରୀଙ୍କୁ ଲାଗିଛି ଶକ୍ତ ଝଟ୍କା । କିଭଳି ଜୋୟା ସେମାନଙ୍କୁ ମାୟାଜାଲରେ ରଖି ପୋଲିସ୍ ବିଭାଗରେ କାମ କରୁଥିଲେ ତାହା ସେମାନଙ୍କୁ ଆଶ୍ଚର୍ଯ୍ୟରେ ପକାଇ ଦେଇଛି । ଏବେ ଜୋୟାଙ୍କ ପାଖ ଲୋକଙ୍କୁ ଯାଞ୍ଚ କରିବାରେ ପୋଲିସ୍ ଲାଗିପଡିଛି।
ତେବେ ନକଲି ଆଇଏଫଏସ୍ ଅଫିସର ଜୋୟା ଖାନଙ୍କୁ ଗିରଫ କରାଯିବା ପରେ ନୋଏଡା ପୋଲିସ୍ ମେରଠ ପୋଲିସ୍ର ମଧ୍ଯ ପୋଲ୍ ଖୋଲିଛି । ମାର୍ଚ୍ଚ ୨୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେରଠକୁ ନିର୍ବାଚନ ସଭାରେ ଯୋଗ ଦେବା ପାଇଁ ଆସିଥିଲେ । ଏହି ଅବସରରେ ମେରଠ ପୋଲିସ୍ ଜୋୟା ଖାନଙ୍କୁ କଂକରଖେଡା ଏବଂ ଦୌରାଲା ଥାନାର ଏସ୍କର୍ଟ ଦାୟିତ୍ବ ଦେଇଥିଲା । କୁହାଯାଉଛି କି ଜୋୟା ନିଜକୁ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ରଖିବାକୁ ଚାହୁଁଥିଲେ ।
ଏହି ନକଲି ମହିଳା ଅଫିସର ନୀଳ ବତି ଲଗାଇ ଦାମୀ ଗାଡିରେ ଯିବା ଆସିବା କରୁଥିଲେ । ତିନି ବର୍ଷ ହେବ ମେରଠ, ନୋଏଡା, ଗାଜିୟାବାଦ ସମେତ ବହୁ ଥାନାର ପୋଲିସ୍ ତାଙ୍କୁ ସାଲ୍ୟୁଟ୍ ମାରୁଥିଲେ । ହେଲେ କେହିବି ଜାଣିବାକୁ ଚାହିଁନଥିଲେ କି ଜୋୟା ପଅକୃତରେ ପୋଲିସ୍ ଅଫିସର କି ନୁହେଁ ବୋଲି । ଏହାସହିତ ଜୋୟାଙ୍କ ପ୍ରାଇଭେଟ୍ ନମ୍ବର ମଧ୍ୟ ପୋଲିସ୍ ଅଧିକାରୀମାନେ ନିଜ ଫୋନରେ ସେଭ୍ କରି ରଖିଥିଲେ । ତାଙ୍କ ଅନୁସାରେ ଅନେକ କାମ ବି କରୁଥିଲେ । ଜୋୟା ଜଣେ ବରିଷ୍ଠ ଅଧିକାରୀ ଭଳି ସମସ୍ତଙ୍କ ନାଁ ଧରି ଡାକୁଥିଲେ ।
ଜୋୟାଙ୍କ ଠାରୁ ୪ଟି ଲ୍ୟାପଟପ୍ ଜବତ କରାଯାଇଛି । ସେ ରହୁଥିବା ଫ୍ଲାଟ୍ରୁ ଅନେକ ସନ୍ଦେହଜନକ ତଥ୍ୟ ମଧ୍ୟ ପୋଲିସ୍ ହାତରେ ଲାଗିଛି । ଜୋୟା କେଉଁଠିକୁ ମେସେଜ୍ କରୁଥିଲା ଏହାର ଯାଞ୍ଚ କରାଯାଉଛି। ଚର୍ଚ୍ଚା ହେଉଛି କି ଜୋୟା ଆଫଗାନିସ୍ତାନ ସମେତ ବିଭିନ୍ନ ଦେଶକୁ ମେସେଜ୍ ପଠାଉଥିଲା । ତେବେ ଏହା କେଉଁ ପ୍ରକାରର ମେସେଜ୍ ତାହାର କୌଣସି ଖୁଲାସା ହୋଇନାହିଁ । ହେଲେ ଜୋୟାର ଏଭଳି କାଣ୍ଡ ଏବେ ଦେଶର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ନିଜକୁ ଜଣେ ଆଇଏଫ୍ଏସ୍ ଅଫିସର ଭାବେ ନିଜକୁ ପରିଚୟ ଦେଇ ପୂରା ଭୁଆଁ ବୁଲାଇଥିଲେ ମେରଠ ପୋଲିସ୍କୁ ।
(ନକଲି ମହିଳା ଆଇଏଫଏସ୍ ଅଫିସର ଜୋୟା ଖାନଙ୍କ ସ୍ବାମୀ)
କେମିତି ହେଲା ପର୍ଦାଫାଶ :
ଗତ ମାର୍ଚ୍ଚ ମାସରେ ନୋଏଡାରେ ଏହି ନକଲି ମହିଳା ଆଇଏଫଏସ ଅଧିକାରୀ ଜଣଙ୍କର କାର ଦୁର୍ଘଟଣା ହୋଇଥିଲା । ଏହାପରେ ସେ ସାହାଯ୍ୟ ପାଇଁ ଏସଏସପିଙ୍କୁ ଫୋନ୍ କରିଥିଲେ ଏବଂ ସେ ଜାତିସଂଘର ଜଣେ ଅଧିକାରୀ ଭାବେ ପରିଚୟ ଦେଇଥିଲେ । ଏସଏସପି ପୋଲିସ୍ ପଠାଇ ତାଙ୍କୁ ସାହାଯ୍ୟ ମଧ୍ଯ କରିଥିଲେ । ପରେ ଯେତେବେଳେ ନକଲି ମହିଳା ଅଧିକାରୀ ଜୋୟା ଏସଏସପିଙ୍କୁ ଦେଖା କରିବାକୁ ଗଲେ ସେତେବେଳେ ଜୋୟାଙ୍କ ବ୍ଯବହାର ଏବଂ କଥାବାର୍ତ୍ତା ତାଙ୍କୁ ସନ୍ଦେହଜନକ ଲାଗିଥିଲା । ଏହାପରେ ଖୋଳତାଡ଼ କରାଯାଇ ଜୋୟା ଏବଂ ତାଙ୍କ ସ୍ବାମୀକୁ ଗିରଫ କରାଯାଇଥିଲା ।