ବିଦାୟ ୨୦୨୦: ୩୬୫ରୁ କନ୍ଦେଇଛି ୩୦୦ ଦିନ

ବର୍ଷ ସରିବାକୁ ବାକି ଅଛି ଆଉ ମାତ୍ର ହାତ ଗଣତି ଦିନ କେଇଟା। ଏମିତିରେ ତ ଏହି ପୂରା ବର୍ଷ କରୋନା ମହାମାରୀ ସହ ଲଢ଼େଇରେ ଚାଲିଯାଇଛି। ତଥାପି ଚଳିତବର୍ଷ ବିଭିନ୍ନ ଚ୍ୟାଲେଞ୍ଜ ମଧ୍ୟ ଆସିଥିଲା। ପ୍ରବାସୀ ଶ୍ରମିକ ଶହ ଶହ କିଲୋମିଟର ପାଦରେ ଚାଲି ଚାଲି ଯାଇଥିବା ଫଟୋ ଆମ ମନରେ ସବୁବେଳେ ପାଇଁ ରହିବ। ଏବର୍ଷ ସବୁଠୁ ବଡ଼ ଚ୍ୟାଲେଞ୍ଜ ଥିଲା ଲକ୍‌ଡାଉନ୍‌, ଯାହା ପୂରା ଦେଶର ଅର୍ଥବ୍ୟବସ୍ଥାକୁ ଦୋହଲାଇ ଦେଇଥିଲା। ଏହା ବ୍ୟତୀତ ଚଳିତବର୍ଷ ଅନେକ ଘଟଣା-ଦୁର୍ଘଟଣାମାନ ଘଟିଛି। ବର୍ଷ ୨୦୨୦ରେ ଦେଶରେ ବଡ଼ ବଡ଼ ଦଙ୍ଗା, ବିରୋଧ ପ୍ରଦର୍ଶନ ମଧ୍ୟ ଦେଖିବାକୁ ମିଳିଥିଲା। ସେହିପରି କୃଷକଙ୍କ ଆନ୍ଦୋଳନ ଏବେ ମଧ୍ୟ ଜାରି ରହିଛି। ତେବେ ଆସନ୍ତୁ ନଜର ପକାଇବା ବିଦାୟୀବର୍ଷର କେତେକ ବଡ଼ ବଡ଼ ଘଟଣା ଉପରେ…

ଜାନୁଆରୀ:

୨୦୧୯ର ଶେଷ ଭାଗରେ ସଂସଦରେ ନାଗରିକତା ସଂଶୋଧନ ବିଧେୟକ (ସିଏବି) ପାରିତ ହୋଇଥିଲା। ଏହାକୁ ସଂସଦର ମଞ୍ଜୁରୀ ମିଳିବା ପରେ ଆଇନ୍‌ରେ ପରିଣତ ହୋଇଥିଲା। ଏହି ଆଇନ୍‌ ଲାଗୁ ହେବା ପରେ ପୂର୍ବୋତ୍ତରରେ ସିଏଏ ବିରୋଧରେ ସ୍ୱର ଉତ୍ତୋଳନ ଆରମ୍ଭ ହୋଇଥିଲା। ଏହି ଦଙ୍ଗା ୨୦୨୦ ଜାନୁଆରୀ, ଫେବ୍ରୁଆରୀରେ ଉଗ୍ରରୂପ ଧାରଣ କରିଥିଲା। ଏ ଅବସରରେ ଶାହୀନବାଗରେ ରାସ୍ତା ମଝିରେ ଦୀର୍ଘ ଦିନ ଧରି ଆନ୍ଦୋଳନ ଚାଲିଥିଲା।

caaଜାନୁଆରୀ ୯ରେ ନାଇଜେରିଆର ମିଲିଟାରୀ ବେସ୍‌ରେ ପଶି ୮୯ ଜଣ ଯବାନଙ୍କୁ ଅତି ନୃଶଂସ ଭାବେ ହତ୍ୟା କରିଥିଲା ବୋକୋ ହରାମ୍‌। ୩୦ରେ କରୋନା ମହାମାରୀ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଜରୁରୀକାଳୀନ ସ୍ଥିତି ଘୋଷଣା କରାଯାଇଥିଲା।

ଫେବ୍ରୁଆରୀ:

ଫେବ୍ରୁଆରୀ ୨୪ରେ ପରିବାର ସହ ଦୁଇ ଦିନିଆ ଭାରତ ଭ୍ରମଣରେ ଆସିଥିଲେ ଆମେରିକା ପୂର୍ବ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ବୁଲି ଦେଖିଥିଲେ ତାଜମହଲ। ୨୮ରେ ପାକିସ୍ତାନରେ ଟ୍ରେନ୍‌ ସହ ବସ୍‌ ଧକ୍କା ହୋଇ ୨୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬୦ରୁ ଊର୍ଦ୍ଧ୍ୱ ଗୁରୁତର ହୋଇଥିଲେ।

ମାର୍ଚ୍ଚ:

ମାର୍ଚ୍ଚ ୧୩ରେ କରୋନା ଯୋଗୁ ମାଉଣ୍ଟ ଏଭେରେଷ୍ଟ ଆରୋହଣ ବନ୍ଦ କଲା ନେପାଳ। ୧୭ରେ ମହାମାରୀ ଯୋଗୁ ଘୁଞ୍ଚିଲା ୨୦୨୦ କୋପା ଆମେରିକା ଆସୋସିଏସନ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟ। ୨୦ରେ ନିର୍ଭୟାର ୪ ଦୋଷୀ ମୁକେଶ ସିଂହ, ପବନ ଗୁପ୍ତା, ବିନୟ ଶର୍ମା ଓ ଅକ୍ଷୟ ସିଂହଙ୍କୁ ଫାଶୀଖୁଣ୍ଟରେ ଝୁଲାଇ ଦିଆଯାଇଥିଲା। ନିର୍ଭୟାକାଣ୍ଡର ଆଉ ଜଣେ ଦୋଷୀ ରାମ ସିଂହ ୨୦୧୨ରେ ତିହାର ଜେଲରେ ଆତ୍ମହତ୍ୟା କରିଥିଲା।

nirbhaya

୨୪ରେ ଭାରତରେ ଘୋଷଣା ହେଲା କରୋନା ଲକ୍‌ଡାଉନ୍‌। କରୋନା ଯୋଗୁ ୨୦୨୦ ସମର ଅଲମ୍ପିକ୍‌ ବାତିଲ କଲେ ଅନ୍ତର୍ଜାତୀୟ ଅଲମ୍ପିକ କମିଟି ଓ ଜାପାନ। ୨୭ରେ ୩୦ ତମ ଦେଶ ଭାବେ ନାଟୋ(NATO)ରେ ଯୋଗ ଦେଲା ଉତ୍ତର ମାସେଡୋନା। ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ।

coronavirus

ଏପ୍ରିଲ:

ଏପ୍ରିଲ ୧ରେ ଚୀନରେ ଚିହ୍ନଟ ହେଲା ଲକ୍ଷଣ ନ ଥିବା ପ୍ରଥମ କରୋନା ରୋଗୀ। ୨ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ମିଲିୟନ୍‌ ଟପିଲା। ଅନ୍ୟପଟେ ୪ରେ ସଂକ୍ରମଣ ଭୟରେ ୧ ଲକ୍ଷ କଏଦୀଙ୍କୁ ଖଲାସ କଲା ତୁର୍କୀ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଉପରେ ଖପ୍ପା ହୋଇ ଏପ୍ରିଲ ୧୪ରେ ଅନୁଦାନ ବନ୍ଦ କଲା ଆମେରିକା। ୨୦ରେ ଟେକ୍ସାସରେ ରେକର୍ଡ ସଂଖ୍ୟକ କମିଲା ତୈଳ ଦର।

ମେ’:

ମେ ୧୨ରେ ଆଫଗାନିସ୍ତାନର କାବୁଲରେ ଏକ ନର୍ସିଂହୋମ୍‌ରେ ପଶି ଆଖିବୁଜା ଗୁଳିଚାଳନା କଲା ଦୁର୍ବୃତ୍ତ, ୨ ନବଜାତ ସମେତ ୨୪ ମୃତ। ଅନ୍ୟପଟେ ୨୫ରେ ଆମେରିକାରେ ମିନେସୋଟାସ୍ଥିତ ମିନେପୋଲିସ ସହରରେ ୪୬ ବର୍ଷୀୟ ଏକ ରେସ୍ତୋରାଁର ଜଣେ କୃଷ୍ଣକାୟ ସିକ୍ୟୁରିଟି ଗାର୍ଡ ଜର୍ଜ ଫ୍ଲୋୟଡଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ଆମେରିକାରକୁ ପୂରାପୂରି ଦୋହଲାଇ ଦେଇଥିଲା।

george floyd

କୃଷ୍ଣକାୟଙ୍କୁ ନିର୍ମମଭାବେ ହତ୍ୟା କରାଯାଇଥିବା ଭିଡିଓ ଭାଇରାଲ ହେବା ପରେ ଲୋକମାନେ ରାସ୍ତାକୁ ଓହ୍ଲାଇଥିଲେ। ଏମିତିକି ହ୍ଵାଇଟ୍‌ ହାଉସ୍‌ ଉପରେ ମଧ୍ୟ ଆକ୍ରମଣ କରାଯାଇଥିଲା। ସେହିପରି ମେ’ରେ ବନ୍ଦେ ଭାରତ ମିଶନ ଜରିଆରେ ବିଦେଶରେ ଫସିଥିବା ଭାରତୀୟଙ୍କୁ ଦେଶକୁ ଫେରାଇ ଅଣାଯାଇଥିଲା।

ଜୁନ୍‌:

ଜୁନ୍‌ରୁ ରେଳ ବିଭାଗ ତରଫରୁ କେତେକ ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ କରିଥିଲା। ଅନ୍ୟପଟେ ବାତ୍ୟା ନିସର୍ଗ ମହାରାଷ୍ଟ୍ର ଓ ଗୁଜରାଟକୁ ଧ୍ୱଂସସ୍ତୁପରେ ପରିଣତ କରିଥିଲା। ଏଥିସହ ଦେଶର ବିଭିନ୍ନ ସ୍ଥାନରେ ଧାର୍ମିକ ସ୍ଥଳ ଖୋଲିବାକୁ ଅନୁମତି ମିଳିଥିଲା। ଜୁନ୍‌ରେ ଆସାମର ତେଲ କୂପରେ ନିଆଁ ଲାଗି ପ୍ରବଳ କ୍ଷତି ହୋଇଥିଲା। ଚଳିତବର୍ଷ ଭାରତ-ଚୀନ୍‌ ମଧ୍ୟରେ ଗଲଓ୍ଵାନ୍‌ ଘାଟିରେ ସବୁଠୁ ବଡ଼ ରକ୍ତ ସଂଘର୍ଷ ହୋଇଥିଲା। ଏଥିରେ ୨୦ ଜଣ ଭାରତୀୟ ଯବାନଙ୍କ ମୃତ୍ୟୁ ଘଟିଥିଲା।

india-china

ଜୁଲାଇ:

ଚଳିତବର୍ଷ ଜୁଲାଇରେ ବହୁପ୍ରତୀକ୍ଷିତ ରାଫେଲ ଫାଇଟର ଜେଟ୍‌ ଭାରତ ଆସିଥିଲା। ସେହି ମାସରେ ଉତ୍ତର ପ୍ରଦେଶରେ ଗ୍ୟାଙ୍ଗ୍‌ଷ୍ଟର ବିକାଶ ଦୁବେର ଏକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା।

ଅଗଷ୍ଟ:

ଦୀର୍ଘଦିନର ଲଢ଼େଇ ପରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରିବାକୁ ଚଳିତବର୍ଷ ସୁପ୍ରିମକୋର୍ଟ ଗ୍ରୀନ୍‌ ସିଗନାଲ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟରେ ଅଯୋଧ୍ୟାରେ ପହଞ୍ଚି ମନ୍ଦିର ଭୂମି ପୂଜନ କରିଥିଲେ।

Modi

ଅଗଷ୍ଟ ୨୮ ତାରିଖରେ ଜାପାନର ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେ ନିଜ ପଦରୁ ଇସ୍ତଫା ଦେଇଥିଲେ। ଏହି ଘଟଣା ସେତେବେଳେ ଦେଶର ଅର୍ଥବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଦୋହଲାଇ ଦେଇଥିଲା।

ସେପ୍ଟେମ୍ବର:

ଚଳିତବର୍ଷ ସେପ୍ଟେମ୍ବରରେ ଉତ୍ତର ପ୍ରଦେଶରେ ହାଥରସରେ ଏକ ୨୦ ବର୍ଷୀୟା ଦଲିତ ଝିଅକୁ ଗାଁର କିଛି ଲୋକ ଗଣଦୁଷ୍କର୍ମ କରିଥିଲେ। ପରେ ମେଡିକାଲରେ ତା’ର ମୃତ୍ୟୁ ଘଟିଥିଲା। ଏହି ଘଟଣା ସେତେବେଳେ ଦେଶରେ ବେଶ୍‌ ଚର୍ଚ୍ଚାର ବିଷୟ ସାଜିଥିଲା।

ଅକ୍ଟୋବର:

ଜେମ୍ସ ବଣ୍ଡ୍‌ ଚରିତ୍ର ପାଇଁ ପ୍ରସିଦ୍ଧି ଲାଭ କରିଥିବା ସ୍କଟ୍‌ଲ୍ୟାଣ୍ଡ୍‌ର ଆକ୍ଟର ସେନ୍‌ କନେରୀଙ୍କ ଅକ୍ଟୋବରରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା ।୧୯୫୪ ରୁ ୨୦୦୬ ଯାଏ ସେନ୍‌ କନେରୀ ଫିଲ୍ମ ଦୁନିଆରେ ସକ୍ରିୟ ଥିଲେ ।
ଦେଶରେ ପ୍ରଥମ ସି ପ୍ଲେନ ସେବାର ଶୁଭାରମ୍ଭ ହୋଇଥିଲା ଚଳିତ ଅକ୍ଟୋବରରେ। ଗୁଜରାଟର ନର୍ମଦା ଜିଲ୍ଲାର କେବାଡ଼ିଆ ଠାରୁ ସାବରମତୀ ରିଭରଫ୍ରଣ୍ଟର ପର୍ଯ୍ୟନ୍ତ ଏହି ସେବାର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ନଭେମ୍ବର:

ନଭେମ୍ବର ୭ରେ ବଦଳିଥିଲେ ଆମେରିକାର ରାଷ୍ଟ୍ରପତି। ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡେନ୍‌ ବିପୁଳ ପରିମାଣ ଭୋଟ୍‌ ପାଇ ଡୋନାଲ୍ଡ ଟ୍ରମ୍ପଙ୍କୁ ହରାଇ ଆମେରିକାର ୪୬ତମ ରାଷ୍ଟ୍ରପତି ପଦ ହାତେଇଥିଲେ।

trump

ଡିସେମ୍ବର:

ବର୍ଷର ଶେଷ ମାସରେ ନୂଆ କୃଷି ଆଇନ୍‌କୁ ନେଇ କୃଷକଙ୍କ ଆନ୍ଦୋଳନ ଆରମ୍ଭ ହୋଇଛି। ଏହି ଆନ୍ଦୋଳନ ଏବେ ବି ଜାରି ରହିଛି। ଅନ୍ୟପଟେ ଚଳିତମାସ ପୁଣିଥରେ କରୋନା ନୂଆ ରୂପରେ ଆସିଛି। ଇଂଲଣ୍ଡରେ ନୂଆ କରୋନା ଦ୍ରୁତ ବେଗରେ ବ୍ୟାପିବାରେ ଲାଗିଛି।

ପରଲୋକରେ ଏସବୁ ରାଜନେତା:

ପୂର୍ବ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ଲୋକ ଜନଶକ୍ତି ପାର୍ଟିର ପ୍ରତିଷ୍ଠାତା ରାମବିଳାସ ପାଶବାନ୍‌, ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲ, ପୂର୍ବ କେନ୍ଦ୍ରମନ୍ତ୍ରୀ ଯଶୋବନ୍ତ ସିଂହ, ବରିଷ୍ଠ ନେତା ଅମର ସିଂହ, ଆସାମର ପୂର୍ବ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇ, ବିହାରର ବରିଷ୍ଠ ନେତା ରଘୁବଂଶ ପ୍ରସାଦ ସିଂହ, ଓଡ଼ିଶାର ବରିଷ୍ଠ ନେତା ପ୍ରଦୀପ ମହାରଥୀ ପ୍ରମୁଖଙ୍କର ଚଳିତବର୍ଷ ନିଧନ ହୋଇଛି।

ତେବେ ଯେମିତି ସେମିତି ହେଉ ୨୦୨୦ ତ ଗଲା, ଆଶା କରୁଛୁ ୨୦୨୧ ଆସିବ କିଛି ନୂଆ ଉତ୍ସାହ, ଉଦ୍ଦୀପନା ନେଇ।

ଆଲେଖ୍ୟ: ତୃଷ୍ଣା ପ୍ରିୟଦର୍ଶିନୀ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.