ଆଶ୍ଚର୍ଯ୍ୟ କଲା କୁମ୍ଭୀର, ନଦୀ ବନ୍ଧ ଭିତରେ ୧୦ ଫୁଟର ସୁଡ଼ଙ୍ଗ କରି ଦେଲା ଅଣ୍ଡା

ବନ୍ଧ ପାଇଁ ବିପଦ ସାଜିଛନ୍ତି କୁମ୍ଭୀର। ବିହାରରେ ଏଭଳି ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି। ଏଠାରେ କୁମ୍ଭୀରମାନେ ଏବେ ନଦୀ ବନ୍ଧ ପାଇଁ ବିପଦ ସାଜିଛନ୍ତି। ରିପୋର୍ଟ ମୁତାବକ, ବିହାର ପଶ୍ଚିମ ଚମ୍ପାରଣ ଜିଲ୍ଲାର ବଗହାର ପିପରା ପିପରାସୀ ନଦୀବନ୍ଧରେ କୁମ୍ଭୀରମାନେ ୧୦ ଫୁଟ୍‌ର ସୁଡ଼ଙ୍ଗ ତିଆରି କରି ତା’ଭିତରେ ଅଣ୍ଡା ଦେଇଛନ୍ତି।

ଜଳ ବିଭାଗର ଅଧିକାରୀ ମଙ୍ଗଳବାର ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହା ପରେ ଜଳ ସଂସାଧନ ବିଭାଗର ମୁଖ୍ୟ ଅଭିୟନ୍ତା ପ୍ରକାଶ ଦାସଙ୍କ ନେତୃତ୍ୱରେ ବିଶେଷଜ୍ଞଙ୍କ ଟିମ୍‌ ବନ୍ଧର ନିରୀକ୍ଷଣ କରିଥିଲା। ଏହି ସମୟରେ ସେମାନେ କୁମ୍ଭୀର ଅଣ୍ଡା ଉଦ୍ଧାର କରିଛନ୍ତି। ଏହି ଅଣ୍ଡାକୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି। ଏଥିସହ ସମସ୍ତ ସୁଡ଼ଙ୍ଗ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ତେବେ ବନ୍ଧରେ କୁମ୍ଭୀରମାନେ ସୁଡ଼ଙ୍ଗ ତିଆରି କରିବା ଫଳରେ ବନ୍ଧ କ୍ଷତିଗ୍ରସ୍ତ ହେବା ସମ୍ଭାବନା ଦେଖାଦେଇଛି। ଯଦି ବନ୍ଧ ଦୁର୍ବଳ ହୋଇଯାଏ ତେବେ ବନ୍ୟା ସ୍ଥିତିରେ ତଳିଆ ଅଞ୍ଚଳରେ ପାଣି ପଶିବା ଆଶଙ୍କା ଦେଖାଦେଇଛି। ଏଣୁ ବିଭାଗୀୟ ମୁଖ୍ୟଙ୍କ ନିର୍ଦ୍ଦେଶ ପରେ ସୁଡ଼ଙ୍ଗ ବନ୍ଦ କରାଯାଇଛି। ତେବେ କୁମ୍ଭୀରମାନେ ବନ୍ଧରେ ସୁଡ଼ଙ୍ଗ କରିବା ସମ୍ପୂର୍ଣ୍ଣ ନୂଆ। ଆଗରୁ କେବେ ଏଭଳି ଘଟିନଥିଲା। କୁମ୍ଭୀରମାନେ ଯଦି ଅନ୍ୟ ବନ୍ଧରେ ବି ସୁଡ଼ଙ୍ଗ କରି ଅଣ୍ଡା ଦେବେ, ତେବେ ତାହା ବିପଦଗ୍ରସ୍ତ ହେବା ସମ୍ଭାବନା ରହିଥିବା ଜଳ ବିଭାଗର ମୁଖ୍ୟ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.