କାଉଡିଆଙ୍କ ଉପରେ ମାଡିଗଲା କାର ; ୪ ମୃତ, ୧୧ ଆହତ

କାଉଡିଆଙ୍କ ଉପରେ ମାଡିଗଲା କାର । କାର ଧକ୍କାରେ ୪ କାଉଡ଼ିଆଙ୍କ ମୃତ୍ୟୁ ହୋଇଛି। ବିହାରର ଫୁଲିଦୁମାର ଥାନାର ନାଗାରଡିହରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ସୁଲତାନଗଞ୍ଜରୁ ଗୌରନାଥ ମହାଦେବଙ୍କୁ ଜଳାଭିଷେକ ଲାଗି କାଉଡ଼ିଆମାନେ ଯାଉଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ କାର ସେମାନଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ରୁ ୧୧ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରାଯାଇଛି ।
ପୋଲିସ୍ ସୂଚନା ଅନୁଯାୟୀ, ଗତ ରାତିରେ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ କାଉଡିଆ ଗଙ୍ଗା ନଦୀରୁ ପାଣି ଉଠାଇ ସୁଲତାନଗଞ୍ଜରୁ ଜେଷ୍ଠଗୋରନାଥ ମହାଦେବ ମନ୍ଦିରକୁ ଯାଉଥିଲେ । ରାତିରେ ସେମାନେ ଯାଉଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ କାର କିଛି କାଉଡ଼ିଆଙ୍କ ଉପରେ ଚଢ଼ି ଯାଇଥିଲା । ଖବର ପାଇ ତୁରନ୍ତ ପୋଲିସ୍ ଓ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଏହି ଦୁର୍ଘଟଣାରେ ୧୧ ଜଣ ଗୁରୁତର ହୋଇଥିବା ବେଳେ ତୁରନ୍ତ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଥିସହ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି ।
ଅନ୍ୟପଟେ ଦୁର୍ଘଟଣା ପରେ କାର ସହ ଡ୍ରାଇଭର ଫେରାର ହୋଇଯାଇଥିଲା । ଏହି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତ୍ୟକ୍ତ ଲୋକମାନେ ପୋଲିସ ଉପରକୁ ଟେକାପଥର ମାଡ଼ କରିଥିଲେ । ଏଥିସହ ଏକ ପୋଲିସ ଗାଡ଼ିକୁ ଜାଳି ଦେଇଛନ୍ତି । ସେହିପରି ଆମ୍ବୁଲାନସକୁ ମଧ୍ୟ ଭଙ୍ଗାରୁଜା କରିଛନ୍ତି । ଅଧିକ ପୋଲିସ ଫୋର୍ସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛନ୍ତି ।