ମର୍ଣ୍ଣିଂ ୱାକ୍ ବେଳେ ମନ୍ତ୍ରୀ ରତ୍ନେଶ ସଦାଙ୍କୁ ଧକ୍କା ଦେଲା ଅଟୋ, ଅଙ୍ଗରକ୍ଷୀ ବି ଆହତ
ନୂଆବର୍ଷରେ ଦୁର୍ଘଟଣାର ଶିକାର ହେଲେ ବିହାର ସରକାରଙ୍କ ମନ୍ତ୍ରୀ ରତ୍ନେଶ ସଦା । ମର୍ଣ୍ଣିଂ ୱାକରେ ଯାଉଥିବା ବେଳେ ଏକ ଅଟୋ ତାଙ୍କୁ ଧକ୍କା ଦେଇଥିଲା । ସକାଳୁ ସକାଳୁ ଅଟୋ ଧକ୍କାରେ ତାଙ୍କ ମୁଣ୍ଡ ଓ ଗୋଡ଼ରେ ଗଭୀର ଆଘାତ ଲାଗିଛି । ଏହି ଦୁର୍ଘଟଣାରେ ତାଙ୍କର ଜଣେ ଅଙ୍ଗରକ୍ଷୀ ମଧ୍ୟ ଆହତ ହୋଇଛନ୍ତି ।
ଉଭୟଙ୍କୁ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ବର୍ତ୍ତମାନ ସେମାନେ ବିପଦମୁକ୍ତ ଅଛନ୍ତି । ଏହି ଦୁର୍ଘଟଣା ମହିଶି ଥାନାରେ ଅଞ୍ଚଳରେ ଘଟିଛି ।
ସୂଚନା ମୁତାବକ, ନୂଆବର୍ଷ ପାଇଁ ମନ୍ତ୍ରୀ ତାଙ୍କ ଗାଁ ବଲିଆ ସିମର୍ ଆସିଛନ୍ତି । ଏଠାରେ ଆଜି ସେ ମର୍ଣ୍ଣିଂ ୱାକ୍ ପାଇଁ ତାଙ୍କର ଜଣେ ବଡିଗାର୍ଡଙ୍କ ସହ ଘରୁ ବାହାରିଥିଲେ । ମର୍ଣ୍ଣିଂ ୱାକରେ ଯାଉଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ ଅଟୋ ତାଙ୍କୁ ପିଟି ଦେଇଥିଲା । ଫଳରେ ଅଟୋ ଧକ୍କାରେ ସେ ଆହତ ହୋଇଥିଲେ ।
ଦୁର୍ଘଟଣା ପରେ ତାଙ୍କୁ ତୁରନ୍ତ ସଦର ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରିଥିଲେ । ଦୁଇରୁ ତିନି ଘଣ୍ଟା ଧରି ଚିକିତ୍ସା ଚାଲିବା ପରେ ତାଙ୍କ ସ୍ଥିତି ସ୍ୱାଭାବିକ ହୋଇଥିଲା । ଏହାପରେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା ।
ତାଙ୍କୁ ଚିକିତ୍ସା କରିଥିବା ଡାକ୍ତର ବରୁଣ ଝା କହିଛନ୍ତି, ମନ୍ତ୍ରୀଙ୍କ ମୁଣ୍ଡ ପଛପଟ ଏବଂ ଗୋଡ଼ରେ ଆଘାତ ଲାଗିଛି । ତାଙ୍କ ବଡିଗାର୍ଡଙ୍କ ହାତ ଓ ଗୋଡ଼ରେ ବି ଆଘାତ ଲାଗିଛି । ଚିକିତ୍ସା ପରେ ମନ୍ତ୍ରୀଙ୍କ ଅନୁରୋଧ କ୍ରମେ ତାଙ୍କୁ ଘରକୁ ଯିବାକୁ ଅନୁମତି ଦିଆଯାଇଥିଲା ।