ଟଳିଲା ବଡ ରେଳ ଦୁର୍ଘଟଣା: ଦୁଇଖଣ୍ଡ ହୋଇଗଲା ବିହାର ସଂପର୍କ କ୍ରାନ୍ତି ଏକ୍ସପ୍ରେସ, ଇଂଜିନରୁ ଅଲଗା ହେଲା ବଗି

ବର୍ତ୍ତିଲା ବଡ ରେଳ ଦୁର୍ଘଟଣା । ଦରଭଙ୍ଗାରୁ ନୂଆଦିଲ୍ଲୀ ଯାଉଥିବା ବିହାର ସଂପର୍କ କ୍ରାନ୍ତି ଏକ୍ସପ୍ରେସ ହଠାତ୍‌ ଦୁଇଖଣ୍ଡ ହୋଇଗଲା । ଟ୍ରେନର କିଛି ବଗି ଇଂଜିନ ଠାରୁ ଅଲଗା ହୋଇଯାଇଥିଲା । ଘଟଣା ସ୍ଥଳରେ ରେଳ ଅଧିକାରୀ ପହଞ୍ଚିଛନ୍ତି । ଇଂଜିନ ଠାରୁ ଅଲଗା ହୋଇଥିବା ବିଗକୁ ସଂଯୋଗ କରିବାକୁ ପ୍ରଚେଷ୍ଟା ଚାଲିଛି ।

ତେବେ ଘଟଣାରେ କେହି ହତାହତ ହୋଇ ନଥିବା ଖବର ମିଳିଛି । ଘଟଣା ସମସ୍ତିପୁର-ମୁଜଫରପୁରର ଖୁଦିରାମ ବୋସ ପୁସା ରେଳ ଷ୍ଟେସନ ନିକଟରେ ହୋଇଛି । ଖବର ପାଇବା ପରେ ରେଳ ବିଭାଗର ଟିମ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି । ଘଟଣା ବିଷୟରେ ଅଧିକ କିଛି ଜଣାପଡିନାହିଁ । କାହିଁକି ଏମିତି ଘଟଣା ଘଟିଲା, ତାହା ମଧ୍ୟ ଜଣାପଡିନାହିଁ ।

ତେବେ ଏତେ ବଡ ଦୁର୍ଘଟଣା ଟଳିବା ପରେ ଯାତ୍ରୀମାନେ ଈଶ୍ୱରଙ୍କୁ କୃତଜ୍ଞତା ଜଣାଇଛନ୍ତି । କିଛି ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ଟ୍ରେନ ଇଂଜିନରୁ ବଗି ଅଲଗା ହେବା ପରେ ଜୋରଦାର ଝଟକା ଲାଗିଥିଲା । ଫଳରେ ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ । ହେଲେ କୌଣସି ଯାତ୍ରୀ ଆହତ ହୋଇନଥିବା ଖବର ମିଳିଛି ।

ସୂଚନାଯୋଗ୍ୟ, ନିକଟରେ ପଶ୍ଚିମବଙ୍ଗର ଖରଦାହା ରେଳ ଷ୍ଟେସନରେ ଦୁଇଟି କାରକୁ ଧକ୍କା ଦେଲା ଏକ୍ସପ୍ରେସ ଟ୍ରେନ । ଗେଟମ୍ୟାନ ଦ୍ୱାରା ହଠାତ୍‌ ଗେଟ୍‌ ପକାଇବା ଯୋଗୁଁ ଟ୍ରାକରେ ଦୁଇଟି କାର ରହିଯାଇଥିଲା । ଫଳରେ ଦୁଇଟି ଯାକ କାର ହଜାରଦୁୟାରୀ ଏକ୍ସପ୍ରେସ କାର୍‌କୁ ଧକ୍କା ଦେଇଥିଲା । କାର ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଥିଲା ।

ତେବେ ଗେଟମ୍ୟାନ ଗେଟ୍‌ ପକାଇବା ସମୟରେ କାର ଡ୍ରାଇଭର ନ ମାନି ଲେବଲ କ୍ରସିଂ କରୁଥିଲେ । ଫଳରେ ଏଭଳି ଦୁର୍ଘଟଣା ଘଟିଥିଲା । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି ।