ବିନା ଭୟରେ ବଞ୍ଚିବାର ଅଧିକାର ମୋତେ ଫେରାଯାଉ, ମୋ ପରିବାରକୁ ସୁରକ୍ଷା ଦିଆଯାଉ: ବିଲକିସ୍‌ ବାନୋ

ଗୁଜରାଟରେ ୨୦୦୨ରେ ଗୋଧରା କାଣ୍ଡ ପରେ ଘଟିଥିବା ବହୁ ଚର୍ଚ୍ଚିତ ବିଲକିସ୍ ବାନୋ ଗଣଦୁଷ୍କର୍ମ ଘଟଣାରେ ୧୧ ଦୋଷୀଙ୍କୁ ଗୁଜରାଟ ସରକାର ମୁକ୍ତ କରିବା ପରେ ଏବେ ପୁଣି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ୧୧ ଜଣ ଦୋଷୀଙ୍କୁ ମୁକ୍ତ କରିବା ଯୋଗୁଁ ନ୍ୟାୟ ଉପରେ ଭରସା ନାହିଁ। ୨୦ ବର୍ଷ ତଳର ସେହି ଲୋମହର୍ଷଣକାରୀ ଘଟଣା ମନେପଡିଲେ ଆଜି ବି ଲୋମ ଟାଙ୍କୁରୀ ଉଠେ । କିନ୍ତୁ ଏବେ ଦୋଷୀଙ୍କୁ ମୁକ୍ତ କରାଯିବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ପୀଡିତା ବିଲକିସ୍ ବାନୋ ।

ବିଲକିସ୍ କହିଛନ୍ତି, ‘୨୦୨୨ ଅଗଷ୍ଟ ୧୫ରେ ଦେଶ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ୨୦ ବର୍ଷ ତଳର ସେହି ଘଟଣା ଆଜି ମୋତେ ଅଶାନ୍ତ କରିଛି। ଏତେ ବଡ ଏବଂ ଅନ୍ୟାୟପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ମୋ ସୁରକ୍ଷା ବିଷୟରେ କିଛି ବି ଚିନ୍ତା କରାଯାଇନାହିଁ। ତେଣୁ ଗୁଜରାଟ ସରକାର ଏହାକୁ ପରିବର୍ତ୍ତନ କରି ମୋତେ ବିନା ଭୟରେ ଶାନ୍ତିରେ ବଞ୍ଚିବା ପାଇଁ ଅଧିକାର ଦିଅନ୍ତୁ। ମୋ ଆଖି ସାମ୍ନାରେ ମୋର ପୁରା ପରିବାରକୁ ହତ୍ୟା କରିଦେଇଥିଲେ । ମୋର ୩ ବର୍ଷର ଝିଅକୁ ମୋ ଆଗରେ ହତ୍ୟା କରିଥିଲେ । ସେ ସମସ୍ତଙ୍କୁ ଏବେ ଛାଡି ଦିଆଯାଇଛି । ଏବେ ସେମାନେ ଖୁସିରେ ବୁଲୁଛନ୍ତି । ଗୁଜରାଟ ସରକାରଙ୍କୁ ମୁଁ ଅପିଲ କରୁଛି ଯେ, ଏଭଳି ନିଷ୍ପତ୍ତିକୁ ପ୍ରତ୍ୟାହାର କରାଯାଉ ଏବଂ ମୋର ବଞ୍ଚିବାର ଅଧିକାର ମୋତେ ଫେରାଯାଉ । ମୋର ଏବଂ ମୋ ପରିବାରର ସୁରକ୍ଷା ନିଶ୍ଚିତ କରାଯାଉ’।

ସୂଚନା ଅନୁଯାୟୀ, ୨୦୦୨ ମାର୍ଚ୍ଚ ୩ ତାରିଖରେ ଘଟିଥିବା ଏହି ଘଟଣା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଗଣଦୁଷ୍କର୍ମର ଶିକାର ହୋଇଥିବା ବିଲକିସ୍ ବାନୋ ସେତେବେଳେ ୩ ମାସର ଗର୍ଭବତୀ ଥିଲେ । ଗୁଜରାଟର ଲିମଖେଡା ଅଞ୍ଚଳରେ ମବ୍ ଲିଞ୍ଚିଂରେ ବିଲକିସ୍ ବାନୋଙ୍କ ୩ ବର୍ଷର ଝିଅ ସମେତ ୧୪ ଜଣଙ୍କୁ ହତ୍ୟା କରାଯାଇଥିଲା । କେବଳ ବାନୋଙ୍କ ପରିବାରର ୭ ଜଣ ସଦସ୍ୟଙ୍କୁ ତାଙ୍କ ଆଖି ସାମ୍ନାରେ ହିଁ ହତ୍ୟା କରାଯାଇଥିଲା । ଦୁର୍ବୁତ୍ତମାନେ ତାଙ୍କୁ ଦୁଷ୍କର୍ମ କରିଥିଲେ । ଗୁରୁତର ଅବସ୍ଥାରେ ବାନୋଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଏହି ଘଟଣାକୁ ନେଇ ସୁପ୍ରିମକୋର୍ଟ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ବିଲକିସ୍ ବାନୋଙ୍କୁ ଅଭିଯୁକ୍ତମାନେ ହତ୍ୟା ଧମକ ଦେବା ପରେ ମାମଲାକୁ ଗୁଜରାଟରୁ ମହାରାଷ୍ଟ୍ରକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ପରେ ଗତ ୨୦୦୮ ଜାନୁଆରୀ ୨୧ରେ ସ୍ବତନ୍ତ୍ର ସିବିଆଇ କୋର୍ଟ ୧୩ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ସେମାନଙ୍କ ମଧ୍ୟରୁ ୧୧ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ ।  ସେମାନଙ୍କୁ ଜେଲରୁ ମୁକ୍ତ କରାଯାଇଛି । ମାମଲାରେ ସୁପ୍ରିମକୋର୍ଟ ଗତ ୨୦୧୯ରେ ପୀଡିତା ବିଲକିସ୍‌ ବାନୋଙ୍କୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଏବେ ସେମାନଙ୍କୁ ଜେଲରୁ ମୁକ୍ତ କରାଯାଇଥିବା ଯୋଗୁଁ ବିଲକିସ୍‌ ବାନୁ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.