ଭିଏତ୍‌ନାମର ଚିଡ଼ିଆଖାନାରେ ବାର୍ଡ ଫ୍ଲୁ, ୪୭ ବାଘ, ୩ ସିଂହ ଓ ଗୋଟିଏ କଲରାପତରିଆର ମୃତ୍ୟୁ

ଦକ୍ଷିଣ ଭିଏତ୍‌ନାମର ଚିଡ଼ିଆଖାନାରେ ବାର୍ଡ ଫ୍ଲୁର ଆତଙ୍କ । ବାର୍ଡ ଫ୍ଲୁରେ ଆକ୍ରାନ୍ତ ହୋଇ ଏଠାରେ ୪୭ ବାଘ, ୩ ସିଂହ ଏବଂ ଗୋଟିଏ କଲରାପତରିଆ ବାଘର ମୃତ୍ୟୁ ହୋଇଛି । କ୍ରମାଗତ ଭାବେ ସଂକ୍ରମଣ ବଢ଼ି ଚାଲିଥିବାରୁ ମଣିଷ ମଧ୍ୟ ବାର୍ଡ ଫ୍ଲୁରେ ଆକ୍ରାନ୍ତ ହେବା ନେଇ ଆଶଙ୍କା ବଢି ଯାଇଛି ।

ଭିଏତ୍‌ନାମର ସରକାରୀ ନ୍ୟୁଜ୍‌ ଏଜେନ୍ସି (ଭିଏନ୍‌ଏ) କହିଛି ଯେ ଦୁଇଟି ଚିଡ଼ିଆଖାନାରେ ଗତ ଅଗଷ୍ଟ ଏବଂ ସେପ୍ଟେମ୍ବରରେ ଏହି ପଶୁମାନଙ୍କର ମୃତ୍ୟୁ ହୋଇଛି । ଲଙ୍ଗ୍‌ ଏନ୍‌ ପ୍ରାନ୍ତରେ ଥିବା ଏକ ଘରୋଇ ‘ମାଇଁ କ୍ୱିନ୍‌ ସଫାରୀ ପାର୍କ’ ଏବଂ ରାଜଧାନୀ ହୋ ଚି ମିନ୍‌ ସିଟିର ହୋଙ୍ଗ୍‌ ନାଇରେ ଅବସ୍ଥିତ ଏକ ଚିଡ଼ିଆଖାନାରେ ବାର୍ଡ ଫ୍ଲୁ ମାଡ଼ିବାରେ ଲାଗିଛି ।

ନ୍ୟାସନାଲ ସେଣ୍ଟର ଫର ଆନିମଲ୍‌ ହେଲ୍‌ଥ ଡାଇଗ୍ନୋସିସ୍‌ର ପରୀକ୍ଷଣ ଫଳାଫଳରୁ ଜଣାପଡ଼ିଛି ଯେ ବାଘ, କଲରାପତରିଆ ବାଘ ଏବଂ ସିଂହମାନଙ୍କ ମୃତ୍ୟୁ H5N1 ଟାଇପ୍‌ ଏ ଭାଇରସ୍‌ କାରଣରୁ ହୋଇଛି । ବିଶେଷଜ୍ଞମାନେ କହିଛନ୍ତି ଯେ ସଂକ୍ରମିତ କୁକୁଡ଼ା ମାଂସ ଖାଇ ପଶୁମାନେ ବାର୍ଡ ଫ୍ଲୁରେ ଆକ୍ରାନ୍ତ ହୋଇଥିବେ ।

ତେବେ ଏଠାରେ କାର୍ଯ୍ୟରତ କୌଣସି ବି କାର୍ମଚାରୀଙ୍କଠାରେ ଭାଇରସର ଲକ୍ଷଣ ଆଜି ଯାଏ ଦେଖିବାକୁ ମିଳିନାହିଁ । ଭିଏନ୍‌ଏ ରିପୋର୍ଟରୁ ଜଣାପଡ଼ିଛି, ପଶୁମାନଙ୍କ ସଂସ୍ପର୍ଶରେ ଆସିଥିବା କୌଣସି ବି କର୍ମଚାରୀଙ୍କଠାରେ ଶ୍ୱାସ ସମ୍ବନ୍ଧୀୟ ଲକ୍ଷଣ ଦେଖାଯାଇ ନାହିଁ ।

ସେପଟେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର କହିବା ହେଲା, ୨୦୨୨ ପରଠାରୁ ସ୍ତନପାୟୀ ପ୍ରାଣୀଙ୍କଠାରେ H5N1 ସମେତ ଇନ୍‌ଫ୍ଲୁଏଞ୍ଜା ଭାଇରସ୍‌ର ଘାତକ ପ୍ରକୋପ ବଢ଼ିଚାଲିଛି । H5N1 ସଂକ୍ରମଣ ମନୁଷ୍ୟଠାରେ ସାମାନ୍ୟରୁ ଗମ୍ଭୀର ହୋଇପାରେ ।