କାଲି ସରିଲା ଜମ୍ମୁ-କାଶ୍ମୀର ନିର୍ବାଚନ, ଆଜି ହୃଦ୍ଘାତରେ ଚାଲିଗଲେ ବିଜେପି ପ୍ରାର୍ଥୀ

ଜମ୍ମୁ-କାଶ୍ମୀରରେ ଗତକାଲି ବିଧାନସଭା ନିର୍ବାଚନ ଶେଷ ହେବା ପରେ ଆଜି ବିଜେପି ପ୍ରାର୍ଥୀ ସୈୟଦ ମୁସ୍ତାକ ବୁଖାରୀଙ୍କ ନିଧନ ହୋଇଛି । ୭୫ ବର୍ଷୀୟ ବୁଖାରୀ ପୁଞ୍ଚସ୍ଥିତ ନିଜ ବାସଭବନରେ ଥିବାବେଳେ ହୃଦ୍ଘାତର ଶିକାର ହୋଇଥିଲେ ।
ପୂର୍ବତନ ମନ୍ତ୍ରୀ ତଥା ସୁରନକୋଟରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ମୁସ୍ତାକ ବୁଖାରୀ ଗତ କିଛି ଦିନରୁ ଅସୁସ୍ଥ ଥିଲେ । ବୁଧବାର ସକାଳ ପ୍ରାୟ ୭ଟାରେ ହଠାତ୍ ହୃଦ୍ଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିଲା । ବୁଖାରୀଙ୍କ ପରିବାରରେ ତାଙ୍କ ପତ୍ନୀ, ଦୁଇ ଝିଅ ଏବଂ ଗୋଟିଏ ପୁଅ ଅଛନ୍ତି ।
ସୁରନକୋଟରୁ ଦୁଇ ଥର ବିଧାୟକ ହୋଇଥିବା ବୁଖାରୀ ଚଳିତ ବର୍ଷ ଫେବୃୟାରୀରେ ବିଜେପିରେ ମିଶିଥିଲେ । ସେହି ସମୟରେ କେନ୍ଦ୍ର ତାଙ୍କ ପାହାଡ଼ୀ ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତିର ମାନ୍ୟତା ଦେଇଥିଲା । ସେ ବିଜେପିରେ ମିଶିବା ପରେ ତାଙ୍କୁ ସୁରନକୋଟରୁ ପ୍ରାର୍ଥୀ କରାଯାଇଥିଲା । ଏଠାରେ ଦ୍ୱିତୀୟ ପର୍ଯ୍ୟାୟ ସେପ୍ଟେମ୍ବର ୨୫ରେ ୨୫ଟି ନିର୍ବାଚନମଣ୍ଡଳୀ ସହିତ ଭୋଟିଂ ହୋଇଥିଲା ।
୨୦୨୨ ଫେବୃୟାରୀରେ ବୁଖାରୀ ନ୍ୟାସନାଲ କନ୍ଫରେନ୍ସ ସହ ୪ ଦଶନ୍ଧିର ଦୀର୍ଘ ସମ୍ବନ୍ଧ ଭାଙ୍ଗି ଦେଇଥିଲେ । ଅନୁସୂଚିତ ଜନଜାତିର ମାନ୍ୟତାକୁ ନେଇ ତାଙ୍କର ପାର୍ଟି ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲାଙ୍କ ସହ ବିବାଦ ହୋଇଥିଲା, ଯାହା ପରେ ସେ ପାର୍ଟି ଛାଡ଼ିଥିଲେ । ବିଜେପିର ଜମ୍ମୁ-କାଶ୍ମୀର ୟୁନିଟ୍ ଅଧ୍ୟକ୍ଷ ରବିନ୍ଦ୍ର ରୈନା ଏବଂ ଅନ୍ୟ ରାଜନୈତିକ ଦଳର ନେତାମାନେ ବୁଖାରୀଙ୍କ ନିଧନରେ ଶୋକବ୍ୟକ୍ତ କରିଛନ୍ତି ।