ଡ୍ରଗ୍ସ ଚୋରା କାରବାର: ପୂର୍ବତନ ବିଧାୟିକା ସତକାର କୌର ଓ ପୁତୁରା ଗିରଫ, ୬ ବର୍ଷ ପାଇଁ ବିଜେପିରୁ ବହିଷ୍କୃତ

ପୂର୍ବତନ ବିଧାୟିକା ତଥା ବିଜେପି ନେତ୍ରୀ ସତକାର କୌରଙ୍କୁ ୬ ବର୍ଷ ପାଇଁ ଦଳରୁ ବହିଷ୍କାର କରିଛି ଭାରତୀୟ ଜନତା ପାର୍ଟି । ସତକାର କୌରଙ୍କୁ ପଞ୍ଜାବ ପୋଲିସ ଡ୍ରଗ୍ସ ଚୋରା କାରବାର ମାମଲାରେ ଗିରଫ କରିଛି । କୌର କଂଗ୍ରେସ ଛାଡ଼ି ୨୦୨୨ରେ ବିଜେପିରେ ଯୋଗଦେଇଥିଲେ । ଏହା ପୂର୍ବରୁ ସେ କଂଗ୍ରେସର ବିଧାୟିକା ଥିଲେ ।
ଗତକାଲି ପଞ୍ଜାବ ପୋଲିସ ସତକାର କୌରଙ୍କୁ ଡ୍ରଗ୍ସ ଚୋରା କାରବାର କରୁଥିବା ବେଳେ ଧରିଥିଲା ଏବଂ ଗିରଫ କରିଥିଲା । ଏହାପରେ ଆଜି ପାର୍ଟି ତାଙ୍କ ବିରୋଧରେ ଏହି କାର୍ଯାନୁଷ୍ଠାନ ଗ୍ରହଣ କରିଛି ।
ଫିରୋଜପୁର ରୁରାଲରୁ ପୂର୍ବତନ ବିଧାୟିକା ସତକାର କୌର ଓ ତାଙ୍କ ପୁତୁରାଙ୍କୁ ପଞ୍ଜାବ ପୋଲିସର ସ୍ୱତନ୍ତ୍ର ଟାସ୍କ ଫୋର୍ସ (ଏସଟିଏଫ୍) ଡ୍ରଗ୍ସ କାରବାର ଅଭିଯୋଗରେ ଗିରଫ କରିଛି । ତାଙ୍କଠାରୁ ୧୦୦ ଗ୍ରାମ ହେରୋଇନ ମଧ୍ୟ ଜବତ କରାଯାଇଛି । ଏ ନେଇ ମୋହାଲିର ଆଣ୍ଟି ନାର୍କୋଟିକ୍ସ ଟାସ୍କ ଫୋର୍ସ ଥାନାରେ ମାମଲା ରୁଜୁ ହୋଇଛି ।
ଗିରଫଦାରୀ ପରେ ପୂର୍ବତନ ବିଧାୟିକାଙ୍କ ଘରେ ମଧ୍ୟ ଚଢ଼ାଉ କରାଯାଇଥିଲା । ଚଢ଼ାଉ ବେଳେ ଘରୁ ୨୮ ଗ୍ରାମ ହିରୋଇନ ସହ ୧.୫୬ ଲକ୍ଷ ଟଙ୍କା ଜବତ କରାଯାଇଛି ।
ଆଇଜିପି ସୁଖଚୈନ ସିଂ ଗିଲ୍ କହିଛନ୍ତି, ପୋଲିସ ଟିମ୍ ନିଶା ଦ୍ରବ୍ୟ ଚୋରା ଚାଲାଣରେ ବ୍ୟବହୃତ ୪ ବିଳାସପୂର୍ଣ୍ଣ ଗାଡ଼ିକୁ ମଧ୍ୟ ଜବତ କରିଛି । ବୁଧବାର ସତକାର ଓ ତାଙ୍କ ପୁତୁରା ଯେତେବେଳେ ୧୦୦ ଗ୍ରାମ ହିରୋଇନ ଚାଲାଣ କରିବାକୁ ପ୍ରସ୍ତୁତ ହେଉଥିଲେ, ସେହି ସମୟରେ ଆଣ୍ଟି ନାର୍କୋଟିକ୍ସ ଟିମ ସେମାନଙ୍କୁ କାବୁ କରିଥିଲା । ଏ ନେଇ ଟିମକୁ ଏକ ବିଶ୍ୱସ୍ତ ସୂତ୍ରରୁ ଗୁପ୍ତ ସୂଚନା ମିଳିଥିଲା ।