ଗୁଜରାଟ ନିର୍ବାଚନ: ଝୁଲାପୋଲ ଦୁର୍ଘଟଣା ସମୟରେ ନଦୀକୁ ଡେଇଁ ଲୋକଙ୍କ ଜୀବନ ବଞ୍ଚାଇଥିବା ପୂର୍ବତନ ବିଧାୟକଙ୍କୁ ବିଜେପି ଟିକେଟ୍‌; ମୋରବିରୁ ହେଲେ ପ୍ରାର୍ଥୀ

ଗୁଜରାଟରେ ନିର୍ବାଚନୀ ବିଗୁଲ୍‌ ବାଜି ସାରିଛି। ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ଭୋଟିଂ ହେବ। ଭାରତୀୟ ଜନତା ପାର୍ଟି (ବିଜେପି) ଗୁରୁବାର ୧୦ ନଭେମ୍ବରରେ ଆଶାୟୀମାନଙ୍କର ପ୍ରଥମ ତାଲିକା ଜାରି କରିଛି। ବିଜେପିର ରାଷ୍ଟ୍ରୀୟ ମହାସଚିବ ଦୁଷ୍ମନ୍ତ କୁମାର ଗୌତମ ଗୁଜରାଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ୧୬୦ ଆସନର ଆଶାୟୀମାନଙ୍କ ନାମ ଘୋଷଣା କରିଛି।

ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଘାଟଲୋଡିୟାରୁ ନିର୍ବାଚନ ଲଢ଼ିବେ। କଂଗ୍ରେସ ଛାଡ଼ି ବିଜେପିକୁ ଆସିଥିବା ହାର୍ଦ୍ଦିକ ପଟେଲ ବିରାମଗାମରୁ ଦଳର ଆଶାୟୀ ହୋଇଛନ୍ତି। ସେପଟେ କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ପତ୍ନୀଙ୍କୁ ଜାମନଗର ଉତ୍ତରରୁ ଟିକେଟ୍‌ ମିଳିଛି।

ଏଠି ବିଜେପି ଆଶାୟୀମାନଙ୍କ ତାଲିକାରେ ମୋରବିର ବର୍ତ୍ତମାନର ବିଧାୟକଙ୍କ ଟିକେଟ୍‌ କାଟି ଦିଆଯାଇଛି। ତାଙ୍କ ଜାଗାରେ ବିଜେପି ମୋରବିର ପୂର୍ବତନ ବିଧାୟକ କାନ୍ତିଲାଲ୍‌ ଅମୃତିୟାଙ୍କୁ ଟିକେଟ୍‌ ଦେଇ ନିର୍ବାଚନୀ ମଇଦାନକୁ ଆଣିଛି। ବିଜେପି ତାଙ୍କୁ ମୋରବିରୁ ଦଳୀୟ ପ୍ରାର୍ଥୀ କରିଛି। କାନ୍ତିଲାଲ୍‌ ଅମୃତିୟାଙ୍କ ବିଷୟରେ କୁହାଯାଉଛି କି, ଯେଉଁ ସମୟରେ ମୋରବିରେ ଝୁଲାପୋଲ ଦୁର୍ଘଟଣା ଘଟିଥିଲା, ସେହି ସମୟରେ ସେ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ନଦୀକୁ ଡେଇଁ ପଡ଼ିଥିଲେ।

ସେପଟେ ଗୁଜରାଟ ନିର୍ବାଚନକୁ ନେଇ ବିଜେପିର ଅନେକ ବରିଷ୍ଠ ନେତା ଏଥର ନିର୍ବାଚନ ଲଢ଼ିବାକୁ ମନା କରି ଦେଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ନିର୍ବାଚନ ନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ପୂର୍ବତନ ଡେପୁଟୀ ସିଏମ୍‌ ନିତିନ୍‌ ପଟେଲ, ପୂର୍ବତନ ମନ୍ତ୍ରୀ ସୌରଭ ପଟେଲ, ପ୍ରଦୀପ ଜାଡେଜା ମଧ୍ୟ ଏଥର ନିର୍ବାଚନ ଲଢ଼ିବେ ନାହିଁ। ଗୁଜରାଟର ପାଖାପାଖି ୮ ଜଣ ପୂର୍ବତନ ମନ୍ତ୍ରୀ ନିର୍ବାଚନ ଲଢ଼ିବେ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.