ଶପଥ ଗ୍ରହଣ ପରେ ବିଜେପି କେଉଁ ମନ୍ତ୍ରଣାଳୟ ରଖିବ, ସହଯୋଗୀଙ୍କୁ ମିଳିବ କ’ଣ ?

ଆଜି ତୃତୀୟଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି । ତେବେ ତାଙ୍କ ମନ୍ତ୍ରିମଣ୍ଡଳର ରୂପରେଖ କଣ ହେବ, ତାକୁ ନେଇ ଚାଲିଛି ଜୋର ଚର୍ଚ୍ଚା । ମନ୍ତ୍ରିମଣ୍ଡଳରେ ବିଜେପିର ଭାଗ କେତେ ରହିବ ଏବଂ ସହଯୋଗୀ ଦଳ କଣ ପାଇବେ ତା ଉପରେ ନଜର ରହିଛି । ସୂଚନା ଅନୁସାରେ, ବିଜେପି ନିଜ ପାଖରେ ୯ଟି ମନ୍ତ୍ରଣାଳୟ ରଖିବ । ଗୃହ, ଅର୍ଥ, ପ୍ରତିରକ୍ଷା, ବୈଦେଶିକ ବ୍ୟାପାର, ରେଲୱେ,ସଡ଼କ ପରିବହନ, ଆଇନ ମନ୍ତ୍ରାଳୟ, ପ୍ରଯୁକ୍ତି ବିଦ୍ୟା ଓ ଶିକ୍ଷା ମନ୍ତ୍ରଣାଳୟ ରହିବ ବୋଲି ଜଣାପଡିଛି ।
ଗୃହବିଭାଗ ଅମିତ ଶାହଙ୍କ ହାତରେ ଥିବା ବେଳେ ନିର୍ମଳା ସୀତାରମଣ ରହିଥିଲେ ଅର୍ଥମନ୍ତ୍ରୀ । ବୈଦେଶିକ ବିଭାଗ ଏସ୍ ଜୟଶଙ୍କର ବଜାୟ ରଖି ପାରନ୍ତି ।
ବରିଷ୍ଠ ନେତା ନୀତିନ ଗଡ଼କରୀ ପରିବହନ ଓ ଜାତୀୟ ରାଜପଥ ବିଭାଗ ଦାୟିତ୍ବରେ ଅଛନ୍ତି । ଏହି ପଦବୀ ବିଜେପି ହାତରେ ରହିପାରେ ନଚେତ ସହଯୋଗୀ ଦଳକୁ ମଧ୍ୟ ଯାଇ ପାରେ । ଏହା ବ୍ୟତୀତ କୃଷି ଓ କୃଷକ କଲ୍ୟାଣ, ସଂସଦୀୟ ବ୍ୟାପାର ଓ ଖଣି, ବନ୍ଦର ଓ ଜଳପଥ, ଗ୍ରାମ୍ୟ ଉନ୍ନୟନ ଓ ଜଳ ଯୋଗାଣ, ବେସାମରିକ ବିମାନ ଚଳାଚଳ, ନଗର ଉନ୍ନୟନ ଓ ଗୃହ ନିର୍ମାଣ, ସଂସ୍କୃତି ଓ ପର୍ଯ୍ୟଟନ, ସାର ଓ ରସାୟନ, ଭାରୀ ଶିଳ୍ପ ଏବଂ ମତ୍ସ୍ୟ ଓ ପଶୁପାଳନ ବିଭାଗ ମଧ୍ୟ ସହଯୋଗୀଙ୍କ ହାତକୁ ଯାଇ ପାରେ ।
ପ୍ରହଲ୍ଲାଦ ଯୋଶୀଙ୍କ ବିଭାଗ ସଂସଦୀୟ ବ୍ୟାପାର ଓ ଖଣି ମନ୍ତ୍ରଣାଳୟ କାହା ହାତକୁ ଯିବ ତାହା ଏପର୍ଯ୍ୟନ୍ତ ଆକଳନ କରାଯାଇନାହିଁ । ଓଡ଼ିଶାର ଦୁଇ ଆଦିବାସୀ ନେତା ଜୁଏଲ ଓରାମ କିମ୍ବା ବଳଭଦ୍ର ମାଝୀଙ୍କ ମଧ୍ୟରୁ ଜଣକୁ ଏହି ବିଭାଗ ମିଳି ପାରେ । ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧୀନରେ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗ ରହିଥିଲା । ଅଶ୍ୱିନ ବୈଷ୍ଣବଙ୍କୁ ମଧ୍ୟ କିଛି ଦାୟିତ୍ୱ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ଏବେ ଏହି ଦାୟିତ୍ବ କାହା ହାତକୁ ଯାଉଛି ତା ଉପରେ ମଧ୍ୟ ନଜର ରହିଛି ।
ମୋଦିଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ମୋଦିଙ୍କ ସମେତ ତାଙ୍କ ନୂଆ କ୍ୟାବିନେଟର ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଶପଥ ଗ୍ରହଣ କରିବେ ।
ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ଅନେକ ଦେଶର ରାଷ୍ଟ୍ରାଧ୍ୟକ୍ଷ ସାମିଲ ହେବେ । ଏହାକୁ ନେଇ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଦିଲ୍ଲୀକୁ ନୋ ଫ୍ଲାଇଂ ଜୋନ ଘୋଷଣା କରାଯାଇଛି । ପ୍ରତି ଛକରେ ପୋଲିସ ପ୍ରହରା ଦେଉଛି । ନୂଆଦିଲ୍ଲୀର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଡ୍ରୋନ ରହିବ ।
ଶପଥ ଗ୍ରହଣ ସମାରୋହ ପାଇଁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ରାଷ୍ଟ୍ରପତି ଭବନ ସୁରକ୍ଷା ପାଇଁ ଅର୍ଦ୍ଧସୈନିକ ବଳର ୫ଟି ଫୋର୍ସ, ଏନଏସଜି କମାଣ୍ଡୋ, ଡ୍ରୋନ, ସ୍ନାଇପର ନିୟୋଜିତ କରାଯାଇଛି ।