ପାଟନାରେ ବିଜେପି ନେତାଙ୍କୁ ଗୁଳିମାରି ହତ୍ୟା, ଦୁର୍ବୃତ୍ତ ଫେରାର
ବିହାରର ରାଜଧାନୀ ପାଟନାରେ ବିଜେପି ନେତା ଅଜୟ ଶାହଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଗତକାଲି ରାତି ୧୦ଟା ସମୟରେ ଦୁଇଜଣ ଦୁର୍ବୃତ୍ତ ବାଇକରେ ଆସି ଅଜୟଙ୍କ ଉପରକୁ ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ । ତାଙ୍କୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଫେରାର ହୋଇଥିବା ଆକ୍ରମଣକାରୀକୁ ପୋଲିସ ଖୋଜୁଛି । ଅଜୟ ଜଣେ ଅମୂଲ ଦୁଧ ବ୍ୟବସାୟୀ ଭାବେ ଜଣାଶୁଣା ଥିବାବେଳେ ତାଙ୍କର ମୃତ୍ୟୁକୁ ନେଇ ଏବେ ଚାରିଆଡ଼େ ବେଶ୍ ଚର୍ଚ୍ଚା ସୃଷ୍ଟି ହୋଇଛି ।
ଖବର ମୁତାବକ, ମଙ୍ଗଳବାର ରାତି ୧୦ଟା ସମୟରେ ଆଲମଗଞ୍ଜ ଥାନା ଅଞ୍ଚଳର ବଜରଙ୍ଗପୁରୀ ନିକଟରେ ୫୦ ବର୍ଷୀୟ ଅଜୟ ଶାହଙ୍କୁ ଗୁଳିମାଡ ହୋଇଥିଲା । ପୋଲିସ ଏହି ମାମଲାରେ ତଦନ୍ତ ଆରମ୍ଭ କରିବା ସହ ସାଇଣ୍ଟିଫିକ୍ ଟିମକୁ ଖବର ଦିଆଯାଇଛି । ଏଥିସହିତ ଅଜୟଙ୍କ ପରିବାରବର୍ଗଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଥିବା ସିଟି ଏଏସପି ସୂଚନା ଦେଇଛନ୍ତି ।
ଅପରାଧୀମାନେ ବ୍ରେଡ କିଣିବା ବାହାନାରେ ଅଜୟଙ୍କ ଦୋକାନକୁ ପ୍ରବେଶ କରିଥିଲେ । ସେମାନଙ୍କ ସହିତ ପାଟିତୁଣ୍ଡ ହେବା ପରେ ବିଜେପି ନେତା ଅଜୟଙ୍କୁ ଗୁଳିମାଡ଼ କରିଥିଲେ । ଫଳରେ ଅଜୟ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଘଟଣା ସ୍ଥଳରେ ଭିଡିଓ ପୋଲିସ ପାଇଛି । ତଳେ ରକ୍ତଛିଟା ପଡିଥିବା ଦେଖିବାକୁ ମିଳିଛି ।ପୋଲିସ ସିସିଟିଭ୍ ଯାଞ୍ଚ କରି ଅପରାଧିଙ୍କୁ ଚିହ୍ନଟ କରିବାକୁ ପ୍ରୟାସ କରୁଛି । ଏହି ମାମଲାରେ ପୋଲିସ କାହାକୁ ଗିରଫ କରିନାହିଁ ।